ପୃଷ୍ଠା:Odisha Rajanitira Itihasa.pdf/୭୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସର୍ଦ୍ଦାର ପଟେଲଙ୍କ ମୁହଁରୁ ଏକା ଶୁଣି ରଣପୁରର ଯୁବକ ରାଜା ଉଠିପଡ଼ି କହିଲେ, "ରାଜାମାନେ ତାଙ୍କ ରାଜ୍ୟର ପ୍ରଜାମାନଙ୍କ ସହ ଏହି ବିଷୟରେ ପରାମର୍ଶ କରିବା ପରେ ଯାହା ହେବ ।" ରଣପୁର ରାଜାଙ୍କର ଏକଥା ଶୁଣି ସର୍ଦ୍ଦାର ପଟେଲ ରାଗିଗଲେ । ତା'ପରେ ଷଢେ଼ଇକଳା ରାଜା ୨୦.୧୧.୧୯୪୭ରେ ଦିଲ୍ଳୀରେ ଅନୁଷ୍ଠିତ ହୋଇଥିବା ଆଲୋଚନା ବିଷୟକୁ ଦୋହରାଇଲେ । ସର୍ଦ୍ଦାର ପଟେଲ କହିଲେ, "ପଛ କଥା ପଛକୁ ପକାଇ ଦିଅନ୍ତୁ । ବର୍ତ୍ତମାନ ଓଡ଼ିଶା ସରକାରଙ୍କ ସର୍କୁଲାର ଯାହା ଆପଣମାନଙ୍କୁ ଦିଆଯାଇଛି, ସେଥିରେ ଲେଖାଅଛି ପୂରା ମିଶ୍ରଣ । ସେହି ଅନୁସାରେ କାର୍ଯ୍ୟ କରନ୍ତୁ ।"

ସେହି ସମୟକୁ ପ୍ରାୟ ସମସ୍ତ ଗଡ଼ଜାତ ରାଜା ନିଜ ନିଜ ରାଜ୍ୟରେ ପ୍ରଜାମଣ୍ଡଳ ଜରିଆରେ ଗୋଟିଏ ଗୋଟିଏ ଦାୟିତ୍ୱପୂର୍ଣ୍ଣ ସରକାର ଗଠନ କରିସାରିଥାଆନ୍ତି । କେହି କିନ୍ତୁ ନିଜ ନିଜ ରାଜ୍ୟରେ ଗଠନ କରିିବା ମନ୍ତ୍ରିମଣ୍ଡଳ କଥା ଉଠାଇଲେ ନାହିିଁ । କେବଳ ମୟୂରଭଂଜ ରାଜା କହିଲେ, "ମୋ ରାଜ୍ୟର ମନ୍ତ୍ରିମଣ୍ଡଳ ସହ ପରାମର୍ଶ କରିବି, କାରଣ ସେମାନଙ୍କ ହାତରେ ରାଜ୍ୟର ସମସ୍ତ ପ୍ରକାର ଶାସନ ଅର୍ପଣ କରି ସାରିଛି । ଆଉ କେତେଜଣ ରାଜା ମଧ୍ୟ ସମୟ ନେଲେ ଚିନ୍ତା କରିବା ପାଇଁ । କେନ୍ଦ୍ର ଆଇନ ସଚିବ ମିଶ୍ରଣ ଦଲିଲରେ ବିଷୟବସ୍ତୁ ପଢ଼ି ଶୁଣାଇଦେଲେ । ସେହିଦିନ ପ୍ରାୟ ଅଧିକାଂଶ ରାଜା ମହାରାଜା ମିଶ୍ରଣ ଦଲିଲରେ ଦସ୍ତଖତ କରିଦେଲେ । ଆଉ ଯେଉଁମାନେ ରହିଲେ ସେମାନେ ୧୫ ତାରିଖ ସକାଳେ ଦସ୍ତଖତ କରିଦେଲେ । କିନ୍ତୁ କଳାହାଣ୍ଡି ମହାରାଜା ଡେରିରେ ସର୍ବଶେଷରେ ଦସ୍ତଖତ କଲେ । ସେଥିପାଇଁ ସର୍ଦ୍ଦାର ପଟେଲଙ୍କୁ ଅପେକ୍ଷା କରିବାକୁ ପଡ଼ିିଲା । ଶେଷରେ କଳାହାଣ୍ଡି ମହାରାଜା ଅଭିଯୋଗ କଲେ କି, ମିଃ ମେନନ୍‍ (ଭାରତ ସରକାରଙ୍କ ରାଜ୍ୟ ବିଭାଗ ସଚିବ) ତାଙ୍କଠାରୁ ଜୋରକରି ମିଶ୍ରଣ ଦଲିଲରେ ଦସ୍ତଖତ କରି ନେଇଛନ୍ତି । ଏହି ଅଭିଯୋଗ ମଧ୍ୟ ଗାନ୍ଧିଜୀଙ୍କ ପାଖରେ ପହଞ୍ଚିିଥିଲା ।

