ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୦୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପଢ଼ିବ - ସେମାନେ ପ୍ରତିବେଶୀ ଜାତିମାନଙ୍କ ଦ୍ବାରା ଓ ସମାଦୃତ ସମ୍ମାନିତ ହେବେ । ପ୍ରଗାଢ଼ ପ୍ରୟାସ ଫଳରେ ଉତ୍କଳୀୟମାନଙ୍କ ଲଲାଟରୁ କାଳିମା ରେଖା ଲିଭିଯିବ । ଶ୍ରଦ୍ଧା ଓ ଭକ୍ତିରେ ପୁଣି ନବଜୀବନ ବିକଶି ଉଠିବ । ସାହସୀ , ରାଜନୀତିନିପୁଣ ଓଡ଼ିଆମାନଙ୍କ ଘନ ଘନ ଆନ୍ଦୋଳନ , ଆବେଦନ ଫଳରେ ଓଡ଼ିଶା ପୁଣି ପୂର୍ଣ୍ଣାଙ୍ଗପ୍ରାପ୍ତ ପ୍ରଭାମଣ୍ଡିତ ହୋଇଉଠିବ- ଓଡ଼ିଆଭାଷୀ ଅଞ୍ଚଳ ସବୁ ଏକ ଶାସନାଧୀନ ହେବ ।

ଉପରୋକ୍ତ ଉଦ୍ଧୃତିରେ ଭରି ରହିଥିବା ଉଦଗ୍ର ଜାତିପ୍ରେମ, ଦୂର ଦୃଷ୍ଟି ଓ ସଦ୍ ଭାବନା ଦୀର୍ଘ ୬୦ ବର୍ଷ ପୂର୍ବରୁ ପ୍ରକାଶିତ ବୀର ଓଡ଼ିଆ ଶୀର୍ଷକ ଏକ ଉପନ୍ୟାସର ଜଣେ ସନ୍ୟାସୀ ଚରିତ୍ର ମୁଖରେ ବରେଣ୍ୟ ସାହିତ୍ୟିକ ରାମଚନ୍ଦ୍ର ଆଚାର୍ଯ୍ୟ ପ୍ରକାଶ କରିଛନ୍ତି । ଯେମିତି ଦୃଢ଼ ଆଶା , ସେମିତି ଉଚ୍ଚ ଭାଷା । ଏହି ଉକ୍ତିର ପ୍ରାସଙ୍ଗିକତା ଏବେ ବହୁ ଗୁଣିତ ହୋଇ ଅନୁଭୂତ ହୋଇଛି । ୧୮୯୬ ମସିହାରେ ବ୍ରହ୍ମପୁର ନିବାସୀ ଗଣେଶ ଆଚାର୍ଯ୍ୟଙ୍କ ଔରସରୁ ରାମଚନ୍ଦ୍ର ତାଙ୍କ ମାତୁଳାଳୟ ଶେରଗଡ଼ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ପରିବାରର ଆର୍ଥିକାବସ୍ଥା ଖରାପ ଥିଲେ ହେଁ ଗଣେଶଙ୍କ ମନୋବଳ ଗଭୀର ନିଷ୍ଠା ଅତୁଟ ଥିଲା । ସେ ନ୍ୟାୟୋଚିତ ଭାବରେ ନିଜର ପରିବାର ପ୍ରତିପୋଷଣ କରିଥିଲେ । ଅଭାବ ଅନଟନ ମଧ୍ୟରେ ଅଧ୍ୟୟନ କରି ରାମଚନ୍ଦ୍ର ଶିକ୍ଷକତାକୁ ଜୀବିକା ଭାବରେ ଗ୍ରହଣ କରିଥିଲେ ଏବଂ ୧୯୩୪ ମସିହା ଜାନୁୟାରୀ ୭ ତାରିଖରେ ଇହଳୀଲା ସାଙ୍ଗ କରିଥିଲେ ।

ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ରାମଚନ୍ଦ୍ର ନିଜର ସ୍ବଳ୍ପ ୩୮ ବର୍ଷର ଜୀବନ କାଳ ମଧ୍ୟରେ ପ୍ରାୟ ଏକଶତ ଉପନ୍ୟାସ , ଜୀବନୀ, ପ୍ରବନ୍ଧ ,ଅଭିଧାନ ଓ ସର୍ବୋପରି ଶିଶୁ ସାହିତ୍ୟ ରଚନା କରିଛନ୍ତି ।ଏଥିପାଇଁ ସେତେବେଳେ ଅନୁନ୍ନତ ଲିଖନ ସାମଗ୍ରୀକୁ ନେଇ ସୀମିତ ତଥା ବାଧିତ ପରିବେଶ ମଧ୍ୟରେ ସେ ଏପରି ବିପୁଳ ସାହିତ୍ୟ ସୃଷ୍ଟି କରିବା ଯେମିତି ବିସ୍ମୟକର , ସେମିତି ସାଧନା ସାପେକ୍ଷ ।ବ୍ରହ୍ମପୁରସ୍ଥ ଷ୍ଟୁଡେଣ୍ଟସ୍ ଷ୍ଟୋର ତାଙ୍କର ସମସ୍ତ ପୁସ୍ତକ ପ୍ରକାଶ କରିଥିଲେ । ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ ଯଥାର୍ଥରେ କହିଛନ୍ତି, ରାମଚନ୍ଦ୍ରଙ୍କ ପୁସ୍ତକ ଗୁଡ଼ିକୁ ପ୍ରକାଶ କରି 'ଷ୍ଟୋର୍' ଯେପରି ତାଙ୍କୁ ଉତ୍ସାହିତ କରୁଥିଲେ , ସେହିପରି ରାମଚନ୍ଦ୍ର ମଧ୍ୟ 'ଷ୍ଟୋର୍' ର ବ୍ୟବସାୟିକ ଅଭିବୃଦ୍ଧି ପାଇଁ ସେମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବହୁପାଠ୍ୟ ପୁସ୍ତକ ପ୍ରସ୍ତୁତ କରିଥିଲେ । ରାମଚନ୍ଦ୍ରଙ୍କ ଲିଖିତ ପୁସ୍ତକ ଗୁଡ଼ିକ ସେତେବେଳେ ପ୍ରଥମ ଶ୍ରେଣୀଠାରୁ ସ୍ନାତକ ଶ୍ରେଣୀ ପର୍ଯ୍ୟନ୍ତ ସବୁ ସ୍ତରରେ ପାଠ୍ୟ ପୁସ୍ତକ ପ୍ରଚଳିତ ଥିଲା ।