ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅଗ୍ରପଶ୍ଚାତ୍ ବିଚାର ନ କରି ତାହାର ପ୍ରଣୟ-ପାଶରେ ଧରା ଦେଇଅଛି ତାହା ନୁହେଁ-ପରନ୍ତୁ ଧର୍ମହାନି ଓ କୁଳକଳଙ୍କ ଆଦି ନୈତିକ ତଥା ସାମାଜିକ ଜଟିଳ ସମସ୍ୟା ଭିତରେ ନିଜର କ୍ଷୁଦ୍ର ମସ୍ତିଷ୍କକୁ ଖେଳାଇ ପରେ ସ୍ୱାଧୀନ ମତ ବ୍ୟକ୍ତ କରିଅଛି । ବିବାହ ଯେ ଜୀବନର ଏକ ଗୁରୁତର ଆଧ୍ୟାତ୍ମିକ ବନ୍ଧନ ଏବଂ ସଂସାରର ଦୀର୍ଘ ପିଚ୍ଛିଳ ପଥରେ ଦୁଇ ବିଭିନ୍ନ ଜୀବନକୁ ମିଳନର ମଧୁର ମନ୍ଦକିନୀ ଧାରାରେ ଚିରକାଳ ବଞ୍ଚାଇ ରଖିବା ଯେ ଏହାର ପବିତ୍ର ଉଦ୍ଦେଶ୍ୟ-ଏହା ପ୍ରେମିକ ପ୍ରେମିକା ଉଭୟେ ଉତ୍ତମରୂପେ ହୃଦୟଙ୍ଗମ କରିଥିଲେ । ତେଣୁ ସେମାନଙ୍କ ମିଳନ ଭିତରେ ଉଚ୍ଛୃଙ୍ଖଳ ପ୍ରେମର କୌଣସି ସତ୍ତା ଦେଖିବାକୁ ମିଳେ ନାହିଁ । ସଂଯତ ଚରିତ୍ରନଷ୍ଠା ଉଭୟଙ୍କର ଥିଲେହେଁ ଜୀବନରେ ବ‌ହୁଦର୍ଶିତା ଜନିତ ଅଭିଜ୍ଞତାର ଅଭାବବଶତଃ ସେମାନେ ଯୌବନର ମହାସାଗରରେ ଭାସମାନ ହୋଇ ସ୍ୱକର୍ତ୍ତବ୍ୟ ଅବଧାରଣ ପରି ପାରି ନାହାନ୍ତି ଏବଂ କେବଳ ତନ୍ମିମିତ୍ତ ପରମହିତାକାଙ୍ଣୀ ପିତୃକଳ୍ପ ଗୁରୁଦେବଙ୍କର ଅନୁଜ୍ଞା ତଥା ପରାମର୍ଶପ୍ରାର୍ଥୀ ହୋଇଅଛନ୍ତି । ଗୁରୁଦେବ ମଧ୍ୟ ଉଭୟଙ୍କ ଉଦ୍ଦେଶ୍ୟର ଅନୁକୂଳ ଉପାୟ ଚିନ୍ତା କରି ଗୋପନରେ ଉଭୟଙ୍କ ପରିଣୟ କ୍ରିୟା ସମ୍ପନ୍ନ କରିଅଛନ୍ତ ଏବଂ ବିବାହ ପରେ ବିଦେଶ ଯାତ୍ରା ନିମିତ୍ତ ପରାମର୍ଶ ଦେଇଅଛନ୍ତି । କଥାଚିତ୍ରଟିର ଏହି ଅଂଶରେ କବି ପ୍ରତାପଙ୍କ ସମସାମୟିକ ଉତ୍କଳୀୟ ସମାଜର ଚିତ୍ର ସମାଲୋଚକର ଦୃଷ୍ଟି ଆକର୍ଷଣ କରେ । ବିଂଶ ଶତାବ୍ଦୀର ସଭ୍ୟ ଯୁଗରେ ଆମ୍ଭେମାନେ ଦେଖୁଁ ଯେ ବାଳକ ଓ ବାଳିକାମାନଙ୍କ ଶିକ୍ଷା ନିମିତ୍ତ ଭିନ୍ନ ଭିନ୍ନ ବିଦ୍ୟାଳୟର ବ୍ୟବସ୍ଥା, କରା ଯାଇଅଛି । କିନ୍ତୁ ପ୍ରାଚୀନ ଉତ୍କଳରେ ସମାଜର ଚରିତ୍ରନଷ୍ଠା ଦୃଢ଼ ଥିବାରୁ ଏକ ବିଦ୍ୟାଳୟରେ ବାଳକ ବାଳିକା ଏକତ୍ର ଅଧ୍ୟୟନ କରୁଥିଲେ ।