ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୬୬

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଆପାତ ଦରିଦ୍ରବସ୍ଥା ଘୁଞ୍ଚାଇବା ପାଇଁ ଥିଏଟର୍ ମାଧ୍ଯମରେ କିଛି ଅର୍ଥପ୍ରାପ୍ତିର ଯୋଜନା ପରିଚାଳନା କମିଟି ଆଗରେ ରଖିବାରୁ ତାହା ଅବିଳମ୍ବେ ସର୍ବସମ୍ମତିକ୍ରମେ ଗୃହୀତ ହୋଇଗଲା । ପୂର୍ବବର୍ଷ ଛାତ୍ର-ଶିକ୍ଷକ ଅଭିଭାବକମାନଙ୍କ ମିଳିତ ପ୍ରଚେଷ୍ଟାରେ କାଳିବାବୁଙ୍କର 'ଅଭିଯାନ' ନାଟକ ମଞ୍ଚସ୍ଥ ହୋଇ ଯଥାସାମାନ୍ଯ ଅର୍ଥଲାଭ ଘଟିଥିଲେ ହେଁ ଅଭିନୟ ତଥା ମଞ୍ଚାୟନରେ ବହୁ ଦୁର୍ବଳ ରହିଯାଇଥିଲା ।

ବିଷ୍ଣୁ ମିଶ୍ରଙ୍କର ଅଭିନୟ ଓ ନିର୍ଦ୍ଦେଶନାର ଖ୍ଯାତି ପଙ୍କପାଳଠାରୁ ପଣ୍ଡୁଆକୁ ବହି ଆସିଥିବାରୁ ସମସ୍ତେ ଏ ବିଷୟରେ ମାତ୍ରାଧିକ ଆଗ୍ରହ ପୋଷଣ କରିଥାନ୍ତି । 'ହରିଶ୍ଚନ୍ଦ୍ର' ନାଟକ ଅଭିନୀତ ଦେବାର ସ୍ଥିର ହେଲା । ବିଷ୍ଣୁବାବୁଙ୍କ ପାଖରେ ଥିବା ପାଣ୍ଡୁଲିପିରୁ ରାଜା ହରିଶ୍ଚନ୍ଦ୍ରଙ୍କ ସଂଳାପ ବ୍ଯତୀତ ଅନ୍ଯ ଭୂମିକାଗୁଡ଼ିକର ସଂଳାପ ଉତ୍ତାରିବା ଦାୟିତ୍ବ ମୋତେ ଓ ମୋର ଅନ୍ଯ ଦୁଇଜଣ ପଢ଼ାସାଥୀଙ୍କୁ ଦିଆଯାଇଥିଲା । ଶୈବ୍ଯା ଭୂମିକାରେ ଅଭିନୟ କରିବା ପାଇଁ ପଙ୍କପାଳରୁ ଜନୈକ ଛାତ୍ର ଗୁଣନିଧି ସ୍ବାଇଙ୍କୁ ସ୍ଥାନାନ୍ତର କରାଇ ଅଣାଯିବା ପରେ ଅଭ୍ଯାସ କାର୍ଯ୍ଯକ୍ରମ ଚାଳିଲା । ସଂଧ୍ଯାରୁ ରାତି ୧୦ ପର୍ଯ୍ଯନ୍ତ ଅଭ୍ଯାସ(ରିହର୍ସାଲ୍) ଚଳେ ସେଥିରେ ରାଜା ହରିଶ୍ଚନ୍ଦ୍ର ଭୂମିକାରେ ବିଷ୍ଣୁବାବୁଙ୍କ ଅଭିନୟ ପ୍ରତ୍ଯେକଙ୍କୁ ବିମୁଗ୍ଧ କରିରଖିଥାଏ । ଅନ୍ଯାନ୍ଯ ଭୂମିକାର ଅଭିନୟକୁ ସେ ନାଟକୀୟ ଭଙ୍ଗୀରେ ବତାଇ ଦେଉଥାନ୍ତି । ପ୍ରାୟ ୧୫ ଦିନ କ୍ରମାଗତ ଅ ଭ୍ଯାସ ଚଳାଇବା ପରେ ମଞ୍ଚାଭିନୟ ପ୍ରସ୍ତୁତ କରାଗଲା । ଆବହସଙ୍ଗୀତର ସେପରି ସୁବ୍ଯବସ୍ଥା ନଥିଲା । ଡ଼େଲାଇଟକୁ କଳାକାଗଜ ଦ୍ବାରା ଆବୃତ କରି ମଞ୍ଚାମାୟା ସୃଷ୍ଟି କରାଯାଉଥିଲା । କେବଳ ଆକର୍ଷଣୀୟ ଦୃଶ୍ଯ କହିଲେ ଡ୍ରପ, ରାଜପଥ, ଗ୍ରାମପଥ, ଅରଣ୍ଯ, ରାଜପ୍ରସାଦ ଓ କଟାଜଙ୍ଗଲ ଦୃଶ୍ଯ ସମ୍ବଳିତ କନାର ବିଶାଳ ପଟ୍ଟଚିତ୍ରଗୁଡ଼ିକ ଆବଶ୍ଯକତାନୁଯାୟୀ ବାଉଁଶରେ ଗୋଡ଼ିଆହୋଇ ଉଠାପକା କରାଯାଉଥିଲା । ମୁଖ୍ଯଆକର୍ଷଣ ଥିଲା ହରିଶ୍ଚନ୍ଦ୍ର ଭୂମିକାରେ ବିଷ୍ଣୁ ବାବୁଙ୍କର ବଳିଷ୍ଠ, ଭାବସଞ୍ଚାରୀ ଅଭିନୟ କୁଶଳତା ।

ସର୍ବସ୍ବ ବିଶ୍ବାମିତ୍ରଙ୍କୁ ଦାନକରି ଆପଣାକୁ ଚଣ୍ଡାଳର କ୍ରୀତଦାସ କରାଇ ଦକ୍ଷିଣାସ୍ବରୁପ ପ୍ରାର୍ଥିତ ବିପୁଳ ଅର୍ଥ ବିନିମୟରେ ନିଜର ସତ୍ଯବାଦିତାକୁ ଅକ୍ଷୁର୍ଣ୍ଣ ରଖିଥିବା ରାଜାହରିଶ୍ଚନ୍ଦ୍ର ସେଦିନ ନିଶାର୍ଦ୍ଧରେ ଶ୍ମଶାନରେ ଆତ୍ମଲୀନ ହୋଇପଡ଼ିଥାନ୍ତି । ସିନ୍ ଉଠିବା ପରେ ଦାଢ଼ିବହୁଳ, ରୁକ୍ଷ ଓ ମଳିନ ବେଶବାସରେ ଖଣ୍ଡେ ବାଉଁଶ ଠେଙ୍ଗାକୁ ଅପୂର୍ବ ଭଙ୍ଗୀରେ ଭରା ଦେଇଥିବା ଟଳଟଳ ପାଦ ହରିଶ୍ଚନ୍ଦ୍ର ବେଶୀ ବିଷ୍ଣୁବାବୁ ଦୃଶ୍ଯମାନ ହୁଅନ୍ତି । ଏକ