ପୃଷ୍ଠା:Odisha Rajanitira Itihasa.pdf/୮୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନବବାବୁ କହନ୍ତି- "ଏହି ରାଜି ହେବାଟା ଗୋଟାଏ Illusion weakness ହେଲା ବୋଧହୁଏ । ମୁଁ ଭାବିଲି, କ୍ଷମତା ବାହାରେ ରହି କିଛି କରିହେଉନି । କ୍ଷମତା ଭିତରେ ରହିଲେ ବୋଧହୁଏ କରିହେବ । ସେହି ସମୟରେ ଦୁଇ ତିନିଟା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେଲା, କଂଗ୍ରେସ କର୍ମୀମାନେ ହାରିଗଲେ ।(ଶ୍ରଦ୍ଧାଞ୍ଜଳି)

ଏହା ପରେ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ଓଡ଼ିଶାର ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବଙ୍କୁ ଚିଠି ଲେଖିଲେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଯୋଗଦାନ ପାଇଁ । ମହତାବବାବୁ କେନ୍ଦ୍ରକୁ ଯାଉଛନ୍ତି ଜାଣି ଓଡ଼ିଶାର ବୁଦ୍ଧିଜୀବୀ, ନେତୃବର୍ଗ ଓ ସାଧାରଣ ଲୋକଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ସୃଷ୍ଟି ହେଲା । କେତେକ କହିଲେ, ମହତାବ ବାବୁ କେନ୍ଦ୍ରକୁ ଗଲେ ଓଡ଼ିଶାର ଗୌରବ ବୃଦ୍ଧିପାଇବ । ଆଉ କେତେକ ଏହାକୁ ନାପସନ୍ଦ କଲେ । ଯାହାହେଉ ଶେଷରେ ମହତାବ ବାବୁ ଚିଠି ଲେଖି ତାଙ୍କର ସମ୍ମତି ପଣ୍ଡିତ ନେହେରୁଙ୍କୁ ଜଣାଇ ଦେଲେ କେନ୍ଦ୍ର କ୍ୟାବିନେଟ୍‍ରେ ଯୋଗଦେବା ପାଇଁ ।

କେନ୍ଦ୍ରରେ ଗଠିତ ହୋଇଥାଏ ମଧ୍ୟବର୍ତ୍ତୀକାଳୀନ ସରକାର । ଏହା କାର୍ଯ୍ୟ କରିବ ୧୯୫୦-୫୨ ଯାଏ, ଅର୍ଥାତ୍ ପ୍ରଥମ ସାଧାରଣ ନିର୍ବାଚନ ହେବା ଯାଏ । ମହତାବବାବୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଯୋଗଦାନ କରି ପୂର୍ବ ଭଦ୍ରକ ବିଧାନସଭା ଆସନରୁ ଇସ୍ତଫା ପ୍ରଦାନ କଲେ । ତାଙ୍କ ପାଇଁ କାର୍ଯ୍ୟକାରୀ ସଂସଦରେ ଥିବା ଓଡ଼ିଶା ପ୍ରତିନିଧି ମୋତିଲାଲ ପଣ୍ଡିତ ସ୍ଥାନ ଖାଲି କରିଦେଲେ । ହରେକୃଷ୍ଣ ମହତାବ ମୋତିଲାଲ ପଣ୍ଡିତଙ୍କ ସ୍ଥାନରେ ୧୯୫୧ରେ ନିର୍ବାଚିତ ହୋଇ କାର୍ଯ୍ୟକାରୀ ସଂସଦର ସଭ୍ୟ ହେଲେ । ହରେକୃଷ୍ଣ ମହତାବ ହେଲେ କେନ୍ଦ୍ର କ୍ୟାବିନେଟ୍‍ରେ ଶିଳ୍ପ ଓ ଯୋଗାଣ ବିଭାଗ ମନ୍ତ୍ରୀ ।

୮୦ . ଓଡ଼ିଶା ରାଜନୀତିର ଇତିହାସ