ଏହି ପୃଷ୍ଠାଟି ବୈଧ ହୋଇସାରିଛି

କରି ଦେଲା । ରାଜାଙ୍କ କାନରେ ଏ କଥା ବାଜିଲା କ୍ଷଣି ସେ ଭାରି ଖୁସି ହେଲେ ଏବଂ ମଲୁଣୀକି ଶୂଳିଆ ପଦାରେ ଶୂଳି ଦେଲେ ଓ ତାର ଯେତେ ଧନ ଦଉଲତ ଥିଲା ସବୁ ନଅରକୁ ନେଇ ଆସିଲେ । ତାପରେ ଶଶିସେଣା ରଜାଙ୍କର ଧର୍ମ ଝିଅ ହେଲା । ରଜା ବି ସବୁ କଥା ଜାଣି ପାରି ନିଜ ଝିଅ ଓ ଧର୍ମଝିଅ ଦୁହିଙ୍କୁ ଭାରି ଜାକଜମକରେ ଅଭିମନ୍ୟୁ ସଙ୍ଗେ ବିଭା କରି ଦେଲେ । ଦୁଇ ଭାରିଯାଙ୍କୁ ଧରି ସେ ସେଠି ମହା ମଉଜରେ ଦିନାକେତେ ରହିଲା ।

ଏମିତି ଅନେକ ଦିନ ବିତି ଗଲା । ଏଣେ ଅଭିମନ୍ୟୁର ନାଗ ଭାରିଯାମାନେ ଅନେକ ଦିନ ହେଲା ତାକୁ ନ ଦେଖି ବିରହରେ ଘାଣ୍ଟି ହେଉଥାନ୍ତି । ଦିନକର ସେମାନଙ୍କ ଭିତରୁ ଜଣେ ଶବରଣୀ ବେଶ ଧରି ଅମର କୋଳି ବିକିବା ବାହାନାରେ ଅଭିମନ୍ୟୁ ଘର ପାଖକୁ ଆସିଲ। । ଶଶିସେଣା ତାକୁ ଦେଖି ତିନୋଟି ଅମର ଫଳ କିଣିବାକୁ ମାଗିଲାରୁ ସେ କହଲା, ତିନୋଟି କଣ ହେବ ? ତୁମ ଦୁଇ ସଉତୁଣୀଙ୍କ ପାଇଁ ଦିଓଟି ନିଅ, ଅଭିମନ୍ୟୁ ତ ଅମର, ତାର ଏ ଫଳ କଣ ହେବ ? ଶଶିସେଣା ଆକଲା ହୋଇ ପଚାରିଲା—ସେ କେମିତି ଅମର? ତାଙ୍କୁ ପଚାର ବୋଲି କହି ଶବରୁଣୀ ସେ ଯାଗାରୁ ଚାଲିଗଲା । ଏହି ଘଟନାରେ ଶଶିସେଣା ମନରେ କେତେ ଆଡ଼ୁ କେତେ ଚିନ୍ତା ଖେଳିଗଲା । କେତେକ ସମୟ ପରେ ଅଭିମନ୍ୟୁ ଯେମିତି ଘରକୁ ଫେରିଲା, ଶଶିସେଣା ତାର ପ୍ରକୃତ ନାଁ କଣ ବୋଲି ତାକୁ ପଚାରିଲା । ଅଭିମନ୍ୟୁ ଭାବିଲା-ଦିନେ ନାହିଁ, କାଳେ ନାହିଁ, ଆଜି ଏ କି ନୂଆ କଥା ଏ ପଚାରୁଛି । ଦଣ୍ଡକ ଭିତରେ ପାତାଳ ପୁରର ନାଗ ଭାରିଯା ମାନଙ୍କ କଥା ତାର ମନେ ପଡ଼ିଗଲା । ସେଉଠୁ ସେ ଶଶିସେଣାକୁ ଭୁଲେଇ ଦେବ ବୋଲି ଭାବି କହିଲା— ତମେ ମୋ ନାଁରୁ କଣ