ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୪୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରଧାନ ଶିକ୍ଷକଙ୍କୁ ବସିବାକୁ କହି ଫାଇଲ କାମରେ ଲାଗିଲେ । କିଛି ସମୟ ପରେ ଫାଇଲ କାମ ସରିଲା । ମନ୍ତ୍ରୀଙ୍କର ଚାହାଣି ଓ ଠାଣିମାଣିରୁ ତାଙ୍କର ପ୍ରଚ୍ଛନ୍ନ କ୍ରୋଧର ସୂଚନା ବାରି ପାରୁଥାନ୍ତି ପ୍ରଧାନ ଶିକ୍ଷକ ମହାଶୟ । ମନ୍ତ୍ରୀ ମହାଶୟ ପ୍ରଶ୍ନ କଲେ : "ଆପଣ ମୋ ପୁଅକୁ ପରୀକ୍ଷାରେ ଫେଲ କରିଦେଇଛନ୍ତି କାହିଁକି ? ଦେଖୁଛି ଆପଣଙ୍କର ଦୁଃସାହସ ତ କମ୍ ନୁହେଁ ।" ପ୍ରଧାନ ଶିକ୍ଷକ ମନ୍ତ୍ରୀଙ୍କର ପ୍ରଚ୍ଛନ୍ନ ଧମକରେ ଡ଼ରି ନାହାନ୍ତି । ସେ ନମ୍ରତାର ସହ ଦୃଢ଼ ଭାବରେ ଉତ୍ତର ଦେଲେ ପରୀକ୍ଷାରେ ଯେଉଁମାନେ ପାସ କଲେ ସେମାନେ ଉପର ଶ୍ରେଣୀକୁ ପ୍ରମୋସନ ପାଇଲେ । ଆପଣଙ୍କ ପୁଅ ପରୀକ୍ଷାରେ ଫେଲ ହେଲା । ମୁଁ ଆପଣଙ୍କ ପୁଅର ପରୀକ୍ଷା ଉତ୍ତର ଖାତା ଗୁଡ଼ିକ ସଙ୍ଗରେ ଆଣିଛି । ଆପଣ ସେ ଗୁଡ଼ିକ ନିଜେ ଦେଖନ୍ତୁ । ମୋ ଆଖିରେ ସବୁ ପିଲା ସମାନ । ତେଣୁ କମ୍ ନମ୍ବର ରଖିଥିବା ଆପଣଙ୍କ ପୁଅକୁ କର୍ତ୍ତବ୍ୟ ଅନୁରୋଧରେ ଫେଲ କରିବାକୁ ବାଧ୍ୟ ହୋଇଛି । ପରୀକ୍ଷା ଖାତା ଗୁଡ଼ିକ ମନ୍ତ୍ରୀ ମହାଶୟ ମନୋଯୋଗ ସ‌ହକାରେ ଦେଖିଲେ । ପରୀକ୍ଷା ଫଳ ଖାତା ମଧ୍ୟ ଯାଞ୍ଚ କଲେ । କିନ୍ତୁ ପରୀକ୍ଷା ରେ ପ୍ରଧାନ ଶିକ୍ଷକଙ୍କ ନିଷ୍ପତ୍ତିକୁ ମନେ ମନେ ପସନ୍ଦ କଲେ । ତାଙ୍କର ମନ ଭିତରୁ କ୍ରୋଧ ଦୂରେଇଗଲା । ସେ ଶିକ୍ଷକଙ୍କୁ ଅନୁରୋଧ କଲେ- ଦେଖନ୍ତୁ, ମୋ ପୁଅକୁ କେହି ଘରେ ପଢ଼ାଇ ପାରୁନାହାନ୍ତି । ତେଣୁ ସେ ପାଠରେ ଆଗେଇ ପାରୁନାହିଁ । ତାକୁ ଆପଣ ଦୟାକରି ଦିନକୁ ଘଣ୍ଟେ ଦୁଇଘଣ୍ଟା ପାଇଁ ଆମ ବଙ୍ଗଳାକୁ ଆସି ପଢ଼ାନ୍ତୁ ।" ମନ୍ତ୍ରୀଙ୍କ କଥାକୁ ସେ ଅବା କାଟିଦେଇଥାନ୍ତେ କିପରି ? ପ୍ରଧାନ ଶିକ୍ଷକ ମନ୍ତ୍ରୀଙ୍କର ପୁଅକୁ ଘରେ ଆସି ପଢ଼ାଇଲେ । ଉତ୍ତର ଜୀବନରେ ସେ ଉଚ୍ଚ ପଦରେ ଅଧିଷ୍ଠିତ ହୋଇପାରିଥିଲା ।

ଯେଉଁ ପ୍ରଧାନ ଶିକ୍ଷକଙ୍କର କଥା ଉପରେ କହିଲି , ସେ ହେଉଛନ୍ତି ସ୍ବର୍ଗତ ବୃନ୍ଦାବନ ଦାଶ । ଘଟଣା ବହୁଳ ତାଙ୍କର ଶିକ୍ଷକ ଜୀବନ । ପାଟଣାର ଦୁର୍ଗାଦେଇପୁର ଶାସନରେ ଗୋବିନ୍ଦ ଚନ୍ଦ୍ର ଦାଶ ଥିଲେ ତାଙ୍କର ଜନ୍ମିତ ପିତା । ତାଙ୍କର ଜନ୍ମ ୧୯୦୩ ମସିହାରେ । ମହାରାଜା ଧନୁର୍ଜୟ ନାରାୟଣ ଭଞ୍ଜ ଦେବଙ୍କ ଅନୁରୋଧ କ୍ରମେ ବୃନ୍ଦାବନଙ୍କର ଜନ୍ମିତ ପିତା ତାଙ୍କୁ କେନ୍ଦୁଝର ଗଡ଼ ବୀର ଲକ୍ଷ୍ମୀନାରାୟଣ ପୁର (ଢ଼େଙ୍କାପୁର) ଶାସନର ସ୍ୱର୍ଗତ ଲମ୍ବୋଦର ଦାଶଙ୍କର ପୋଷ୍ୟପୁତ୍ର କରିଦେଇଥିଲେ । ଢ଼େଙ୍କାପୁର ଶାସନରେ ତାଙ୍କର ଖଡ଼ିଛୁଆଁ, ଚାହାଳିପାଠ ପରେ କେନ୍ଦୁଝରର ଏକମାତ୍ର ପ୍ରାଥମିକ ବିଦ୍ୟାଳୟ ଓ ମାଇନର ସ୍କୁଲ୍‌ରୁ ସେ ଉତ୍ତୀର୍ଣ୍ଣ ହେଲେ । ମେଟ୍ରିକ୍ ପଢ଼ିବାକୁ ହେଲେ କଟକ ଯିବାକୁ ହେବ । ଛାତ୍ର ଜୀବନରେ ସେ ଖୁବ୍ ଭଲ ପଢ଼ୁଥିଲେ , କିନ୍ତୁ ବାପା ମା

୧୩୧