ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୧୦

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ସମଗ୍ର ରାଣୀହାଟ , କଲେଜ ଛକ ଓ ମଙ୍ଗଳବାଗ, ଅଞ୍ଚଳର ସେ ଥିଲେ ସର୍ବମାନ୍ଯ । ଶେଷ ଆଡ଼କୁ ସ୍ଥାନିୟ ଲୋକଙ୍କ ଚାପ ଓ ଅନୁରୋଧ ଏଡ଼ାଇ ନପାରି ସାଆନ୍ତ ସାହିରେ ଖଣ୍ଡିଏ ବାସଭୂମି କ୍ରୟ କରିଥିଲେ ସେ । ଗୃହ ନିର୍ମାଣ ଲାଗି ଉପକରଣ ଯୋଗାଉଥିଲେ ତାଙ୍କର ବଶମ୍ବଦ ବ୍ଯବସାୟୀ ଛାତ୍ରମାନେ । ଏଭଳି ଅଯାଚିତ ସାହାଯ୍ଯପ୍ରାପ୍ତିରେ ତାଙ୍କର କ୍ଷୋଭର ସୀମା ନଥିଲା ବୋଧହୁଏ ଏତଦ୍ବାରା ତାଙ୍କର ବହୁପୋଷିତ ସ୍ବାଧିନଚେତା ବ୍ଯକ୍ତିତ୍ବ ଆହତ ହେଇଥିବା ସେ ଅନୁଭବ କରୁଥିଲେ । ମାତ୍ର ଗୃହନିର୍ମାଣ କାର୍ଯ୍ଯଟି ଆରମ୍ଭ ହୋଇଯିବା ପରେ ତାଙ୍କୁ ବନ୍ଦ କରିଦେବା ସମ୍ଭବପର ନଥିଲା । ଅବସର ଗ୍ରହଣର ସମୟ ମଧ୍ଯ ନିକଟତର ହୋଇ ଅସୁଥିଲା ।

ରାଣୀହାଟ ହାଇସ୍କୁଲର ସେ ଥିଲେ ଜନକ ଓ ପାଳକ ସ୍କୁଲର ଯାବତୀୟ ଜଞ୍ଜାଳ ଧରି ରଖିଥିଲା ତାଙ୍କର ପ୍ରାଣସ୍ପନ୍ଦନକୁ ତେଣୁ ଅବସର ଗ୍ରହଣ ପରେ ପରେ ସେ ରୁଗ୍ଣ ହୋଇଗଲେ ଓ କ୍ରମଶଃ ତାଙ୍କର ଜୀବନପ୍ରଦୀପ ନିର୍ବାଣମୁଖି ହୋଇପଡ଼ିଲା। ରାଣୀହଟ ହାଇସ୍କୁଲ୍ ପ୍ରାଙ୍ଗଣର ସେହି ନିର୍ଦ୍ଦିଷ୍ଟ ସ୍ଥାନରେ ତାଙ୍କର ଆବକ୍ଷ ପ୍ରତିମୁର୍ତ୍ତିର ପ୍ରତିଷ୍ଠା କରାଯାଇଛି ଯେଉଁଠି ସେ ଦୈନନ୍ଦିନ ଛାତ୍ର-ଶିକ୍ଷକ ସମବେତ ପ୍ରାର୍ଥନା ସଭାରେ ଯୋଗଦେବାକୁ ଯାଇ ସାମସ୍ତଙ୍କର ଦୃଷ୍ଟି ଆକର୍ଷଣ କରୁଥିଲେ ଏକାକୀ ପ୍ରାର୍ଥନା ମୁଦ୍ରାରେ ଦଣ୍ଡାୟମାନ ରହି ।

ଜଣେ ସଫଳ ଶିକ୍ଷାବିତ୍ ସାର୍ଥକ ଜୀବନକଟାଇ ବାଞ୍ଛାନିଧି ଶତପଥି ୧୯୭୩ ମସିହାରେ ଇହଧାମରୁ ବିଦାୟ ଘେନିଛନ୍ତି । ମାତ୍ର ରାଣୀହାଟ ହାଇସ୍କୁଲର ଅସ୍ତିତ୍ବ ସହ ତାଙ୍କର ଅତ୍ମିକ ଯୋଗସୂତ୍ର ସ୍ମୃତିକୋଷରେ ଅମ୍ଲାନ ଓ ଅଚ୍ଛେଦ୍ଯ ଭାବେ ବିଜଡ଼ିତ ରହିଥିବ,ଏହା ନିଃସନ୍ଦେହ ।

୨୩୨