ବଣି ଚଢ଼େଇ
ଲେଖକ/କବି: ନନ୍ଦକିଶୋର ବଳ

ବଣି ଚଢ଼େଇ

 
ବଣି ଚଢ଼େଇ ବଣି ଚଢ଼େଇ,
କେଉଁ ଘରେ ତୋର ଘର ?
ଆସ ଆସ ଆମ ଘରକୁ
କରିବା ଖେଳ ଘର ।

ଖାଇବାକୁ ଦେବି ଦୁଧଭାତ
ପିଇବୁ ନବାତ-ପଣା,
ରହିବୁ ଖାସା ପିଞ୍ଜରାରେ
କିଛି ନ ଯିବ ଜଣା ।

ପୋକ ଜୋକ ଖୁଣ୍ଟି ଖାଉ
ବୁଲି ବିଲବାଡ଼ି,
ରହରେ ଆସି ମଉଜରେ
ଆମ ପାରାଭାଡ଼ି ।

ସଞ୍ଜ ସକାଳେ ସାଙ୍ଗ ହୋଇ
ବୁଲିବାକୁ ଯିବା,
ଏକା ସଙ୍ଗେ ଖେଳି ବୁଲି
ସାଥୀ ହୋଇ ଥିବା ।

ଉଡ଼ିଗଲା ବଣି ଚଢ଼େଇ
କହି "ନାହିଁ ନାହିଁ,
ଲୋଡ଼ା ନାହିଁ ଘର ଦୁଆର
ବଣ ଭଲ ଭାଇ ।"