ପୃଷ୍ଠା:Odisha Rajanitira Itihasa.pdf/୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ପ୍ରଥମ ପରିଚ୍ଛେଦ
୧୯୩୬ର ରାଜନୈତିକ ପୃଷ୍ଠଭୂମି

ଆମ ରାଜ୍ୟ ଓଡ଼ିଶା ଏକ ପ୍ରାଚୀନ ରାଜ୍ୟ । ପୂର୍ବେ ଏହାର ନାମ ଥିଲା, 'କଳିଙ୍ଗ' ଓ 'ଉତ୍କଳ' । ଏହାର ଶ୍ରେଷ୍ଠତା ଶାସ୍ତ୍ର-ପୁରାଣମାନଙ୍କରେ ଲିପିବଦ୍ଧ । କପିଳ ସଂହିତାରେ ଲେଖାଯାଇଛି :

ବର୍ଷାଣାଂ ଭାରତଃ ଶ୍ରେଷ୍ଠୋ ଦେଶାନାମୁତ୍କଳଃ ଶ୍ରୁତଃ,
ଉତ୍କଳସ୍ୟ ସମୋ ଦେଶୋ ଦେଶୋ ନାସ୍ତି ମହୀତଳେ ॥

ଏହି ଶ୍ଲୋକର ଅର୍ଥ ସହଜରେ ବୁଝିହେଉଛି । ବର୍ତ୍ତମାନ ଆମ ରାଜ୍ୟର ନାମ ଓଡ଼ିଶା ।

ସେହିପରି କବିବର ରାଧାନାଥ ରାୟ ଉତ୍କଳ ସଂପର୍କରେ ଲେଖିଯାଇଛନ୍ତି-

ଭାରତ ପଙ୍କଜ ଦଳମିଦ ମୁତ୍କଳ ମଣ୍ଡଳମିତି ବିଦିତଂ ଯତ୍‍ ।
ତସ୍ୟ କୃତେ ବୟମତ୍ର ସମେତା ବହିତ୍ରୋତ୍କଳ-ସଂସଦ ।

ମହାଭାରତ ଯୁଦ୍ଧ ପୂର୍ବରୁ ଗୋଦାବରୀ ନଦୀଠାରୁ ଦାମୋଦର ନଦୀ ଓ ମହୋଦଧି ପୁରୀଠାରୁ ପଶ୍ଚିମର ରାଏଗଡ଼ ମଧ୍ୟରେ ଅନେକ କ୍ଷୁଦ୍ର ରାଜ୍ୟ ମୁଣ୍ଡ ଟେକିିଥିଲା । ଦକ୍ଷିଣର ଉପକୂଳ ଅଞ୍ଚଳକୁ ଦକ୍ଷିଣ କଳିଙ୍ଗ; ଉତ୍ତର ଉପକୂଳ ଅଞ୍ଚଳ ଯଥା; ସିଂହଭୂମ, ମୟୂରଭଞ୍ଜ, ମେଦିନପୁର ଓ କଟକକୁ ଉତ୍ତରକଳିଙ୍ଗ, ମଧ୍ୟ ଅଞ୍ଚଳକୁ ମଧ୍ୟ କଳିଙ୍ଗ ବୋଲି କୁହାଯାଉଥିଲା । ସୋନପୁର ଓ ସମ୍ବଲପୁରକୁ କୋଶଳ ରାଜ୍ୟ; କଳାହାଣ୍ଡି, ଜୟପୁର, ବସ୍ତରକୁ ନେଇ ମୂଷିକ ରାଜ୍ୟ ଗଢ଼ି ଉଠିିଲା । କ୍ରମେ ଉତ୍ତର କଳିଙ୍ଗ ଉତ୍କଳିଙ୍ଗ ନାମରେ ପରିଚିତ ହୋଇ ଧୀରେ ଧୀରେ ଉତ୍କଳ ହେଲା । xxx ପ୍ରତାପ ରୁଦ୍ରଙ୍କ ରାଜତ୍ୱକାଳ (୧୪୯୫-୧୫୩୨)ରେ ଏହିସବୁ ଅଞ୍ଚଳ ମିଶି ଉତ୍କଳ ସାମ୍ରାଜ୍ୟ ଗଠିତ ହେଲା । ଏହାର ଶାସକ ହେଲେ ଗଜପତି ରାଜାମାନେ । ଏହା ପରେ ମୋଗଲ, ମରହଟ୍ଟା ଓ ଇଂରେଜ ଶାସନ କାଳରେ ଉତ୍କଳ ଶାସିତ ହୋଇ ଖଣ୍ଡ ବିଖଣ୍ଡିତ ହେଲା ।

ଓଡ଼ିଶା ରାଜନୀତିର ଇତିହାସ .