ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରଥମ ଛାନ୍ଦ

(ସଙ୍ଗମ ତିଆରି ବାଣୀରେ ଗାଇବ)

ବନ୍ଦଇ ଶ୍ରୀ ଜଗନ୍ନାଥ ନୀଳାଦ୍ରିପତି ।
ଶରଣଜନର ନାଥ ସଦୟଗତି । ୧ |
ପଞ୍ଚୁକୋଶ ପୁଣ୍ୟକ୍ଷେତ୍ର ସିନ୍ଧୁର ତଟେ ।
ଦାରୁରୂପେ ବିଜେ ତହିଁ ଦେବଙ୍କ ଶ୍ରେଷ୍ଠେ । ୨ ।
ଭଗତି ମୁକତି ଯାହା ଦର୍ଶନେ ତରି ।
ଶରଣ ରକ୍ଷଣେ ବେନି ବାହୁ ବିସ୍ତାରି । ୩ ।
ସ୍ୱୟଂ ନୀଳାମ୍ବର ସ୍ୱାମୀ ରେବତୀପତି ।
କୋଟିସିଂହ ପରାକ୍ରମ ଧବଳମୂର୍ତ୍ତି । ୪ ।
କାଦମ୍ବରୀ ପାନେ ମତ୍ତ ଘୃମିତ ଡୋଳା ।
ଜୟ ଯୋଗେଶ୍ୱର ନାଥ ଭଗତଭେଳା । ୫ ।

୧-୧-ଜୟ ଜୟ (କ) ।


୧ | ନୀଳାଦ୍ରିପତି-ନୀଳାଚଳରେ ବାସ କରୁଥିବା ଦେବତା, ଜଗନ୍ନାଥ ।
୨ । ସିନ୍ଧୁର ତଟେ—ସମୁଦ୍ର କୂଳରେ, ମହୋଦଧି କୂଳରେ ।
୩ । ଶରଣ ରକ୍ଷଣେ-ଆଶ୍ରିତ ଲୋକଙ୍କୁ ରକ୍ଷା କରିବାରେ ।
୪ । କାଦମ୍ବରୀ- ଏକ ପ୍ରକାର ମଦ । ଘୃମିତ-ଘୁରୁଥୁବା ବା ଘୁରନ୍ତା ।