ଏହି ପୃଷ୍ଠାଟି ବୈଧ ହୋଇସାରିଛି
ପରିଶିଷ୍ଟ ୧
ଦଶକାନ୍ତ ବିଚାର

ପ୍ରକାଶିତ ପ୍ରଥମ କୃତିକୁ ନେଇ କୌଣସି କଳାକାରର ସାଫଲ୍ୟ-ବୈଫଲ୍ୟର ମୂଲ୍ୟାୟନ କରିବା ନ୍ୟାୟ ସଙ୍ଗତ ନୁହେଁ । ମାତ୍ର କବି ଶ୍ରୀ ଜଗନ୍ନାଥ ପ୍ରସାଦ ଦାସଙ୍କ ‘ପ୍ରଥମ ପୁରୁଷ’ ଏ ନିୟମର ବ୍ୟତିକ୍ରମ । ଦୀର୍ଘ ପନ୍ଦର ବର୍ଷ କାଳର ଆତ୍ମନିର୍ବାସନ ପରେ କବିତା-ପ୍ରେୟସୀଙ୍କ ପାଖକୁ ଶ୍ରୀ ଦାସଙ୍କର ବିସ୍ମୟକର ପ୍ରତ୍ୟାବର୍ତ୍ତନ, ସଂକଳନ ଆକାରରେ ‘ପ୍ରଥମ ପୁରୁଷ’ ନାମଧରି ପୁସ୍ତକ ପ୍ରକାଶନ, ସର୍ବୋପରି ଗୋଟିଏ ଦଶକ ପରେ ନୂତନ ନାମ ଓ କଳେବର ଧରି ପୁସ୍ତକର ପୁନଃମୁଦ୍ରଣ ଇତ୍ୟାଦି ବିଷୟକୁ ବିଚାରକୁ ନେଇ ଦେଖିଲେ ଏ ପୁସ୍ତକଟି ସବୁଦିଗରୁ ଅଭିନବ ଓ ଏହାର ସାଫଲ୍ୟ ବୈଫଲ୍ୟ ନିରୂପଣର ଏକାନ୍ତ ଆବଶ୍ୟକତା ରହିଛି ।

‘ପ୍ରଥମ ପୁରୁଷ’ର ପ୍ରକାଶନ କାଳ ଓଡ଼ିଆ କବିତା ରଚନା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ ସମୟ । ଏ ସମୟରେ ଓଡ଼ିଆ କବିତା କ୍ଷେତ୍ରରେ ଅଗଣନ କବିଙ୍କର ଆବିର୍ଭାବ ଘଟିଥିଲେ ହେଁ ଉଭୟ ଭାବ ଓ ପ୍ରକରଣର ପରାକାଷ୍ଠା ଦୃଷ୍ଟିରୁ ଯେଉଁ କେତେଜଣ ହାତଗଣନ୍ତା କବି ପ୍ରକୃତ କବିତ୍ୱର ଯଶ ଓ ପ୍ରତିଷ୍ଠା ଅର୍ଜନ କରି ପାରିଛନ୍ତି, ଜଗନ୍ନାଥ ପ୍ରସାଦ ତନ୍ମଧ୍ୟରୁ ଅନ୍ୟତମ । ନଚେତ୍ ଏସମୟର ଅଧିକାଂଶ କବି ଅଗ୍ରଜ ସଚ୍ଚିଦାନନ୍ଦ, ଗୁରୁପ୍ରସାଦ ବା ସମସାମୟିକ ରମାକାନ୍ତଙ୍କ ପ୍ରଭାବରେ ଆଚ୍ଛନ୍ନ ହୋଇ ନିଜର ସ୍ୱତନ୍ତ ଭାବ ଓ ପ୍ରକରଣ ସୃଷ୍ଟିର ପଥ ହରାଇ ବସିଛନ୍ତି । ଏପରି ସମୟରେ ଓଡ଼ିଆ କବିତାର ପ୍ରାଙ୍ଗଣରେ କବି ଜଗନ୍ନାଥ ପ୍ରସାଦଙ୍କର ସ୍ୱାତନ୍ତ୍ର୍ୟ ମଣ୍ଡିତ ଆବିର୍ଭାବ ନିଃସନ୍ଦେହରେ ଗୁରୁତ୍ୱପୁର୍ଣ ଓ ଚାଞ୍ଚଲ୍ୟକର । ଚାଞ୍ଚଲ୍ୟର ଅନ୍ୟ ଏକ କାରଣ ହେଲା ସଂକଳନ ‘ପ୍ରଥମ ପୁରୁଷ’ର ବହିରଙ୍ଗର ଅଭିନବ ଠାଣିମାଣି - ଏହାର ଆୟତନ, ପ୍ରଚ୍ଛଦପଟରେ ଶ୍ରୀ ସତ୍ୟଜିତ ରାୟଙ୍କ ଅନବଦ୍ୟ ସ୍ୱାକ୍ଷର, ପୃଷ୍ଠାଙ୍କ ବର୍ଜନ, ବିରାମ ଚିହ୍ନର ବର୍ଜନ ଇତ୍ୟାଦି- ସବୁ ମିଶି ଓଡ଼ିଆ କବିତାରେ ଏପୁସ୍ତକ ଯଥାର୍ଥରେ ଏକ ‘ପ୍ରଥମ ପୁରୁଷ’ର ଆବିର୍ଭାବ ।