ଓଡିଶା ପାହାଡମାନଙ୍କରେ ମାକଡ଼ା, ବନ୍ଧା, ଅକର୍ମଶିଳା, ବଉଳମାଳା, ଖଡି, ମୂଗନୀ ପ୍ରଭୃତି ଭିନ୍ନ ଭିନ୍ନ ପ୍ରକାର ପ୍ରସ୍ତର ଦେଖାଯାଏ ।
ଓଡ଼ିଶାର ଗଡଜାତମାନଙ୍କରେ ପାହାଡ଼ପର୍ବତ ଅନେକ ଅଛି । ଗଡଜାତ ମାନଚିତ୍ର ପ୍ରତି ଦୃଷ୍ଟିପାତ କଲେ ସମସ୍ତ ରାଜ୍ୟ ପ୍ରାୟ ପର୍ବତମୟ ଦୁଷ୍ଟ ହୁଏ । ବିଶେଷତଃ ମୟୁରଭଞ୍ଜର ଉତ୍ତର-ପଶ୍ଚିମରୁ ଦକ୍ଷିଣ-ପୂର୍ବ କୋଣ ପର୍ଯ୍ୟନ୍ତ, କେନ୍ଦୁଝର ଦକ୍ଷିଣ ଓ ପୂର୍ବାଂଶ, ପାଳଲହଡ଼ା, ନୀଳଗିରିର ପୂର୍ବାଂଶ, ତାଳଚେର ଓ ଢେଙ୍କାନାଳର ମଧ୍ୟସ୍ଥଳୀ, ଆଠଗଡ଼ର ଉତ୍ତରାଂଶ ଓ ତାଳଚେର, ଢେଙ୍କାନାଳ, ଆଠଗଡ ଏହି ତିନି ଗଡ଼ଜାତର ଦକ୍ଷିଣଭାଗସ୍ଥିତ ସମସ୍ତ ଗଡ଼ଜାତ, ଶସ୍ୟାବୃତ ଧାନ୍ୟକ୍ଷେତ୍ରର ନ୍ୟାୟ ପର୍ବତାକୀର୍ଣ୍ଣ । ସେ ସ୍ଥଳମାନଙ୍କରେ ମନୁଷ୍ୟର ବାସୋପଯୋଗୀ ସମତଳଭୂମି ଅଛି ବୋଲି ସ୍ଥୂଳଚକ୍ଷୁ ନିର୍ଦ୍ଧାରଣ କରି ପାରଇ ନାହିଁ । ଗଡ଼ଜାତ ପ୍ରଧାନ ପ୍ରଧାନ ପାହାଡ଼ମାନଙ୍କର ନାମ ଓ ଉଚ୍ଚତା ନିମ୍ନରେ ପ୍ରକଟିତ ହେଉଅଛି ।
ପାହାଡ଼ର ନାମ । | କେଉଁଠାରେ ଅବସ୍ଥିତ । | ଉଚ୍ଚତା । | |
୧ | ମେଘାସନୀ | ମୟୁରଭଞ୍ଜ | ୩୮୨୪ ଫୁଟ |
୨ | ଆମଜୋବୀ | ମୟୁରଭଞ୍ଜ | ୩୫୧୩ ଫୁଟ |
୩ | ଠାକୁରାଣୀ | କେନ୍ଦୁଝର | ୩୦୦୩ ଫୁଟ |
୪ | ଗନ୍ଧମାଦନ | କେନ୍ଦୁଝର | ୩୪୭୯ ଫୁଟ |
୫ | ମଳୟଗିରି | ପାଳଲହଡ଼ା | ୩୮୯୫ ଫୁଟ |
୬ | କପିଳାସ | ଢେଙ୍କାନାଳ | ୨୦୯୮ ଫୁଟ |
୭ | ପଞ୍ଚଧାର | ଅନୁଗୂଳ | ୨୯୦୮ ଫୁଟ |
ମୋଗଲବନ୍ଦୀରେ ପାହାଡ଼ପର୍ବତ ଦୃଷ୍ଟ ହୁଅଇ ନାହିଁ । ଗୋଟାକେତେ ଯାହା ଦେଖାଯାଏ ସେ ସବୁ ମୁଣ୍ତିଆ ନାମର ଯୋଗ୍ୟ । ନେଉଳପୁର, ନଳତୀଗିରି, ଅଳତୀଗିର, ଆଲମଗିରି ଏବଂ ଖୋର୍ଦ୍ଧା ଓ ଦାଣ୍ଡିମାଳ ପାହାଡ଼ମାନ ସେମାନଙ୍କ ମଧ୍ୟରେ ପ୍ରଧାନ । ଏହି ସବୁ ପାହାଡ ମଧ୍ୟରୁ ଅଧିକାଂଶ ପାହାଡ଼ ଦେହରେ ବୌଦ୍ଧଙ୍କର ଖୋଦିତ ଗହ୍ୱର ଓ ଅନ୍ୟାନ୍ୟ କୀର୍ତ୍ତିମାନ ସଂରକ୍ଷିତ ହୋଇଅଛି ।
ଅନ୍ତରୀପ--ଓଡ଼ିଶାର ଉପକୂଳରେ ଏକ ଏକ ସ୍ଥାନର ଭୂମି ସୂଚ୍ୟାକାର ହୋଇ ସମୁଦ୍ର ମଧ୍ୟକୁ ପ୍ରଧାବିତ ହୋଇଅଛି, ସୁତରାଂ ସେମାନ ଅନ୍ତରୀପ ନାମର ଯୋଗ୍ୟ । ଜମ୍ବୁମୁହାଣସ୍ଥ ଫଲ୍ସପଏଣ୍ଟ ( ବତୀଘର ) ଓ ଧାମରାମୁହାଣସ୍ଥ ପାଲମିରା ଓଡ଼ିଶା ଉପକୂଳର ଅନ୍ତରୀପମାନଙ୍କ ମଧ୍ୟରେ ପ୍ରଧାନ ।