ମୟୂରଭଞ୍ଜକୁ ଛାଡ଼ି ଅନ୍ୟ ୨୫ଟି ଗଡ଼ଜାତ ରାଜ୍ୟ ମିଶ୍ରଣ ଚୁକ୍ତିରେ ଦସ୍ତଖତ କରିଦେଲେ । ମୟୂରଭଞ୍ଜ ଏକ ଆଦିବାସୀ ରାଜ୍ୟ ହୋଇଥିବାରୁ ସର୍ଦ୍ଦାର ପଟେଲ ମୟୂରଭଞ୍ଜ ରାଜାଙ୍କ ଇଚ୍ଛାକୁ ଅନୁମତି ଦେଲେ । ହେଲେ ଗୋଟିଏ ବର୍ଷ ଭିତରେ ମୟୂରଭଞ୍ଜରାଜା ତାଙ୍କ ସରକାରଙ୍କ କାର୍ଯ୍ୟକଳାପରେ ବ୍ୟସ୍ତ ବିବ୍ରତ ହୋଇପଡ଼ିଲେ । ରାଜ୍ୟର ପ୍ରଜାମାନେ ଭଲରେ ରହିବା ପାଇଁ ଇଚ୍ଛାକଲେ । ନିଜ ରାଜ୍ୟକୁ ଶୀଘ୍ର ଦେଶ ହାତରେ ଟେକି ଦେବାପାଇଁ ଇଚ୍ଛାପ୍ରକାଶ କଲେ । ଫଳରେ ସର୍ଦ୍ଦାର ପଟେଲ ସରକାରଙ୍କ ତରଫରୁ ପ୍ରତିନିଧି ପଠାଇ ମିଶ୍ରଣ ଦଲିଲରେ ମୟୂରଭଞ୍ଜ ରାଜାଙ୍କ ଠାରୁ ଦସ୍ତଖତ କରି ଆଣିଲେ । ୧.୧.୧୯୪୯ରେ ଭାରତ ସରକାର ମୟୂରଭଞ୍ଜକୁ ଓଡ଼ିଶା ସରକାରଙ୍କ ହାତରେ ଅର୍ପଣ କଲେ ।

ସମସ୍ତ ଗଡ଼ଜାତରାଜ୍ୟ ଓଡ଼ିଶା ପ୍ରଦେଶ ସହ ମିଶିଲେ । ଅଧିକାଂଶ ରାଜା ସନ୍ତୋଷ ପ୍ରକାଶ କଲେ ଯେ ସର୍ଦ୍ଦାର ବଲ୍ଲଭ ଭାଇ ତାଙ୍କପାଇଁ ହାତପାଣ୍ଠି ସହ ଅନ୍ୟାନ୍ୟ ସୁବିଧା ତ‌ଥା ସୁରକ୍ଷା ବ୍ୟବସ୍ଥା କରିଦେଲେ । ଆଉ କେତେକ ଅସନ୍ତୋଷରେ କାଳକାଟିଲେ । ସେମାନେ ମିଶ୍ରଣ ଦଲିଲରେ ଦସ୍ତଖତ କରିସାରିବା ପରେ ବି 'ଇଉନିଅନ ଆନ୍ଦୋଳନ' ଷଡ଼ଯନ୍ତ୍ରରେ ଲାଗିପଡ଼ିଲେ । ଗୁପ୍ତ

୭୨ . ଓଡ଼ିଶା ରାଜନୀତିର ଇତିହାସ