ପୃଷ୍ଠା:Odisha Rajanitira Itihasa.pdf/୭୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି

କଲେଜର ପ୍ରଥମ ବର୍ଷ ବିଜ୍ଞାନ ଶ୍ରେଣୀର ଛାତ୍ର । ସେ ଥିଲେ ଅସାଧାରଣ ଶକ୍ତିସଂପନ୍ନ । ମନ୍ତ୍ରୀଙ୍କର ପୁଅ; ମା ଜଣେ ବିଶିଷ୍ଟ ନାରୀନେତ୍ରୀ- ମାଳତୀ ଦେବୀ ଚୌଧୁରୀ । କିନ୍ତୁ ସେ କଟକ ସହରରେ ସାଇକେଲରେ ବୁଲି 'କୃଷକ' ଖବର କାଗଜ ବିକ୍ରୀ କରୁଥିଲେ । କଟକରେ ସୋସାଲିଷ୍ଟ ପାର୍ଟି ଉଦ୍ୟମରେ ମେହେନ୍ତର ସଂଗଠନ କରାଗଲା । ସେ ହେଲେ ଏହାର ମୁଖ୍ୟ ଉଦ୍ୟୋକ୍ତା । ଛାତ୍ର ଓ ଯୁବଶକ୍ତିକୁ ଆକର୍ଷଣ କରିବା ପାଇଁ ତାଙ୍କ ପାଖରେ ଥିଲା ଅସୀମ ଶକ୍ତି । ତାଙ୍କ ପାଇଁ ଥିଲା ଏକ ଉଜ୍ଜ୍ୱଳ ଭବିଷ୍ୟତ । ହେଲେ ସେ ପୋଟାସିୟମ ଫେରୋସାଏନାଇଡ୍‍ ଖାଇ ଆତ୍ମହତ୍ୟା କଲେ । କାରଣ କ'ଣ କେହି ଜାଣିପାରିଲେ ନାହିଁ । ଏକମାତ୍ର ପୁତ୍ରର ଆତ୍ମହତ୍ୟା ଘଟଣାରେ ନବବାବୁ ଓ ମାଳତୀ ଦେବୀ ମ୍ରିୟମାଣ ହୋଇ ପଡିବା ସ୍ୱାଭାବିକ । ଫଳରେ ସେ ଇସ୍ତଫା ଦେଇ ଚାଲିଗଲେ ଅନୁଗୁଳକୁ । କିନ୍ତୁ ଜମିଜମା କମିଟିର ସଭାପତି ଭାବରେ କାର୍ଯ୍ୟ କଲେ । ୧୯୪୯ ମସିହା ଜୁଲାଇ ମାସରେ ଏ ସଂକ୍ରାନ୍ତୀୟ ରିପୋର୍ଟ ପ୍ରଦାନ କଲେ ।

ନବବାବୁଙ୍କ ଇସ୍ତଫାର କାରଣ ସମ୍ପର୍କରେ ହରେକୃଷ୍ଣ ମହତାବ ମଧ୍ୟ ସନ୍ଦିଗ୍ଧ ଥିଲେ । ମହତାବବାବୁ ନବ ବାବୁଙ୍କ ଇସ୍ତଫା ସମ୍ପର୍କରେ କହନ୍ତି-

