ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୦୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି

କରିଥିଲେ । ତାପରେ ବ୍ରହ୍ମପୁର ଗୁରୁଟ୍ରେନିଂ ସ୍କୁଲରୁ ଦକ୍ଷତାର ସହିତ ଉତ୍ତୀର୍ଣ୍ଣ ହୋଇ ଉଭୟ କର୍ମ କ୍ଷେତ୍ର ଓ ପରିବାର ଜଞ୍ଜାଳ ସମ୍ଭାଳି ଥିଲେ । ନିଜର ପ୍ରଗାଢ଼ ବିଦ୍ୟାନୁରାଗ ଯେଉଁ ସେ ଘରୋଇ ଭାବରେ ବି ଏ ପରିକ୍ଷା ଦେଇ କୃତିତ୍ବର ସହିତ ପାସ୍ କରିଥିଲେ ହେଁ ଅଧିକାରୀ ବା କିରାଣୀ ହେବାକୁ ମନ ଭରି ନଥିଲେ । ସେ ଶିକ୍ଷକତା ଓ ସାରସ୍ବତ ସାଧନାକୁ ଜୀବନରେ ବୃତ୍ତି ଓ କୃତି ଭାବରେ ଗ୍ରହଣ କରିଥିଲେ ।


ଛାତ୍ରଜୀବନରୁ ସେ ଦକ୍ଷିଣ ଓଡ଼ିଶାରେ ସୁପରିଚିତ ଶିକ୍ଷକ ମଦନମୋହନ ରଥ , ରଘୁନାଥ ଆଚାର୍ଯ୍ୟ , ଶ୍ରୀରାମ ବ୍ରହ୍ମା ପ୍ରମୁଖ କୁଶଳୀ ଶିକ୍ଷକମାନଙ୍କୁ ନିଜର ଆଦର୍ଶ ରୂପେ ମାନି ନେଇଥିଲେ । ଶିକ୍ଷକତା ସହିତ ସେ ସମାଜ ସେବାକୁ ମଧ୍ୟ ସେ ନିଜ ଜୀବନର ବ୍ରତ ଭାବରେ ଗ୍ରହଣ କରିଥିଲେ । ବ୍ରହ୍ମପୁର ତାଙ୍କର ପ୍ରଧାନ କର୍ମ କ୍ଷେତ୍ର ହେଲେହେଁ ସମଗ୍ର ଓଡ଼ିଶାରେ ସେ ପ୍ରତିଷ୍ଠା ଅର୍ଜନ କରିଥିଲେ । ୧୯୨୭ ମସିହାରୁ ଆରମ୍ଭ କରିଥିବା ତାଙ୍କ ଶିକ୍ଷକତା କାର୍ଯ୍ୟ ବ୍ରହ୍ମପୁର ପୌରପାଳିକାଙ୍କ ଦ୍ବାରା ପରିଚାଳିତ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ହିଁ ସମାହିତ ହୋଇଥିଲା । ମୃତ୍ୟୁ ପର୍ଯ୍ୟନ୍ତ ସେହି ଗୋଟିଏ ବିଦ୍ୟାଳୟରେ ଦୀର୍ଘକାଳ ରହି ସେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସଂପାଦନ କରିଥିଲେ । ତାଙ୍କର ଅକ୍ଷର ମାନ ଥିଲା ଅତି ସ୍ପଷ୍ଟ ଓ ସୁନ୍ଦର । ସତ୍ୟବାଦୀ ବନ ବିଦ୍ୟାଳୟ ଥିଲା ତାଙ୍କର ଆଦର୍ଶ ଏବଂ ସେ ଛାତ୍ରମାନଙ୍କୁ ବଣଭୋଜି ଠାରୁ ଦର୍ଶନୀୟ ସ୍ଥାନ ଗୁଡ଼ିକୁ ଭ୍ରମଣ କରାଇବା ନିମନ୍ତେ ନିଜ ସାଥିରେ ନେଉଥିଲେ । ଛାତ୍ରମାନଙ୍କ ସ ହିତ ସମାଜ ସଂସ୍କାର ଓ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟରେ ମଧ୍ୟ ସେ ପ୍ରବୃତ୍ତ ହେଉଥିଲେ । ପ୍ରତି ବର୍ଷ ସେ ବିଦ୍ୟାଳୟରେ ସାହିତ୍ୟିକ ସଭା ଓ ବାର୍ଷିକ ଉତ୍ସବ ପାଳନ କରୁଥିଲେ । ଛାତ୍ରମାନଙ୍କୁ ବିଭିନ୍ନ ପ୍ରକାରର କୃତିତ୍ୱ ପ୍ରଦର୍ଶନ ଯୋଗୁଁ ପୁରସ୍କାର ଓ ପ୍ରୋତ୍ସାହନ ଦେବାରୁ ସେମାନଙ୍କ ବ୍ୟକ୍ତିତ୍ୱର ବିକାଶ ସମ୍ଭବ ହେଉଥିଲା ।


ରାମଚନ୍ଦ୍ର ଶିକ୍ଷାଦାନରେ ଦକ୍ଷତା , ଛାତ୍ରବତ୍ସଳତା ଓ ସାଧାରଣ ଲୋକଙ୍କ ପ୍ରତି ସହୃଦୟତା ଦେଖାଇ ସମସ୍ତଙ୍କ ଭକ୍ତି ଭାଜନ ହୋଇଥିଲେ । ବହୁ ଲୋକଙ୍କ ସାହାଯ୍ୟପ୍ରାପ୍ତ ହୋଇ ସେ ଅଧ୍ୟୟନ କରିଥିବାରୁ ସମାଜ ପାଖରେ ସେ ବିଶେଷ ୠଣୀ ବୋଲି କହିଥାନ୍ତି ଏବଂ ସେ ୠଣ ମୁକ୍ତ ହେବା ନିମନ୍ତେ ମେଧାବୀ ଓ ଦରିଦ୍ର ଛାତ୍ରଛାତ୍ରୀମାନଙ୍କୁ ମୁକ୍ତ ହସ୍ତରେ ସାହାଯ୍ୟ କରୁଥିଲେ । ତାଙ୍କର ବିଦ୍ୟାନୁରାଗ , କର୍ମନିଷ୍ଠା ଓ ସତ୍ୟନିଷ୍ଠା ଥିଲା ଅସାଧାରଣ ଏବଂ ସଂସ୍କୃତ, ଓଡ଼ିଆ ଓ ଇଂରେଜୀ ଭାଷାରେ ତାଙ୍କର ପାଣ୍ଡିତ୍ୟ ଥିଲା ଅତୁଳନୀୟ । ଛାତ୍ରଛାତ୍ରୀମାନଙ୍କୁ ସାହିତ୍ୟ ରଚନା ପ୍ରତି ଆକୃଷ୍ଟ କରାଇବା ସଂଗେ ସଂଗେ ସେମାନଙ୍କର ଦକ୍ଷତା ବୃଦ୍ଧି ଲାଗି ତାଙ୍କର ଉଦ୍ୟମ