ବେଙ୍ଗୁଲି ରାଣୀ
ଲେଖକ/କବି: ନନ୍ଦକିଶୋର ବଳ

ବେଙ୍ଗୁଲି ରାଣୀ

 
ବେଙ୍ଗୁଲୀ ବେଙ୍ଗୁଲୀ ପାଣି ଦେ,
ନଈ ସମୁଦର ଭସେଇ ଦେ ।

ଇନ୍ଦ୍ର ରାଜାଙ୍କର ବେଙ୍ଗୁଲୀ ରାଣୀ,
ବୋବେଇ ଦେଲେ ସେ ବରଷେ ପାଣି ।

ବେଙ୍ଗୁଲୀ ବସଇ ସାରୁ ମୂଳରେ,
ଛତ୍ରି ଧରିଅଛି ସାରୁ ପତରେ ।

ବେଙ୍ଗୁଲୀ ବୋବାଏ କେଁ କଟର,
ପାଣିରେ ଭାସଇ ଦୁଆର ଘର ।

ପାଣି ପଶିଗଲା ସାପ-ଗାତର,
ସାପମାନେ ହେଲେ ଛିନିଛତର ।

ଖରାଦିନେ ସାପ ବେଙ୍ଗ ଖାଇଲା,
ବରଷା ଦିନରେ ଫଳ ପାଇଲା ।

ଇନ୍ଦ୍ରଦେବତାଙ୍କ ବେଙ୍ଗୁଲୀ ରାଣୀ,
ସାପ କାମୁଡ଼ିଲା ତାଙ୍କ ଘରଣୀ ।

ଇନ୍ଦ୍ର ରଜା ପାଣି ବରଷି ଦେଲେ,
ନଈ ସମୁଦର ଭସାଇ ଦେଲେ ।

ସାପଘରେ ପଶିଗଲାରେ ପାଣି,
ହୁଳୁହୁଳି ଦେଲା ବେଙ୍ଗୁଲୀ ରାଣୀ ।

ପାଟି ପାକୁ ପାକୁ କରି ବେଙ୍ଗୁଲୀ,
ଫକର ଫକର ଯାଉଛି ବୁଲି ।