"୧୯୪୮ ମସିହା ଏପ୍ରିଲ ୨୩ ତାରିଖରେ ନବକୃଷ୍ଣ ଚୌଧୁରୀ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ । ଅବଶ୍ୟ ତାଙ୍କର ଏକମାତ୍ର ପୁତ୍ରର ଆତ୍ମହତ୍ୟା ଏଇ ଇସ୍ତଫାର କାରଣ ଥିଲା ବୋଲି ସେ କହିଲେ ଓ ଆମେ ବିଶ୍ୱାସ କଲୁ । କିନ୍ତୁ ମୋ ମନର ଏକ କୋଣରେ ପ୍ରଚ୍ଛନ୍ନ ସନ୍ଦେହ ରହିଗଲା ଯେ, ସେ ମନ୍ତ୍ରିମଣ୍ଡଳରେ ସୁସ୍ଥ ଅନୁଭବ କଲେନାହିଁ । ଯେଉଁମାନଙ୍କ ସହ କଂଗ୍ରେସ ସମାଜବାଦୀ ଦଳ ଗଠନ, ଗଡ଼ଜାତ ଆନ୍ଦୋଳନ ଇତ୍ୟାଦି କରି ଆସିିଥିଲେ, ସେମାନେ ମୋଠାରୁ ନିଜକୁ ଅଲଗା କରିନେଇଥିଲେ ଯଥା: ମାଳତୀ ଦେବୀ, ସାରଙ୍ଗଧର ବାବୁ ଇତ୍ୟାଦି । ସମସ୍ତଙ୍କୁ ସବୁ କଥା ପଚାରି ବୁଝାଇ ଏକମତ କରାଇ ହୁଏତ ମୁଁ କରିପାରିଲି ନାହିଁ ।" (ସାଧନାର ପଥେ...)

ପୁତ୍ର ବିୟୋଗରେ ନବବାବୁ ଅତି ଦୁଃଖରେ କାଳାତିପାତ କରୁଥିଲେ । ତାଙ୍କୁ କୌଣସି କାର୍ଯ୍ୟରେ ନିଯୁକ୍ତି ଦେଲେ ଅବଶ୍ୟ ତାଙ୍କର ଏଇ ଦୁଃଖ ଲାଘବ ହୋଇଯିବ ଭାବି ସେବାଗ୍ରାମର ମୌଳିକ ଶିକ୍ଷା କଥା ବୁଝୁଥିବା ଆର୍ଯ୍ୟ ନାୟକମ ଓ ଆଶାଦେବୀ ଚିନ୍ତା କଲେ । ସେମାନେ ଦି' ଜଣଯାକ ଥିଲେ ନବବାବୁ ଓ ମାଳତୀ ଦେବୀଙ୍କର ଘନିଷ୍ଠ ବନ୍ଧୁ । ନବବାବୁଙ୍କୁ ଓଡ଼ିଶା ପାଇଁ ମୌଳିକ ଶିକ୍ଷା ସଂଗଠକ ଦାୟିତ୍ୱ ଦେବା ନିମନ୍ତେ ଆର୍ଯ୍ୟ ନାୟକମ୍‍ ଓ ଆଶାଦେବୀ ଓଡ଼ିଶା ସରକାରଙ୍କୁ ପ୍ରସ୍ତାବ ଦେଲେ । ଏହି ପ୍ରସ୍ତାବରେ ଓଡ଼ିଶା ସରକାର ଓ ନବବାବୁ ସମ୍ମତି ପ୍ରଦାନ କଲେ । ଫଳରେ ନବବାବୁଙ୍କୁ ବିଧାନସଭା ସଭ୍ୟପଦରୁ ଇସ୍ତଫା ଦେବାପାଇଁ ପଡ଼ିଲା । ସେ ନିର୍ବାଚିତ ହୋଇଥିବା ଉତ୍ତର କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ଇସ୍ତଫା ପ୍ରଦାନ କଲେ । (ଅନିର୍ବାଣ)

ନବବାବୁ ଅନୁଗୁଳରେ ରହୁଥିବାରୁ ମୌଳିକ ଶିକ୍ଷା ସଂଗଠକଙ୍କ ଅଫିସ୍‍ ଅନୁଗୁଳରେ ଖୋଲିଲା । ସେ ସାଇକେଲରେ ଯିବା ଆସିବା କରି ବିଦ୍ୟାଳୟ ପରିଦର୍ଶନ କଲେ । କିଛି ଦିନ ପରେ ତାଙ୍କୁ ଏକ ଜିପ୍‍ ଗାଡ଼ି ମିଳିଲା । ନବବାବୁ ସରକାରୀ ଚାକିରିଆ ହୋଇଗଲେ । ଏହି

୭୬ . ଓଡ଼ିଶା ରାଜନୀତିର ଇତିହାସ