ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଉପସ୍ଥାପନା

'ପ୍ରଥମ ପୁରୁଷ’ ଜଗନ୍ନାଥ ପ୍ରସାଦ ଦାସଙ୍କ ପ୍ରଥମ କବିତା ସଂକଳନ । ଏହା ପ୍ରଥମେ ପ୍ରକାଶିତ ହୋଇଥିଲା ୧୯୭୧ରେ । ପୃଷ୍ଠା ସଂଖ୍ୟା ୫୬ । ଏହାର ପ୍ରଚ୍ଛଦ ଆଙ୍କିଥିଲେ ଭାରତୀୟ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତୀ ପୁରୁଷ ସତ୍ୟଜିତ୍ ରାୟ ।

୪୦ ବର୍ଷରୁ ଅଧିକ ସମୟ ତଳେ ପ୍ରକାଶିତ 'ପ୍ରଥମ ପୁରୁଷ'ର ପାଠକୀୟ ଆବେଦନ ଏହା ମଧ୍ୟରେ ତିଳେ ହ୍ରାସ ପାଇନାହିଁ । ‘ପ୍ରଥମ ପୁରୁଷ’ ଏକ ସର୍ବକାଳୀନ ସାହିତ୍ୟକୃତିର ମାନ୍ୟତା ଲାଭ କରିଛି ବୋଲି କୁହାଯାଇପାରେ । ‘ପ୍ରଥମ ପୁରୁଷ' ପ୍ରକାଶିତ ହେବା ସମୟକୁ ସଚ୍ଚି ରାଉତରାୟ, ଗୁରୁପ୍ରସାଦ ମହାନ୍ତି, ରମାକାନ୍ତ ରଥଙ୍କର ଓଡ଼ିଆ କାବ୍ୟ ଆକାଶରେ ଆବିର୍ଭାବ ଘଟି ସାରିଲାଣି ।