ପୃଷ୍ଠା:Odisha Rajanitira Itihasa.pdf/୮୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଓଡ଼ିଶାର ରାଜଧାନୀ କଟକଠାରେ ସରଳ ଓ ନିରାଡମ୍ବର ଭାବରେ ଏହି ଉତ୍ସବ ପାଳିତ ହେଲା । ପ୍ରାତଃ କାଳର ଉଜ୍ୱଳ ସୂର୍ଯ୍ୟ କିରଣରେ ତ୍ରିରଙ୍ଗା ପତାକା ସହରର ପ୍ରତ୍ୟେକ କୋଠାବାଡିରେ ଫର ଫର ହୋଇ ଉଡୁଥିବାର ଦେଖାଗଲା । ପୋଲିସ ପଡ଼ିଆରେ ଅନୁଷ୍ଠିତ ହେଲା ପୋଲିସ ପ୍ୟାରେଡ୍‍ । ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଜନାବ୍‍ ଏମ୍‍. ଆସଫ୍‍ ଅଲି ଓ ମାନ୍ୟବର ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବ ଏହି ପ୍ୟାରେଡ୍‌ରେ ମିଳିତ ଭାବରେ ଅଭିବାଦନ ଗ୍ରହଣ କରି ଜାତି ଉଦ୍ଦେଶ୍ୟରେ ଭାଷଣ ପ୍ରଦାନ କଲେ । ମାନ୍ୟବର ମନ୍ତ୍ରୀ ନିତ୍ୟାନନ୍ଦ କାନୁନ୍‌ଗୋ ସ୍ୱାଧୀନତା ସଂଗ୍ରାମର ପ୍ରାଣକେନ୍ଦ୍ର ସ୍ୱରାଜ ଆଶ୍ରମଠାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଗହଣରେ ତ୍ରିରଙ୍ଗା ପତାକା ଉତ୍ତୋଳନ କଲେ ।

ଅପରାହ୍ନ ଦୁଇଟାରେ ସ୍ୱରାଜ ଆଶ୍ରମଠାରେ 'ସୂତ୍ରଯଜ୍ଞ' ଉତ୍ସବ ଅନୁଷ୍ଠିତ ହେଲା । ଏହି ଉତ୍ସବରେ ଜନସାଧାରଣଙ୍କ ସହ ବହୁ ଯୁବକ ଯୁବତୀ, ବାଳକ ବାଳିକା ଯୋଗଦାନ କଲେ । ଅପରାହ୍ନ ଚାରିଟାରେ ସ୍ୱରାଜ ଆଶ୍ରମଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରିଲା । ଏହି ଶୋଭାଯାତ୍ରାରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସମେତ ବହୁ ସାଧାରଣ ଲୋକ ଯୋଗଦେଲେ । ଛାତ୍ର-ଛାତ୍ରୀମାନେ ଆଗରେ ରହି ଜାତୀୟସଙ୍ଗୀତ ଗାନକରି ଚାଲିଥାଆନ୍ତି । ଭାରତମାତା ଓ ମହାତ୍ମାଗାନ୍ଧୀଙ୍କ ଜୟଧ୍ୱନିରେ କଟକ ସହରର ଗଗନପବନ ମୁଖରିତ ହୋଇ ଉଠୁଥାଏ । ଶୋଭାଯାତ୍ରା ମୁଖ୍ୟରାସ୍ତା ଦେଇ ଯାଉଥିବା ସମୟରେ ବିଭିନ୍ନ ସ୍ଥାନରେ ଲୋକେ ସେଥିରେ ଯୋଗଦେବାରେ ଲାଗିଥାଆନ୍ତି । ଧୀରେ ଧୀରେ ଶୋଭାଯାତ୍ରାରେ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିଲା । ଶୋଭାଯାତ୍ରା ସନ୍ଧ୍ୟା ଛ'ଟାରେ ଯାଇ ଟାଉନ୍‍ହଲ୍‍ ପାଖରେ ପହଞ୍ଚିଲା । ଏଠାରେ ଏକ ବିରାଟ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବ ଉଦ୍‍ବୋଧନ ଦେଲେ । ସନ୍ଧ୍ୟାରେ କଟକର ରାଜଭବନଠାରେ (ବର୍ତ୍ତମାନ ଯେଉଁଠାରେ ଶିଶୁଭବନ ରହିଛି) 'ପାନସୁପାରୀ' ମହୋତ୍ସବ ଅନୁଷ୍ଠିତ ହେଲା । ରାଜ୍ୟପାଳ ଏହି ଉତ୍ସବରେ ପୌରୋହିତ୍ୟ କଲେ । ବହୁ ମାନ୍ୟଗଣ୍ୟ ବ୍ୟକ୍ତି 'ପାନସୁପାରୀ' ଉତ୍ସବରେ ଯୋଗଦାନ କଲେ ।

