ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୪୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତାଙ୍କର ବ୍ୟକ୍ତିଗତ ଜୀବନଯାପନ ପ୍ରଣାଳୀ ଆଦର୍ଶ ସ୍ଥାନୀୟ ଥିଲା । ପ୍ରତିଦିନ ପ୍ରତ୍ୟୁଷରୁ ଶଯ୍ୟାତ୍ୟାଗ କରି ସେ ମୂଳ ସଂସ୍କୃତ ଭାଗବତ ଓ ବାଲ୍ମୀକି ରାମାୟଣ ପାଠ କରୁଥିଲେ। ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଖଦଡ଼ ପିନ୍ଧୁଥିଲେ । ସରଳ ଜୀବନ ଯାପନ ଓ ଭଗବତ୍ ଚିନ୍ତା ତାଙ୍କ ଜୀବନର ମୂଳମନ୍ତ୍ର ଥିଲା।

ତାଙ୍କର ଶିକ୍ଷାଦାନ ପଦ୍ଧତି ଥିଲା ଉଚ୍ଚକୋଟୀର । ପ୍ରତ୍ୟେକ ଛାତ୍ର ବା ଛାତ୍ରୀ ଯେପରି ସେ ପଢ଼ାଉଥିବା ପାଠ ସହଜରେ ବୁଝିପାରିବେ, ସେଥିପାଇଁ ସେ ସର୍ବଦା ଚେଷ୍ଟା କରିଥିଲେ । ସବୁଠାରୁ ଦୁର୍ବଳ ପିଲା ନ ବୁଝିବା ପର୍ଯ୍ୟନ୍ତ ସେ ଛାଡ଼ୁ ନଥିଲେ । ଶ୍ରେଣୀ କକ୍ଷରେ ପାଠ୍ୟୋପକରଣର ସଦୁପଯୋଗ ଉପରେ ସେ ଗୁରୁତ୍ୱ ଦେଉଥିଲେ। ତାଙ୍କ ସମୟରେ ଭୁଗୋଳ ଶିକ୍ଷକ ଶ୍ରେଣୀକୁ ମାନଚିତ୍ର ବା ଗ୍ଲୋବ୍ ନେଇଯାଉଥିଲେ । ଓଡ଼ିଶା ପ୍ରଦେଶ ଗଠିତ ହେବାର ଅଳ୍ପକାଳ ହୋଇଥାଏ , ନୂତନ ଓଡ଼ିଶାର ମାନଚିତ୍ର ଯେପରି ସବୁଶ୍ରେଣୀର ପିଲା ଦେଖନ୍ତି ଓ ସେ ମାନଚିତ୍ର ଅଙ୍କନ କରିବାକୁ ଶିଖନ୍ତି, ସେଥିପାଇଁ ସେ ଶିକ୍ଷକମାନଙ୍କୁ ପ୍ରବର୍ତ୍ତାଉଥିଲେ । ବିଦ୍ୟାଳୟ ଗୃହ ସମ୍ମୁଖରେ ଭାରତ ଓ ଓଡ଼ିଶାର ଉଚ୍ଚାବଚ (ରିଲିଫ୍) ମାନଚିତ୍ର ପ୍ରସ୍ତୁତ କରାଯାଇଥିଲା ।

ବିଦ୍ୟାଳୟର ପରିବେଶକୁ ସୁନ୍ଦର କରିବା ପାଇଁ ତାଙ୍କର ଅବିରାମ ଚେଷ୍ଟା ଚାଲିଥିଲା । ହତା ଭିତରେ ସୁନ୍ଦର ବଗିଚାଟିଏ କରିବାର ବ୍ୟବସ୍ଥା ସେ କରିଥିଲେ । ବଗିଚାକୁ ଚାରୋଟି ଭାଗରେ ବିଭକ୍ତ କରି ପ୍ରତ୍ୟେକ ଭାଗକୁ ଗୋଟିଏ ଶ୍ରେଣୀର ଛାତ୍ରମାନଙ୍କୁ ଦିଆଯାଉଥିଲା । ଛାତ୍ରମାନେ ଯେଉଁ ଫୁଲ ବା ପରିବା ଚାଷ କରିବାକୁ ଚାହିଁବେ, ସେଥିପାଇଁ ଚାରା ବା ମଞି ପ୍ରଧାନ ଶିକ୍ଷକ ଯୋଗାଡ଼ କରି ଦେଉଥିଲେ । ପାଠପଡ଼ା ପରେ ଛାତ୍ରମାନେ ପ୍ରାୟ ଅଧଘଣ୍ଟାଏ ବଗିଚା କାମ କରୁଥିଲେ।

ଅବସର କାଳରେ ସେ କେତେକ ଆଗ୍ରହୀ ପିଲାମାନଙ୍କୁ ଉଚ୍ଚାଙ୍ଗସାହିତ୍ୟ ପଢ଼ି ବୁଝାଉଥିଲେ। ବିଶ୍ୱକବି ରବୀନ୍ଦ୍ର ନାଥ ଙ୍କ "ଗୀତାଞ୍ଜଳି"ର କବିତା ଗୁଡ଼ିକ ସେ ନିଜେ ଆବୃତ୍ତି କରି ବୁଝାଉଥିଲେ । ତାଙ୍କର ଆବୃତ୍ତିର ଶୈଳୀ ଥିଲା ଅତ୍ୟନ୍ତ ଆକର୍ଷଣୀୟ । ସେ ଯେତେବେଳେ ଗାଉଥିଲେ, " କତ ଅଜାନାରେ ଜାନାଇଲେ ତୁମି" ବା " ଆଜି ବସନ୍ତ ଜାଗ୍ରତ ଦ୍ୱାରେ" ପରି କବିତା, ସେତେବେଳେ ସେ ଭାବବିହ୍ୱଳ ହୋଇଯାଉଥିଲେ। ସେ କବିତା ଆବୃତ୍ତି କରିବାର ସ୍ୱର ଏବେ ବି ମନ ଭିତରେ ଗୁଞ୍ଜରଣ ସୃଷ୍ଟି କରିଥାଏ ।

୧୨୨