ଏହି ପୃଷ୍ଠାଟି ବୈଧ ହୋଇସାରିଛି
ପ୍ରଥମ ଅଧ୍ୟାୟ

ମନ୍ଦିର ଯାଜପୁରର ଅନ୍ୟତର ଏକ ପ୍ରଧାନ ଦେବାଳୟ । ଯାଜପୁରର ବୈତରଣୀ ଘାଟ ହିନ୍ଦୁଙ୍କର ଗୋଟିଏ ପ୍ରଧାନ ତୀର୍ଥ । ଏଠା ଜଳବାୟୁ ଅତି ଉତ୍କୃଷ୍ଟ । ସେଠା ଲୋକସଂଖ୍ୟା ଦଶ ସ‌ହସ୍ରରୁ ଅଧିକ ହେବ ।

କେନ୍ଦରାପଡ଼ା (କଣ୍ତରାପଡ଼ା ବା କେନ୍ଦରୀୟାପଡ଼ା) ପୂର୍ବେ ବିଖ୍ୟାତ ସ୍ଥାନ ନ ଥିଲା । ବର୍ତ୍ତମାନ ଏଠାରେ ଗୋଟିଏ ସବ୍‌ଡିବିଜନ କଚେରୀ ହୋଇଅଛି । ବଳଦେବଜୀଉଙ୍କର ଏଠାରେ ଏକ ମନ୍ଦିର ଅଛି । ସେଥିଯୋଗୁଁ କେନ୍ଦରାପଡ଼ା ତୁଳସୀକ୍ଷେତ୍ର ବୋଲି ଖ୍ୟାତ ହୋଇଅଛି । ଏଠା ଜଳବାୟୁ ଅସ୍ୱାସ୍ଥ୍ୟକର ନୁହେ । ଅଧିବାସୀସଂଖ୍ୟା ପ୍ରାୟ ଦଶ ସ‌ହସ୍ର ହେବ ।

ଜଗତ୍‌ସିଂହପୁର ଏକ ବସତିପୂର୍ଣ୍ଣ ଗ୍ରାମ ଅଟେ । ୧୮୬୬ ସାଲର ଦୁର୍ଭିକ୍ଷ ଉତ୍ତାରୁ ଇଂରାଜଙ୍କର ଏକ ସବ୍‌ଡିବିଜନ କଚେରୀ ଏଠାରେ ସ୍ଥାପିତ ହୋଇଥିଲା । ୧୮୭୪ ଖ୍ରୀଷ୍ଟାବ୍ଦରେ ସେ କଚେରୀ ପୁଣି ଉଠିଗଲା । ପ୍ରକୃତ ଓଡ଼ିୟା ଛଡ଼ା ଉପନିବାସୀ ଖୋରଟା ଓ ବଙ୍ଗାଳୀ ଅନେକ ଏ ଅଞ୍ଚଳରେ ବାସ କରନ୍ତି ।

ଚୌଦୁଆର (ଚତୁର୍ଦ୍ଦ୍ୱାର ) ଓଡ଼ିଶାର ପ୍ରଥମ ପୁରାତନ ପ୍ରଧାନନ‌ଗର ଅଟଇ । ଗୁପ୍ତବଂଶୀୟ ରାଜାଙ୍କ ସମୟରେ ସୁଦ୍ଧା ଏହା ରାଜଧାନୀରୂପେ ବ୍ୟବ‌ହୃତ ହେଉଥିଲା । ବର୍ତ୍ତମାନ ଏଥିର ଭଗ୍ନାବଶେଷ ବିରୂପାକୂଳରେ ଦୃଷ୍ଟିଗୋଚର ହୁଏ ।

ଭୁବନେଶ୍ୱର ଲ‌ଲାଟେନ୍ଦ୍ରକେଶରୀଙ୍କଦ୍ୱାରା ସ୍ଥାପିତ ହୋଇଥିଲା । ପୂର୍ବେ ଏଥିର ଆୟତନ ପଞ୍ଚବର୍ଗକୋଶ ଥିଲା । ପୂର୍ବେ ଏ ନ‌ଗରର ସ୍ଥାନ ସ୍ଥାନରେ ଯେପରି ପ୍ରାସାଦ ଓ ଅଟାଳିକାମାନ ଥିବାର ଭଗ୍ନାବଶେଷ ଲକ୍ଷିତ ହୁଏ ସେଥିରୁ ସ୍ପଷ୍ଟ ଜଣାଯାଏ ଯେ ଭୁବନେଶ୍ୱର ପରି ପ୍ରକାଣ୍ତ ଓ ଶୋଭାଯୁକ୍ତ ନ‌ଗରର ସଂଖ୍ୟା ସମଗ୍ର ଭାରତବର୍ଷରେ ସୁଦ୍ଧା ପୂର୍ବକାଳରେ ଅଧିକ ନ ଥିଲା । ବର୍ତ୍ତମାନ ଭୁବନେଶ୍ୱର ଦେଉଳ ଥିବାଯୋଗୁଁ ଶିବକ୍ଷେତ୍ର ବୋଲି ସେ ନ‌ଗରର ଖ୍ୟାତି ଓଡ଼ିଶାରେ ରହିଅଛି । ବର୍ତ୍ତମାନ ସେଠାରେ ଗୋଟିଏ ଫାଣ୍ତି ଛଡ଼ା ଇଂରାଜଙ୍କର ଆଉ କୌଣସି କଚେରୀ କି କେହି କର୍ମଚାରୀ ନାହାନ୍ତି । କ୍ଷେତ୍ର ଥିବା ହେତୁରୁ ଅନବରତ ଯାତ୍ରିମାନେ ସେଠାକୁ ଗମନାଗମନ କରନ୍ତି । ସେଠା ଅଧିବାସିଙ୍କ ମଧ୍ୟରେ ଅଧୁନା ବ୍ରାହ୍ମଣ ଓ ବଟୁପ୍ରଧାନ ଅଧିକ ସଂଖ୍ୟକ ।

ଖୋର୍ଦା ଭୋଇବଂଶୀୟ ରାଜାଙ୍କର ରାଜଧାନୀ ଥିଲା । ପୂର୍ବେ ଓ ଇଂରାଜଙ୍କ ରାଜତ୍ୱ ସମୟରେ ଖୋର୍ଦା ଅଞ୍ଚଳୀୟ ଲୋକେ ବାରମ୍ବାର ବିଦ୍ରୋହାନଳ ପ୍ରଜ୍ଜ୍ୱଳିତ କରିଥିଲେ । ବର୍ତ୍ତମାନ ଏଠାରେ ଇଂରାଜଙ୍କର ସବ୍‌ଡ଼ିବିଜନ କଚେରୀ ଅଛି । ୧୮୦୪ ସାଲରେ ଖୋର୍ଦାଗଡ଼କୁ ଇଂରାଜମାନେ ଖାସ କରି ଏଠାରେ ସେହି