ଏହି ପୃଷ୍ଠାଟି ବୈଧ ହୋଇସାରିଛି
୮୪
ଶଶିସେଣା
 

ନାମକୁ ଶରଧା କି ମୋହୋରେ କାର୍ଯ୍ୟ ଅଛି ।
ଦୁଇ କଥା ବିଚାରିଣ କ‌ହ ରେ ମୃଗାଛି ।
ବୋଲଇ ସୁନ୍ଦରୀ ହେ ଶୁଣିମା ପ୍ରାଣନାଥ ।
ନାମ ମୋତେ କ‌ହିବା ମୋ ଶରଧା ବ‌ହୁତ । ୨୩ ।
ତାହା ଶୁଣି କୁମର ଯେ ସୁମରଇ ହରି ।
ୟେତେକେହେଁ ନ ଚେତିଲା ଶଶିସେଣା ନାରୀ ।
ମୋହୋର ନିମନ୍ତେ କେତେ ଦୁଃଖ ପାଇଅଛି ।
ତେଣୁ କରି ୟେହାକୁ ମୁଁ ନ ପାରଇ ମୂର୍ଚ୍ଛି । ୨୪ ।
ୟେତେ ବୋଲି ଜଳର ଭିତରେ ପରବେଶ ।
ଶଶିସେଣା ମୁହିଁ ଛାଡ଼ଇ ନିଶ୍ୱାସ ।
ବୋଲଇ ସୁମୁଖି ତୁ ଗୋ ୟେବେ ସତ କ‌ହ ।
ନାମ କାର୍ଯ୍ୟ ଅଛି କି ଗୋ ମୋହୋରେ ସେନେହ । ୨୫ ।
ଶଶିସେଣା ବୋଲଇ ଯେ ପ୍ରାଣର ବଲ୍ଲଭ ।
ମୋତେ ଅନୁଗ୍ରହ ଥିଲେ ନାମହିଁ କ‌ହିବ ।
କୁମର ବୋଲଇ ଶୁଣ ନୃପତି-ଦୁଲାଳୀ ।
ଦେବୀର ତନୟ ମୁହିଁ ନାମ ମୋର ହଳୀ । ୨୬ ।
ମାୟାରେଣ ଜାତ ହୋଇଥିଲି ମଞ୍ଚପୁରେ ।
ବନ୍ଦୀ କରିଥିଲୁ ସେବା ସେନେହେ ତୋହୋରେ ।
ୟେବେ ମୋତେ ମୃର୍ଚ୍ଛିଲୁ ମୋହାରେ ଦୋଷ ନାହିଁ ।
ଆପଣା କରମ ଭୁଞ୍ଜ ଯାଉଅଛି ମୁହିଁ । ୨୭ ।

୨୬-୧ ଦେବୀର କୁମର ମୋର ନାମ ହଳହଳି (ଗ) ।