ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୪୫

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ରାତି ପାହି ସକାଳ ହେଲା । ଗଉଡ଼ଟି ପାଖକୁ ଆସି ଦେଖିଲା ଯେ, ସେ ଯାହାକୁ ବାନ୍ଧିଛି, ସେ ତାର ଅତି ପରିଚିତ ବ୍ରାହ୍ଣଣ ସାଆନ୍ତଙ୍କ ପୁଅ ସଦାଶିବ । ବିଚରା ଗଉଡ଼ଟି ଭାରି ବ୍ୟସ୍ତ ହୋଇ ନିଜ ଅଜାଣତରେ ସଦାଶିବଙ୍କୁ ପିଟି ଥିବାରୁ କ୍ଷମା ବି ମାଗିଲା । ଏହି ଘଟଣା ପରେ ବାପା ବିରକ୍ତ ହେଲେ ମଧ୍ୟ ସଦାଶିବଙ୍କର ମନ ବଦଳି ନ ଥିଲା ।

ଦୁଷ୍ଟ ପ୍ରକୃତି ସାଙ୍ଗକୁ ପିଲାଦିନେ ସଦାଶିବ ଆଦୌ ପାଠପଢ଼ାରେ ମନ ଦେଉ ନ ଥିଲେ । ଗାଆଁ ଚାହାଳିରେ ପାଠପଢ଼ିବା ବେଳେ ଚାହାଳିକୁ ଯିବା ପାଇଁ ତାଙ୍କର ମନ ହୁଏ ନାହିଁ । ହେଲେ କରିବ କ'ଣ ? ଘରେ ରହିଲେ ବାପା ଗାଳି ଦେବେ, ଏଇ ଭୟରେ ସେ ବାଧ୍ୟ ହୋଇ ଛେଳିକୁ ପାଣିକୁ ନେଲା ପରି ସ୍କୁଲ୍କୁ ଯାଉ ଥାଆନ୍ତି ଏବଂ ସ୍କୁଲ୍ ଛୁଟି ହେଲା ପରେ ଘରକୁ ଫେରନ୍ତି । ଏକଥା ଘରେ କେହି ଜାଣି ପାରନ୍ତି ନାହିଁ ।

ସବୁଦିନ ପରି ସଦାଶିବ ଦିନେ ଚାହାଳିକୁ ବାହାରିଲେ । କିନ୍ତୁ ବାଟରେ ଥିବା ଏକ ବଡ଼ ଗଛରେ ଚଢ଼ି ତାର ଡାଳରେ ଆନନ୍ଦରେ ବସିରହିଲେ । ସବୁଦିନ ସମାନ ଯାଏନା । ସେ ଗଛରେ ଥିବା ଗୋଟିଏ ବଡ଼ କୋରଡ଼ ଭିତରୁ କିଛି ସମୟ ପରେ ଗୋଟିଏ କଳା ରଙ୍ଗର ସାପ ଫଣା ଟେକି ବାହାରିପଡ଼ିଲା । ଏହା ଦେଖି ସଦାଶିବ ଭୟରେ ଛାନିଆ ହୋଇ ଆଗପଛ କିଛି ବିଚାର ନ କରି ଗଛ ଉପରୁ ତଳକୁ ଡେଇଁ ପଡ଼ିଲେ । ଭାଗ୍ୟ ଭଲ, ତାଙ୍କର ହାତ ଗୋଡ଼ କିଛି ଭାଙ୍ଗି ନ ଥିଲା । ତା'ପରେ ଏକାନିଃଶ୍ୱାସ କେ ଦଉଡ଼ି ଦଉଡ଼ି ବାପାଙ୍କ ପାଖରେ ପହଞ୍ଚି ସବୁ କଥା ଗୋଟି ଗୋଟି କରି କହିଗଲେ । ସବୁ ଶୁଣି ବାପା ସଦାଶିବଙ୍କୁ ଗାଳି ମନ୍ଦ ନ କରି ଅନେକ ବୁଝାଇଲେ । ତ'ପରେ ଦୁଷ୍ଟଙ୍କ ସର୍ଦ୍ଦାର ସଦାଶିବଙ୍କର ମନ ବଦଳିଗଲା । ସେ ଆଉ ପୁର୍ବପରି ଖରାପ ପିଲାମାନଙ୍କ ସାଙ୍ଗରେ ମିଶିଲେ ନାହିଁ ଏବଂ ଦୁଷ୍ଟାମି କଲେ ନାହିଁ । ସତେ ଯେମିତି ସେଇ କଳା ସାପଟା ସଦାଶିବଙ୍କ ଜୀବନର ଗତିପଥକୁ ବଦଳାଇ ଦେବା ସହିତ ତାଙ୍କୁ ମହାନ କରି ଗଢ଼ି ତୋଳିଦେଲା ।

ଯୁକ୍ତିର ଶେଷ ଯେଉଁଠି, ଭକ୍ତିର ଆରମ୍ଭ ସେଇଠି ନ୍ୟାୟରେ ସଦାଶିବଙ୍କ ଜୀବନ ଅଧ୍ୟାୟରେ ଦୁଷ୍ଟାମିର ପୁର୍ଣ୍ଣଚ୍ଛେଦ ପଡ଼ିଲା । ତାପରେ ପାଠପଢ଼ାରେ ତାଙ୍କ ମନ ଲାଗିଗଲା । ଏହି ଅବସରରେ ବାପା ତାଙ୍କୁ ଘରେ ସ୍ରୋତ୍ର ମନ୍ତ୍ର ଆଦି ଶିକ୍ଷା ଦେଲେ । ପିତା ଶ୍ରୀଧର

                                     ୩୧