ରାଜଧାନୀ କଟକ ନଗର ବ୍ୟତୀତ ରାଜ୍ୟର ସମସ୍ତ ଅଞ୍ଚଳରେ ସ୍ୱାଧୀନତା ଦିବସ ଉତ୍ସବ ପାଳିତ ହୋଇଥିଲା । ପୂର୍ବତନ ଗଡ଼ଜାତ ରାଜ୍ୟ ସଦର ମହକୁମାମାନଙ୍କରେ ମଧ୍ୟ ଉତ୍ସବ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହେଲା । ତନ୍ମଧ୍ୟରୁ କଳାହାଣ୍ଡି, ସୁନ୍ଦରଗଡ଼, କେନ୍ଦୁଝର ଓ ଡେଙ୍କାନାଳର ଉତ୍ସବର ବିବରଣୀ ଏଠାରେ ଉଲ୍ଲେଖନୀୟ :

କଳାହାଣ୍ଡିର ସଦର ମହକୁମା ଭବାନୀପାଟଣା ସହର ଗାନ୍ଧୀଛକଠାରେ ସକାଳ ୬.୩୦ମିନିଟ୍‍ରେ ଏକ ପ୍ରାର୍ଥନା ସଭା ଅନୁଷ୍ଠିତ ହେଲା । ପ୍ରାର୍ଥନା ପରେ ୭.୩୦ ମିନିଟ୍‍ରେ ଏକ ବିରାଟ ଶୋଭାଯାତ୍ରା ସେଠାରୁ ବାହାରି ଅଭିବାଦନ ପଡ଼ିଆକୁ ଯାଇଥିଲା । ମାନ୍ୟବର କେ.ପି. ନନ୍ଦ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ଗୁର୍ଖା ମିଲିଟାରୀ ବାହିନୀଠାରୁ ଅଭିବାଦନ ଗ୍ରହଣ କଲେ । ମାନ୍ୟବର ନନ୍ଦ ତାଙ୍କ ଭାଷଣରେ ସରକାରଙ୍କର ଏକ ବର୍ଷର ସଫଳତା ସମ୍ପର୍କରେ ସଂକ୍ଷିପ୍ତ ସୂଚନା ସହ ଜନସାଧାରଣଙ୍କୁ କହିିଲେ, "କେତେକ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଗଣତାନ୍ତ୍ରିକ ସରକାରଙ୍କୁ ହଟାଇ ନିଜେ କ୍ଷମତାକୁ ଫେରିବେ ବୋଲି କହିବୁଲୁଛନ୍ତି । ଆପଣମାନେ ସେମାନଙ୍କ ବିବୃତି ପ୍ରତି କର୍ଣ୍ଣପାତ କରନ୍ତୁ ନାହିଁ । ଆପଣମାନେ ନିଜ ଭାଗ୍ୟ ଓ ଭବିଷ୍ୟତ କଥା ନିଜେ ହିଁ ଚିନ୍ତା କରନ୍ତୁ ।"

୮୬ . ଓଡ଼ିଶା ରାଜନୀତିର ଇତିହାସ