ମେଘ ବରଷଇ ଟପର ଟପର
ଲେଖକ/କବି: ନନ୍ଦକିଶୋର ବଳ

ମେଘ ବରଷଇ ଟପର ଟପର

 
ମେଘ ବରଷଇ ଟପର ଟପର
କେଶୁର ମାଇଲା ଗଜା,
କେଉଁ ରାଇଜରେ ରହିଲେ ମୋ ରଜା
ତେଲିଙ୍ଗି ବାଇଦ ବଜା ।

ମେଘ ବରଷଇ ଟପର ଟପର
ସୁଅରେ ବହଇ ପାଣି
ପାଣିରେ ଡାକନ୍ତି କେଁ-କଟର ହୋ
ବେଙ୍ଗ ଓ ବେଙ୍ଗୁଲୀ ରାଣୀ ।

ନୂଆପାଣି ପାଇ ଦାଣ୍ଡେ ଦୂବଘାସ
ଚକାଚକା କଅଁଳିଲା
ନାଲି ଗୁଲୁଗୁଲୁ ପାଟଶାଢ଼ି ପିନ୍ଧି
ସାଧବବୋହୂ ହସିଲା ।

ଅଳତା ସମାନ ରକତ ବନର
ଓଳିପାଣି ପଡ଼େ ତଳେ
ତଳ ପାଣି ସଙ୍ଗେ ମିଶିଗଲା ବେଳେ
ମୋତିଫୁଲ ପରି ଝଳେ ।

ପାଣିରେ ଫୁଟକା ଫୁଟିଯାଏ ଭାସି
କ୍ଷଣକେ କାହିଁ ଉଭାଏ
'ସାଧବଘରର ବୋହୂ ବୁଡ଼ିମଲା'
ବୋଲି ନାଚନ୍ତି ପିଲାଏ ।

ନୂଆପାଣି ପାଇ ଫୁଟିଉଠେ ଛତୁ
ହୁଙ୍କା ବାଲିଅରା ବିଲେ
ସକାଳୁ ଉଠିଣ ଚାଙ୍ଗଡ଼ା ଧରିଣ
ପିଲାଏ ଛତୁ ତୋଳିଲେ ।