ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଉଭୟଙ୍କ ଜୀବନର ପ୍ରେମ ଚିତ୍ର ଅଙ୍କନ କାବ୍ୟର ପ୍ରତିପାଦ୍ୟ ବିଷୟ । କେଉଁ କଥାବସ୍ତୁର ଅବଲମ୍ବନରେ ଏବଂ କି ପ୍ରକାର କଳ୍ପନାର ସହାୟତାରେ କାବ୍ୟର ମହତ୍ତ୍ୱ ପରିସ୍ଫୁଟ, ବର୍ତ୍ତମାନ ତାହା ଆଲୋଚନା କରି ଦେଖିବା ଆବଶ୍ୟକ । ଆମ୍ଭମାନଙ୍କ ଦେଶରେ ବହୁ ପ୍ରାଚୀନ କାଳରୁ ଯେଉଁ ଗଳ୍ପମାନ ପ୍ରଚଳିତ ଅଛି, ସେମାନଙ୍କ ମଧ୍ୟରେ ହଳାହଳ କୁମର ବା ଶଶିସେଣା ଅଭିମନ୍ୟୁ ଗଳ୍ପ ଏକତମ । ମା କିମ୍ବା ବୁଢ଼ୀ ମାନଙ୍କ ମୁଖରୁ ଅଧିକାଂଶ ଲୋକେ ଏହି କଥାଟି ଶୁଣିଥିଲେହେଁ ଏ ସ୍ଥଳରେ ପ୍ରସଙ୍ଗର ଅନୁରୋଧରେ ତାହାର ସାରାଂଶ ପ୍ରଦତ୍ତ ହେଲା ।

"ଥରେ ନାଗରଜା ପୁଅ ହଳାହଳ କୁମର ମଞ୍ଚ ଦେଖିବାକୁ ଆସି ସାପ ଛୁଆଟିଏ ହୋ‍ଇ ନଈରେ ଖେଳୁଥିଲା । ଚକୁଳିଆ ପଣ୍ଡାଟିଏ ସେହି ନଈରେ ଗାଧୋ‍ଇଲା ବେଳେ ସାପଛୁଆଟି ତାହାର ଅଜାଣନ୍ତିରେ ତା ଢାଳରେ ପଶି ଯାଇଥିଲା । ଚକୁଳିଆ ପଣ୍ଡା ଢାଳ ଆଣି ଘରେ ରଖି ଦେଇଥିଲା । ତା ଭାରିଯା ଢାଳରେ ସାପଛୁଆ ଦେଖି ଯେମିତି ପାଣି ଢ଼ାଳି ଦେଲା ସେମିତି ତାହା ସୁନ୍ଦର ଶିଶୁଟିଏ ହୋ‍ଇଗଲା । ସେ ପିଲାଟିକୁ ଅଭିମନ୍ୟୁ ନାଁ ଦେଇ ବଡ ଯତ୍ନରେ ସେ ପାଳିଲା । ଅଭିମନ୍ୟୁ ବଡ଼ ହେଲାରୁ ରଜାଙ୍କ ଚାଟଶାଳୀକୁ ଗଲା । ସେଠାରେ ରଜା ଝିଅ ଶଶିସେଣା ପଢ଼ୁଥାଏ । ଥରେ ଅଭିମନ୍ୟୁର ଖଡ଼ି ତା ଆଡ଼କୁ ଗଡିଗଲା । ଶଶିସେଣା ତାହାକୁ ସତ୍ୟ କରାଇ ନେଇ ଖଡ଼ି ଦେଲା । 'ସତ୍ୟ'ର କଥା ପଚାରନ୍ତେ ସେ ଅଭିମନ୍ୟୁକୁ କହିଲା ତୁମ୍ଭେ ମୋତେ ବିଭା ହେବ । ତହୁଁ ଦିନକର ଦୁହେଁଯାକ ବିଚରା ବିଚରି ହୋ‍ଇ ବାରହାତ ଖଣ୍ଡାଧରି ଗୋଟାଏ ମଢ଼ିଆ ଘୋଡା ଉପରେ ବସି ବିଦେଶକୁ ପଳାଇଲେ । ବାଟରେ ଗୋଟାଏ ଠେକୁଆ ଲାଙ୍ଗୁଡ଼ ପଡ଼ିଥିଲା ।