ପୃଷ୍ଠା:Odishara Itihas.pdf/୧୨୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଷଷ୍ଠ ଅଧ୍ୟାୟ

ଷଷ୍ଠ ଅଧ୍ୟାୟ ।
ମୁସଲ୍‌ମାନ ଶାସନ ।

ମୁସଲମାନମାନଙ୍କ ଉତ୍ପତ୍ତି-ଆରବଦେଶର 'ମକ୍କା' ନ‌ଗରରେ ମହ‌ମ୍ମଦ, ନାମକ ଏକ ପୁରୁଷ ୫୭୦ ଖ୍ରୀଷ୍ଟାଦରେ ଜ‌ନ୍ମଗ୍ରହଣ କରିଥିଲେ । ସେ ମୁସଲମାନମାନଙ୍କ ଧର୍ମର ସଂସ୍ଥାପକ । ପୌତ୍ତଳିକତା ବିନାଶ ଓ ଏକେଶ୍ୱରୋପାସନା ପ୍ରଚାର ତାଙ୍କ ଧର୍ମର ଉଦ୍ଦେଶ୍ୟ ଥିଲା । ଧର୍ମପ୍ରଚାରାର୍ଥ ଅସ୍ତ୍ର ଶସ୍ତ୍ର ଓ ଯୁଦ୍ଧର ଆବଶ୍ୟକତା ସୁଦ୍ଧା ସେ ସ୍ୱୀକାର କରୁଥିଲେ । ସ୍ୱୟଂ ମଧ୍ୟ ଅନେକ ଯୁଦ୍ଧରେ ପ୍ରବୃତ୍ତ ହୋଇଥିଲେ । ୬୩୨ ଖ୍ରୀଷ୍ଟାବ୍ଦରେ ସେ କଳେବର ତ୍ୟାଗ କଲା ଉତ୍ତାରୁ, ତଦୀୟ ଶିଷ୍ୟବର୍ଗ ଦେଶ ବିଦେଶରେ ଯୁଦ୍ଧ କରି ଅନେକ ଶିଷ୍ୟସଂଖ୍ୟା ବୃଦ୍ଧି କଲେ । ଏହିରୂପେ ଅଳ୍ପକାଳ ମଧ୍ୟରେ ମୁସଲମାନ ଜାତିର ଉତ୍ପତ୍ତି ହେଲା ।

ମୁସଲମାନମାନଙ୍କର ଭାରତ ଆଗମନ ମହମ୍ମଦଙ୍କ ଧର୍ମପ୍ରଚାର ଉତ୍ତାରୁ ଧର୍ମପ୍ରଚାର ଓ ଅର୍ଥଲାଳସାରେ ମୁସଲମାନମାନେ ସିନ୍ଧୁନଦୀ ପାର ହୋଇ ଭାରତବର୍ଷ ପ୍ରତି ଚଢ଼ାଉ କଲେ । କିନ୍ତୁ ୧୧୯୩ ଖ୍ରୀଷ୍ଟାବ୍ଦପର୍ଯ୍ୟନ୍ତ ଭାରତବର୍ଷରେ ଅଧିକାର ସ୍ଥାପନ କରି ପାରି ନ ଥିଲେ । କେବଳ ଆସି ଥରକୁଥର ଅନେକ ଧନ ସମ୍ପତ୍ତି ଲୁଣ୍ଠନ କରିଥିଲେ । ୧୧୯୩ ଖ୍ରୀଷ୍ଟାବ୍ଦରେ ଆଫଗାନିସ୍ଥାନ ଅନ୍ତର୍ଗତ ଘୋର ପ୍ରଦେଶୀୟ ଉଦ୍ଦୀନ ମହମ୍ମଦ ଦିଲ୍ଲୀ ଅଧିକାର କରି କୁତବୁଦ୍ଦୀନ ନାମକ ଜଣକୁ ଦିଲ୍ଲୀଠାରେ ପ୍ରତିନିଧି ନିଯୁକ୍ତ କରତଃ ସ୍ୱଦେଶକୁ ପ୍ରତ୍ୟାଗତ ହେଲେ । କୁତବୁଦ୍ଦୀନ କିଛିଦିନ ଉତ୍ତାରୁ ସ୍ୱାଧୀନତା ଲାଭ କଲେ । ଅଯୋଧ୍ୟା ଓ ରାଜପୁତାନାର କିୟଦଂଶ ତାଙ୍କର ହସ୍ତଗତ ହେଲା । ବ‌ଖ୍‌ତିଆରଖିଲିଜି ପୂର୍ବଭାଗରେ ରାଜ୍ୟ ବିସ୍ତାରାର୍ଥ ତାଙ୍କଦ୍ୱାରା ପ୍ରେରିତ ହେଲେ । ଖିଲିଜି ଜୟ କରୁ କରୁ ଅବଶେଷରେ ବଙ୍ଗଦେଶକୁ ୧୨୦୩ ଖ୍ରୀଷ୍ଟାବ୍ଦରେ ମୁସଲମାନ ରାଜ୍ୟଭୁକ୍ତ କଲେ; କିନ୍ତୁ ତାଙ୍କଦ୍ୱାରା ଓଡ଼ିଶା ଆକ୍ରାନ୍ତ ହୋଇ ନ ଥିଲା । ମୁସଲମାନମାନଙ୍କର ଓଡ଼ିଶା ସଂସ୍ପର୍ଶ—ମୁସଲମାନମାନେ ଅତି ଅଳ୍ପକାଳ ମଧ୍ୟରେ ପ୍ରାୟ ସମଗ୍ର ଭାରତବର୍ଷକୁ ଏକପ୍ରକାର କରଗତ କରିଥିଲେ । କିନ୍ତୁ ଓଡ଼ିଶା ଆକବରଙ୍କ ରାଜତ୍ୱ ପର୍ଯ୍ୟନ୍ତ (୧୫୬୮) ମୁସଲମାନମାନଙ୍କର ଶାସନାଧୀନ ହୋଇ ନ ଥିଲା ।

ବଙ୍ଗଜୟର ୯ ବର୍ଷ ଉତ୍ତାରୁ (୧୨୧୨), କଥିତ ଅଛି ଯେ, ବଙ୍ଗଳାର ଶାସନକର୍ତ୍ତା ଗୟାସୁଦ୍ଦୀନ ଓଡ଼ିଶା ରାଜାଙ୍କୁ କର ଦେବା ନିମନ୍ତେ ବାଧ୍ୟ