ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୦୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପଣ୍ଡିତ ଶ୍ରୀଧର ମହାପାତ୍ର ସଂସ୍କୃତ କାବ୍ୟକାରଙ୍କର ଅନୂଭୁତିସିଦ୍ଧ ଭକ୍ତିରେ ତାଙ୍କ ସଂକଳିତ ଓଡ଼ିଆ ପ୍ରକାଶନ ଓ ପ୍ରସାରଣର ଇତିହାସ ଗ୍ରନ୍ଥ ପ୍ରସ୍ତୁତି ପଛରେ ଥିବା କ୍ଲେଶକୁ ଯେଭଳି ପ୍ରକାଶ କରିଛନ୍ତି ରାମଚନ୍ଦ୍ରଙ୍କ କ୍ଷେତ୍ରରେ ଏହାକୁ ଅଧିକ ସାର୍ଥକ ଭାବରେ ପ୍ରୟୋଗ କରାଯିବ ।

ଉକ୍ତ ଶ୍ଲୋକଟି ହେଲା :-


"ଚକ୍ର ପୃଷ୍ଟଂ କଚୀଗ୍ରାବାତୁଳ୍ୟ ଦୃଷ୍ଟିରଧୋମୁଖଃ ଦୁଖେଃନ ଲିଖିତଂ ଗ୍ରନ୍ଥ ପୁତ୍ରବତ୍ ପରିପାଳୟେତ୍ ।"

ଏହି ପ୍ରସଙ୍ଗରେ ରାମଚନ୍ଦ୍ରଙ୍କ ଶାରୀରିକ ଓ ମାନସିକ ଶ୍ରମ ତଥା ସାଧନା ସଂପର୍କୀୟ ଚିତ୍ରଟି ସୁଦର୍ଶନବାବୁଙ୍କ ବର୍ଣ୍ଣନୀରେ ଅତି ସ୍ପଷ୍ଟ ଓ ଜୀବନ୍ତ ହୋଇ ପାରିଛି । "ସେ ( ରାମଚନ୍ଦ୍ର ) ବିଦ୍ୟାଳୟରୁ ଫେରି ନିକଟସ୍ଥ ତାମିଲ ହୋଟେଲରେ କଫିପାନ ପରେ ସିଧାସଳଖ ସାନବଜାର ସ୍ଥିତ ଷ୍ଟୁଡେଣ୍ଟ୍ସ ଷ୍ଟୋର କାର୍ଯ୍ୟାଳୟରେ ଆସି ଉପସ୍ଥିତ ହେଉଥିଲେ । ସେଠାରେ ତାଙ୍କପାଇଁ ଏକ କୋଠରୀ ସୁରକ୍ଷିତ ଥିଲା । ସେ ସେହି କୋଠରୀରେ ଖଣ୍ଡେ ମସିଣା ଉପରେ ବସି ସାରସ୍ବତ ସାଧନାରେ ନିମଗ୍ନ ହୋଇ ପଢ଼ୁଥିଲେ । ପ୍ରଚୁର କଫି ଓ ତାମ୍ବୁଳ ଏବଂ ସାମୟିକ ଭାବେ ଆସବ ସେବନ ମଧ୍ୟରେ ସେ ଗ୍ରନ୍ଥ ପରେ ଗ୍ରନ୍ଥ ଲେଖି ଯାଉଥିଲେ । ଏପରିକି ଗୋଟିଏ ଗୋଟିଏ ପୁସ୍ତକକୁ ରୂପ ଦେବା ବେଳେ ସେ ପରିବାର କଥା ସେ ସଂପୂର୍ଣ୍ଣ ଭୁଲି ଯାଉଥିଲେ । ଏଣୁ ରାମଚନ୍ଦ୍ରଙ୍କ ସାରସ୍ବତ ପ୍ରତିଭା ଏହି ଷ୍ଟୋର ଦ୍ବାରା ହିଁ ନିୟନ୍ତ୍ରିତ ଥିଲା କହିଲେ, ଅତ୍ୟୁକ୍ତି ହେବନାହିଁ ।" ଏହା ଥିଲା ଲେଖକଙ୍କର ସୌଭାଗ୍ୟ ଓ ଦୁର୍ଭାଗ୍ୟ ମଧ୍ୟ ।

ରାମଚନ୍ଦ୍ର ଏକ ଦୁର୍ଦ୍ଦିନରେ ଜନ୍ମଗ୍ରହଣ କରି ଜୀବନ ସଂଗ୍ରାମ ଓ ସାଧନାରେ ପ୍ରବୃତ୍ତ ହେଉଥିଲେ । ସେହି ସମୟ ଥିଲା ଦେଶ ତଥା ଓଡ଼ିଆ ଜାତି ପକ୍ଷରେ ଏକ ସନ୍ଧିକ୍ଷଣ । ୧୯୦୦ ମସିହା ବସନ୍ତ ପଞ୍ଚମୀରେ ରାମଚନ୍ଦ୍ରଙ୍କୁ ପାଞ୍ଚ ବର୍ଷ ଚାଲିଥିଲା ବେଳେ ବିଦ୍ୟାରମ୍ଭ କରି ବାଲ୍ୟକାଳରୁ ନିଜର ମେଧା ଓ ସ୍ମରଣ ଶକ୍ତିର ଉର୍ଦ୍ଦଗତୀ ପ୍ରଦର୍ଶନ କରିଥିଲେ । ୧୯୦୬ ମସିହାରେ ସେ ବ୍ରହ୍ମପୁରସ୍ଥ ଶଙ୍କର ପୁର ସାହିସ୍ଥ ନିମ୍ନମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷା ସମାପ୍ତି କରି ଖଲ୍ଲିକୋଟ କଲେଜିଏଟ୍ ମି: ଇ: ସ୍କୁଲରେ ଭର୍ତ୍ତି ହେଲେ । ୧୯୦୯ରେ ସେଠାରେ ନିମ୍ନମାଧ୍ୟମିକ ଶିକ୍ଷା ଶେଷ କରି ହାଇସ୍କୁଲକୁ ଆସିଲେ । ମାତ୍ର ପିତାଙ୍କ ମୃତ୍ୟୁ ଓ ଗୃହର ଦୁର୍ଦ୍ଦଶା ମଧ୍ୟରେ ଚଳି ମାଧ୍ୟମିକ ଓ ଇଣ୍ଟରମିଡିଏଟ୍ ପର୍ଯ୍ୟନ୍ତ ଯାଇ ୧୯୧୫ରେ କଲେଜ ପରିତ୍ୟାଗ