ପୃଷ୍ଠା:Odishara Itihas.pdf/୧୭୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୪୮
ଓଡ଼ିଶାର ଇତିହାସ ।

୧୮୫୪ ଖ୍ରୀଷ୍ଟାବ୍ଦରେ ହାଲିଡେ ସାହେବ ବଙ୍ଗ, ବେହାର ଓ ଓଡ଼ିଶାର ପ୍ରଥମ ଲେଫ୍ଟନଣ୍ଟ୍ ଗବର୍ଣ୍ଣର ନିଯୁକ୍ତ ହେଲେ । ତାଙ୍କ ଉତ୍ତାରୁ ସର୍ ଜନ୍ ପିଟର ଗ୍ରାଣ୍ଟ (୧୮୫୯-୬୨), ସର୍ ସିସିଲ ବିଡ଼ନ (୧୮୬୨-୬୭), ସର ଉଇଲିୟମ ଗ୍ରେ (୧୮୬୭-୭୧), ସର୍ ଜର୍ଜ କେମ୍ବଲ (୧୮୬୧-୭୪) ଓ ସର୍ ରିଚାର୍ଡ଼ ଟେମ୍ପଲ (୧୮୭୪-୭୭), କ୍ରମାନ୍ୱୟେ ଲେଫ୍ଟନେଣ୍ଟ ଗବର୍ଣ୍ଣର ନିଯୁକ୍ତ ହୋଇଅଛନ୍ତି । ସିସିଲ ବିଡ଼୍‌ନ‌ଙ୍କ ସମୟରେ ଓଡିଶାରେ ଏକ ଘୋର ଦୁର୍ଭିକ୍ଷ ପଡିଥିଲା ଓ ସେ ସେଥିର ଆରମ୍ଭରେ ଥରେ ଓଡ଼ିଶାକୁ ଆସିଥିଲେ । ସର୍ ଜର୍ଜ କାମ୍ବେଲ ରାଜକୋଷ ମୁଦ୍ରା ବ୍ୟୟିତ ହୋଇ ବଙ୍ଗଦେଶରେ ଉଚ୍ଚଶିକ୍ଷା ପ୍ରଦତ୍ତ ହେଉ ଏ ବିଷୟର ବିରୋଧୀ ଥିଲେ । ତାଙ୍କ ଶାସିତ ରାଜ୍ୟମାନଙ୍କରେ ପାଠଶାଲା ସ୍ଥାପନର ସୂତ୍ରପାତ କରି ସାଧାରଣ ପ୍ରଜାବର୍ଗଙ୍କର ସେ ବିଶେଷ ଉପକାର ସାଧିଅଛନ୍ତି । ୧୮୭୪ ମସିହାର ନବେମ୍ବର ମାସରେ ଟେମ୍ପଲ ସାହେବ ଓଡିଶା ପରିଦର୍ଶନାର୍ଥ ଆଗମନ କରିଥିଲେ । ଓଡ଼ିଶାରେ କଲେଜ, ମେଡ଼ିକେଲ ସ୍କୁଲ ପ୍ରଭୃତି ବସାଇବା ବିଷୟରେ ସେ ଯତ୍ନ କରିଅଛନ୍ତି; ମାତ୍ର ଦୁଃଖର ବିଷୟ ଯେ, ଏ ସମସ୍ତ ଅନ୍ୟାନ୍ୟ ସ୍ଥଳ ପରି ଉଚ୍ଚ ଆଦର୍ଶରେ ପ୍ରତିଷ୍ଠିତ ହୋଇ ନାହିଁ । ବର୍ତ୍ତମାନ ମାନନୀୟ ଇଡ଼ନ ସାହେବ ଲେଫ୍ଟନେଣ୍ଟ ଗବର୍ଣ୍ଣର ଅଟନ୍ତି ।

ପୁରୀ ରାଜା - ଜଗବନ୍ଧୁ ବିଦ୍ୟାଧରଙ୍କ ବିଦ୍ରୋହ ସମୟରେ ପୁରୀ ରାଜାଙ୍କୁ, ଧୃତ କରି ଆଣି ବାରବାଟୀରେ କାରାରୁଦ୍ଧ କରିଥିଲେ । କିନ୍ତୁ ସେ ନିର୍ଦୋଷ ସପ୍ରମାଣ ହେବାରୁ ତାଙ୍କୁ ଜଗନ୍ନାଥ ମନ୍ଦିରର ତ‌ତ୍ତ୍ୱାବଧାରକ ନିଯୁକ୍ତ କରି ଓ ମାସିକ ଟ ୨୩୩୩ଏ ଙ୍କା ହିସାବରେ ବୁତ୍ତି ଦେଇ ପୁରୀଠାରେ ପୁରୁଷାନୁକ୍ରମେ ରହିବା ସକାଶେ ଇଂରାଜ ଗବର୍ଣ୍ଣମେଣ୍ଟ ଆଦେଶ ଦେଲେ ।

ଓଡ଼ିଶା ଶାସନର ନୂତନ ପ୍ରକାର ବନ୍ଦୋବସ୍ତ—୧୮୨୮ ମସିହାର ୧୩ ତାରିଖ ଅକ୍ଟୋବରଠାରୁ ଓଡିଶା ତିନି ଜିଲାରେ (ଯଥା—କଟକ, ପୁରୀ, ବାଲେଶ୍ୱର) ବିଭକ୍ତ ହୋଇ ହଣ୍ଟର, ଉଇଲକିନ୍‌ସନ୍ ଓ ରିକେଟ ଯଥାକ୍ରମେ ତିନି ଜିଲାରୁ କଲେକ୍ଟର ମେଜଷ୍ଟର ନିଯୁକ୍ତ ହେଲେ । ଲବଣ କଷ୍ଟମ ଇଲାକାର ଭାର ମଧ୍ୟ ସେମାନଙ୍କ ହସ୍ତରେ ଅର୍ପିତ ରହିଲା । ଜଜମାନେ ମେଜଷ୍ଟରୀ କ୍ଷମତା ତୁଲାଇବାରୁ କ୍ଷାନ୍ତ ହେଲେ ।

୧୮୨୮ ମସିହାରେ ଓଡ଼ିଶା ଏକ ଭିନ୍ନ କମିଶନରୀ ବିଭାଗ ସ୍ଥିର ହୋଇ କମିଶନରମାନେ ତଦନ୍ତରୂପ କାର୍ଯ୍ୟ ଚଳାଇବାର କ୍ଷମତା ପ୍ରାପ୍ତ ହେଲେ ।