ପୃଷ୍ଠା:Odisha Rajanitira Itihasa.pdf/୭୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଅଷ୍ଟମ ପରିଚ୍ଛେଦ
ହରେକୃଷ୍ଣ ଦିଲ୍ଲୀ ଗଲେ,
ନବକୃଷ୍ଣ ମୁଖ୍ୟମନ୍ତ୍ରୀ ହେଲେ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଦିଲ୍ଲୀ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଯୋଗଦେବା ଓ ତାଙ୍କ ସ୍ଥାନରେ ନବକୃଷ୍ଣ ଚୌଧୁରୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପ୍ରସଙ୍ଗ ଆଲୋଚନା କରିବା ପୂର୍ବରୁ ସେ ୧୯୪୮ ମସିହା ଏପ୍ରିଲ ୨୩ ତାରିଖରେ ମହତାବ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ପ୍ରସଙ୍ଗ ଏଠାରେ ପ୍ରଥମେ ଆଲୋଚନା କଲେ ପ୍ରାସଙ୍ଗିକ ହେବ ।

ଓଡ଼ିଶା ପାଇଁ ତାଙ୍କର ଆବଶ୍ୟକତା ଥିବା ସମୟରେ ନବବାବୁ ମନ୍ତ୍ରିମଣ୍ଡଳରୁ ଇସ୍ତଫା ପ୍ରଦାନ କଲେ । ନିଜର ଇସ୍ତଫା ସମ୍ପର୍କରେ ନବବାବୁ କହନ୍ତି-

"ଆମେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଯାହା ଭାବି ଚାଲିିଥିଲୁ, ମୁଁ ଦେଖିଲି ମନ୍ତ୍ରିମଣ୍ଡଳର ସେ ଆଭିମୁଖ୍ୟ ରହିପାରିଲା ନାହିଁ । ବରଂ ଓଲଟା ହେଲା । ତେଣୁ ଲୋକଙ୍କ ସହିତ କିଛି ସମ୍ପର୍କ ରହିଲା ନାହିଁ । ସବୁ ମୂଳରେ ଲୋକ । ସେମାନେ ଯଦି ତାଙ୍କ ବଳ ଅନୁଭବ ନ କରନ୍ତି, ସେମାନେ ଯଦି ନ ଭାବନ୍ତି ଯେ ସେମାନେ ହିଁ ମୂଳ ତେବେ ସ୍ୱରାଜ୍ୟ ଆଉ କ'ଣ ହେଲା ? ସେତିକିବେଳେ ଠିକ୍‍ ଗାନ୍ଧିଙ୍କର ହତ୍ୟା ଓ ମୋ ପୁଅର ମୃତ୍ୟୁ ଏକ ସଙ୍ଗରେ ହେଲା । ମୁଁ ଭାରି ବିବ୍ରତ ହୋଇପଡ଼ିଲି । ତାହାରି ଭିତରେ ରାଜନୀତି ପ୍ରତି ଗୋଟିଏ dilillusionment ମଧ୍ୟ ଅତି ତୀବ୍ର ହେଉଥାଏ । ମୋର ଧାରଣା ହେଲା ଯେ ଆମର ରାଜନୀତିରେ ରହିବାଟା ଭୁଲ୍‍ । ତେଣୁ ୧୯୪୮ରେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇ ମୌଳିକ ଶିକ୍ଷା ଦାୟିତ୍ୱରେ ରହିଲି ।" (ନବବାବୁଙ୍କ ସହ ଏକ ସାକ୍ଷାତକାରରୁ ଉଦ୍ଧୃତ- 'ଶ୍ରଦ୍ଧାଞ୍ଜଳି')

ବାସ୍ତବରେ ନବବାବୁଙ୍କର ଏକମାତ୍ର ପୁତ୍ର ବିନୟ ଚୌଧୁରୀ । ଡାକନାମ 'କାଲୁ' । ସେ ଥିଲେ ଜଣେ ଆଦର୍ଶଗୁଣସମ୍ପନ୍ନ ବାଳକ । ବୟସ ସେତେବେଳକୁ ୧୭ ବର୍ଷ । ତରୁଣ । ରେଭେନ୍‌ସା

ଓଡ଼ିଶା ରାଜନୀତିର ଇତିହାସ . ୭୫