ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏହା ଅହିମାଣିକ୍ୟଠାରୁ ଶଶିସେଣାର ବୁଦ୍ଧିମତ୍ତା ଓ ପ୍ରତ୍ୟୁତ୍ପନ୍ନମତିତ୍ୱର ପୂର୍ଣ୍ଣ ପରିଚୟ ପ୍ରଦାନ କରେ, କାରଣ ଶଶିସେଣାର ପିତୃରାଜ୍ୟକୁ ପ୍ରତ୍ୟାବର୍ତ୍ତନ ପ୍ରସ୍ତାବନା କାଳରେ ଅହିମାଣିକ୍ୟ ଓ ଶଶିସେଣାର ଉତ୍ତର ଓ ପ୍ରତ୍ୟୁତ୍ତର ତାହାର ପ୍ରକୃଷ୍ଟ ନିଦର୍ଶନ ।

ଅହିମାଣିକ୍ୟ ବୋଲଇ ତାହା ଶୁଣି ମୂର୍ଚ୍ଛିଲେ ସେ ମଲା ବୋଲିଣ ।
ୟେବେ ଗଲେ ସର୍ବେ ଚକିତ ହୋଇବେ ଭଣ୍ତାଇବା କିସ କ‌ହିଣ ।
ସୁନ୍ଦରୀ । ବୋଲି ଶୁଣ ପ୍ରାଣନାଥ
ୟେ କଥାକୁ କିଛି ମନେ ନ ବିଚାର ଅଛିନି ଉପାୟେ ବ‌ହୁତ ।୧୪।୧୩।

ପରବର୍ତ୍ତୀ କାଳରେ ଯେତେବେଳେ ହିନ୍ଦୁ ମୁସଲମାନ ଉଭୟ ଜାତିର ଧର୍ମସମନ୍ୱୟ ଏବଂ ପ୍ରୀତି ସଂପାଦନ ନିମିତ୍ତ ଉତ୍କଳରେ ସତ୍ୟପୀର ପୂଜାର ସୂତ୍ରପାତ ହେଲା, ସେତେବେଳେ କବିକର୍ଣ୍ଣ ନାମା ଏକ କବି ଓଡିଆ, ବଙ୍ଗଳା ଓ ଉର୍ଦ୍ଦୁ ଏହି ତିନିଭାଷା ମିଶାଇ ଅନେକ ଗୁଡ଼ିଏ ଉପାଖ୍ୟାନ ରଚନା କରିଥିଲେ । ସେ ସକଳ ସଂଖ୍ୟାରେ ଷୋଳଗୋଟି ଏବଂ ସତ୍ୟପୀରଙ୍କ ଅପାର କରୁଣା ଓ ଅଦ୍ଭୁତ ମହିମାର ପ୍ରକାଶ ନିମିତ୍ତ ଅଭିପ୍ରେତ । ସେହି ଷୋଳ ପାଲା ମଧ୍ୟରୁ ମନୋହର ଫାସିଆରା ପାଲା ଏକତମ । ସେଥିରେ ଶଶିସେଣା କାବ୍ୟର ଗଣ୍ତାବଧ ଓ ରାଜକନ୍ୟା ବିବାହ ପ୍ରସଙ୍ଗ ଅବିକଳ ଗୃହୀତ ହୋଇଅଛି । ଏଥିରୁ ଅନୁମିତ ହୁଏ ଯେ, କବିକର୍ଣ୍ଣ ପ୍ରତାପରାୟଙ୍କ ଶଶିସେଣା କାବ୍ୟର ପ୍ରଭାବରେ ଆସିଥିଲେ ଏବଂ ତାଙ୍କ ବର୍ଣ୍ଣନାର ଚମତ୍‌କାରିତାରେ ମୁଗ୍ଧ ହୋଇ ବୋଧ ହୁଏ ଏକାଧିକବାର ଗ୍ରନ୍ଥଟି ପାଠ କରିଥିଲେ । ପରେ ସେ ସତ୍ୟପୀରଙ୍କ ମହିମା ପ୍ରଖ୍ୟାପନ ନିମିତ୍ତ ବିଭିନ୍ନ ଉପାଖ୍ୟାନ ବା ପାଲା ରଚନା କଲାବେଳେ ଶଶିସେଣାର ଗଣ୍ତାବଧ ଓ ରାଜକନ୍ୟା ବିବାହ ପ୍ରସଙ୍ଗର ଲୋଭ