ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶିକ୍ଷା ବିବରଣୀ(Education Report,1872-73)ରେ ତତ୍କାଳୀନ ଲୋକପ୍ରିୟ ଇଂରେଜ କମିଶନର ଟି. ଭି. ରେଭେନ୍‌ସା ଯଥାର୍ଥରେ ଲେଖିଥିଲେ, "ନିଜ ଓଜନର ସୁନା ସହିତ ସମାନ ସେଇ ତତ୍ତ୍ୱାବଧାରକ" (The Superintendent is a man worth his weight in gold) ।

୧୮୩୫ ମସିହାରେ ସେହି ଅସାଧାରଣ ମଣିଷଟି ଜନ୍ମ ନେଇଥିଲେ ଉତ୍ତର କାନପୁର ସହରରେ । ମାତ୍ର ୧୦ ବର୍ଷ ବୟସରେ ସେ ନିଜ ମାତାଙ୍କ ସହିତ ବଙ୍ଗଳାର ଚବିଶପ୍ରଗଣା ଜିଲ୍ଲାର କାଥେର ଗ୍ରାମକୁ ଚାଲିଆସିଥିଲେ । ପିତା ତାରାଚାନ୍ଦ୍ ଚକ୍ରବର୍ତ୍ତୀ କାନପୁର ସୈନ୍ୟବିଭାଗୀୟ ଏକ ଅଫିସରେ କାର୍ଯ୍ୟ କରୁଥିଲେ । ବର୍ଷାତ୍ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ତାଙ୍କର ସୁପୁତ୍ର ଦ୍ୱାରକାନାଥ ଚକ୍ରବର୍ତ୍ତୀ ଅଧ୍ୟୟନ କରିଥିଲେ । ତାଙ୍କର ଶିକ୍ଷକ ଥିଲେ ବଙ୍ଗର ବିଶିଷ୍ଟ ଶିକ୍ଷାବିତ୍ ପ୍ୟାରିମୋହନ ସରକାର, ଯାହାଙ୍କର ସମସ୍ତ ସଦ୍ ଗୁଣ ତାଙ୍କୁ ଖୁବ୍ ପ୍ରଭାବିତ କରିଥିଲା । ବିଦ୍ୟାଳୟ ଶିକ୍ଷାପରେ ସେ କଲିକତାର ପ୍ରସିଦ୍ଧ ହିନ୍ଦୁ କଲେଜରେ ଅଧ୍ୟୟନ କରିଥିଲେ । ମାତ୍ର ଆର୍ଥିକ ଅସୁବିଧା ଯୋଗୁଁ କଲେଜରେ ପ୍ରଥମ ବର୍ଷ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପୋଥିରେ ଡୋର ବାନ୍ଧିଥିଲେ ଏବଂ ପରିବାର ପ୍ରତିପୋଷଣ ପାଇଁ ଚାକିରୀ ଅନ୍ୱେଷଣରେ ରହିଥିଲେ ।

ସେ ଅବଶ୍ୟ ଏଣ୍ଟ୍ରାନ୍‌ସ ପାସ୍ କରିଥିବାରୁ ଡେପୁଟୀ ମାଜିଷ୍ଟ୍ରେଟ ବା ସେହିପରି ଅନ୍ୟ ଅର୍ଥକାରୀ ଚାକିରୀ ପାଇପାରିଥାନ୍ତେ, ମାତ୍ର ଶିକ୍ଷା ପ୍ରତି ତାଙ୍କର ଅନୁରାଗ ଥିଲା ଏବଂ ଶିକ୍ଷକତା ଥିଲା ତାଙ୍କ ଜୀବନର ଧର୍ମ । ତେଣୁ ସେ ଶିକ୍ଷା ବିଭାଗରେ ହୁଗୁଳି ଜିଲ୍ଲାସ୍ଥ ତାରକେଶ୍ୱର ଗ୍ରାମ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ସେତିକିବେଳେ ସିପାହି ବିଦ୍ରୋହ ଯୋଗୁଁ ବଙ୍ଗଳାରେ ବହୁ ଅଶାନ୍ତି ସୃଷ୍ଟି ହୋଇଥିଲା । ତାଙ୍କର ମଧ୍ୟ ସ୍ୱାସ୍ଥ୍ୟଭାବ ଘଟିଥିଲା । ତେଣୁ ସେ ୧୮୬୧ ମସିହାରେ ପୁରୀ ଜିଲ୍ଲା ସ୍କୁଲକୁ ଉପ ପ୍ରଧାନ ଶିକ୍ଷକ ଭାବେ ଆସିଥିଲେ । ଏହି ବିଦ୍ୟଳୟରେ କାର୍ଯ୍ୟ କରିଥିଲା ବେଳେ ଓଡ଼ିଆ ଭାଷା ଶିକ୍ଷା କରି ନିଜର ମାତୃଭାଷା ବଙ୍ଗଳା ପରି ସେଥିରେ ବ୍ୟୁତ୍ପତ୍ତି ଅର୍ଜନ କରିଥିଲେ । ଭକ୍ତକବି ମଧୁସୂଧନ, ଉତ୍କଳଗୈ।ରବ ମଧୁସୂଦନ ତାଙ୍କର ପ୍ରିୟ ଛାତ୍ର ଥିଲେ।

୧୮୬୬ ମସିହାରେ ନଅଙ୍କ ଦୁର୍ଭିକ୍ଷ ପଡ଼ି ଓଡ଼ିଶାରେ ଲୋକମାନେ ପୋକମାଛି ପରି ମଲେ । ଖାଦ୍ୟ ଅଭାବରୁ ବହୁଦିନ ଉପାସରେ ପଡ଼ି ବା ଅଖାଦ୍ୟ ଖାଇ ବାଟଘାଟ, ଘରଦ୍ୱାର