ପୃଷ୍ଠା:Odishara Itihas.pdf/୧୨୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୦୬
ଓଡିଶାର ଇତିହାସ ।

ଉପଢୌକନ ପ୍ରେରଣ କରି ଅଧୀନତା ସ୍ୱୀକାର କଲେ । ତଦନନ୍ତର ମୁକୁନ୍ଦଙ୍କୁ ଆଉ ଆକବରଙ୍କର ସହାୟତା କରିବାର ଆବଶ୍ୟକ ହେଲା ନାହିଁ ।

ପଠାଣଙ୍କଦ୍ୱାରା ଓଡ଼ିଶା ଜୟ—ଯେଉଁ ବଙ୍ଗୀୟ ଶାସନକର୍ତ୍ତା ସଲିମାନ କରରାନିଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ସକାଶେ ଓଡ଼ଶାରାଜା ମୋଗଲ ସମ୍ରାଟ୍ ଆକବରଙ୍କଦ୍ୱାରା ୧୫୬୫ ମସିହାରେ ଉତ୍ତେଜିତ ହେଉଥିଲେ, ଦୁଇ ବର୍ଷ ମଧ୍ୟରେ ସେହି ସଲିମାନ ଆକବରଙ୍କୁ ଉପଯୁକ୍ତ ଉପଢୌକନ ଓ ରାଜ୍ୟର ଏକ ଅଂଶ ଛାଡ଼ି ଦେଇ ତାଙ୍କର ବନ୍ଧୁ ହୋଇ ଉଠିଲେ । ମୋଗଲସମ୍ରାଟ୍ ଆଉ ଅଧିକକାଳ ଓଡ଼ିଶା ଅଧିପତିଙ୍କର ମିତ୍ର ହୋଇ ରହିଲେ ନାହିଁ । ଅବଶେଷରେ ସଲିମାନ ଓଡିଶା ଆକ୍ରମଣ କଲେ । ପ୍ରଥମ ଚେଷ୍ଟା ତାଙ୍କର ନିଷ୍ଫଳ ହୋଇଥିଲା । ଅନନ୍ତର ୧୫୬୭ ମସୀହାରେ ଓଡ଼ିଶା ସଲିମାନଙ୍କର ହସ୍ତଗତ ହେଲା । ଯାଜପୁରଠାରେ ଓଡ଼ିଶା ରାଜାଙ୍କର ମୁକୁନ୍ଦଦେବଙ୍କ ସହିତ ଯୁଦ୍ଧ ଘଟିଥିଲା । ଯୁଦ୍ଧରେ ଓଡିଶାରାଜା ଆହତ ହୋଇଥିବାର ମୁସଲମାନ ଇତିହାସଲେଖକେ ଲେଖିଅଛନ୍ତି । ଯାହାହେଉ ୧୫୬୮ ମସିହାର ଯାଜପୁର ଯୁଦ୍ଧରେ ଓଡ଼ିଶାର ସ୍ୱାଧୀନତା ଲୁପ୍ତ ହେଲା । ସଲିମାନର ବିଖ୍ୟାତ ସେନାପତି କଳାପାହାଡ଼ ଓଡ଼ିଶାକୁ ଅସ୍ତ୍ର ଘେନି ଆସିଥିଲେ । ପୁରୀନଗର ତାଙ୍କଦ୍ୱାରା ଅବରୋଧିତ ହୋଇଥିଲା । କଳାପାହାଡ଼ ହିନ୍ଦୁଧର୍ମର ଅତ୍ୟନ୍ତ ବିଦ୍ୱେଷୀ ହୋଇ ଉଠିଥିବାର ଇତିପୂର୍ବେ ଲିଖିତ ହୋଇଅଛି । ଓଡ଼ିଶାର ଅନେକ ଦେବ ଦେବୀଙ୍କି ଭାଙ୍ଗି ଖଣ୍ଡ ଖଣ୍ଡ କରିବା ବିଷୟରେ ସେ କାଳବିଳମ୍ବ କରି ନ ଥିଲେ । ଓଡିଶାର ଦେଉଳମାନଙ୍କରେ ଆଜିକାଲି ଯେ ଅନେକ ଅର୍ଦ୍ଧଭଗ୍ନ ମୂର୍ତ୍ତି ଦୃଷ୍ଟିଗୋଚର ହୁଅଇ ସେମାନ କଳାପାହାଡ଼ ଓ ତଦ୍ଧର୍ମାବଲମ୍ବିଙ୍କ ହସ୍ତର କୀର୍ତ୍ତିବଶେଷ । ଅଦ୍ୟାପି ସୁଦ୍ଧା ଲୋକେ କ‌ହନ୍ତି କଳାପାହାଡ଼ର ଗୋଚର୍ମନିର୍ମିତ ବାଦ୍ୟରେ ଦେବ ଦେବୀଙ୍କର ହସ୍ତପଦ ଖସି ପଡ଼ିଅଛି । ଜଗନ୍ନାଥ ମୂର୍ତ୍ତିକି ଘେନିଯାଇ କଳାଯାହାଡ଼ ତାଙ୍କର ଯେଉଁ ଦୁର୍ଦ୍ଦଶା ଘଟାଇଥିଲେ ସେ ବିଷୟ ଏଥିପୂର୍ବେ ବର୍ଣ୍ଣିତ ହୋଇଅଛି । ଓଡ଼ିଶା ରାଜାଙ୍କ ପରାଭବ ଉତ୍ତାରୁ ଓଡ଼ିଶାରେ ଆଶ୍ରୟ ଗ୍ରହଣ କରିଥିବା ଦିଲ୍ଲୀର ତାଡ଼ିତ ରାଜା ସୁଲତାନ ଇବ୍ରାହିମ ଖାଁଙ୍କୁ ଆପଣା ଶିବିର ମଧ୍ୟକୁ ନିମନ୍ତ୍ରଣ କରି ନେଇ ଅବଶେଷରେ ସଲିମାନ ତାଙ୍କର ଶିରଛେଦନ କଲେ । ଏପରି ବିଶ୍ୱାସଘାତକତାର ଦୃଷ୍ଟାନ୍ତ ମୁସଲମାନମାନଙ୍କ ଇତିହାସରେ ଅପର୍ଯ୍ୟାପ୍ତ ନେତ୍ରଗୋଚର ହୁଅଇ । ପଠାଣଙ୍କର ଅଧିକାରଭୁକ୍ତ ହେଲାରୁ ଖାଁ ଜାହାନ‌ଙ୍କ ହସ୍ତରେ ଓଡିଶାର ଶାସନଭାର ଅବସ୍ଥିତ ରହିଲା । କୁତୁଲ ଖାଁ ଲୋହାନି ପୁରୀର ଶାସନଭାର ପ୍ରାପ୍ତ ହେଲେ ।