ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶବ

ପଡ଼ିଛି କାହାର ଶବ ମଝି ସଡ଼କରେ
ସେ ପାଖରେ ଲୋକଙ୍କ ଭିଡ଼
ପାଖ କାଟି ଚାଲିଗଲେ କେତେ କିଏ
କେତେ କିଏ ପାରିଲେନି ଦେଖି
କାହା ପାଦ ରହିଗଲା କିଏ ଚୁପ୍ ହେଲା
ଦେଖି ପୁଣି କିଏ ଜଣେ ବୁଜିଦେଲା ଆଖି

ସେ ରାସ୍ତାରେ ମନ୍ତ୍ର ପଢ଼ି ଚାଲିଗଲା ଜଣେ
ଫୁଲ ତୋଳେ ଏ ଶିଶୁ କାହାର
ସେଠାରେ ହସିଲା କିଏ
କିଏ ହାତ ବଢ଼ାଇଲା
ସମୟକୁ ବନ୍ଦ କରିବାକୁ
ନିର୍ଜନ ରାସ୍ତାରେ ପୁଣି
ହଜିଗଲା କାହାର ଚିତ୍କାର

ଆଲୁଅର ଉଜାଣିରେ
ସେ ରାସ୍ତାରେ ହଜିଗଲା ଜଣେ
ମନର ଅନେକ ସ୍ୱପ୍ନ
ଜାଳିଦେଇ ଦୀର୍ଘ ନିଶ୍ୱାସରେ
କେ କହିଲା ଆହା
କିଏ ତାର ଜୀବନକୁ ମାପ କଲା
ଜଳୁଥିବା ମହାମବତୀରେ

୨୦ । ପ୍ରଥମ ପୁରୁଷ