ହେଳା କରନା ହେ
ହେଳା କରନା ହେ
ହେଳା କରନା ହେ ନୀଳାଚଳ ନାଥ ଆଉ ।
ବଳାଇଲା ଦୁଃଖ କଳାକାର ମୁଖ
ତୋ ପରା ଚାଳକ ଥାଉ । ୧।
ମିଳାଇଲ ଦେହ ଜଳେ ଲୁଣ ପରି
ପଳାଇ ଯିବ ଏ ଜୀବ ।
ଟଳାଟଳି କଲେ ଲୀଳା ବିନୋଦିଆ,
କେ କିମ୍ପା ତୋତୋ ଭଜିବ ।୨।
ଗଳାକଟା ଛଟା କା' ଠାରୁ ଶିଖି୍ଲୁ
କୁଳବୁଡ଼ା ନନ୍ଦବଳା ।
ଦୁରୁବଳେ ବଧି କି ଫଳ ପାଇବୁ
କୁରୁବଳ ଦମ୍ଭ ଟଳା ।୩।
ତୁଳାପଟ ପରି ଶଇଳ ତୋଳିଲୁ
ଗୋକୁଳ ଆକୁଳ ଦେଖି ।
ମୋ' ବେଳକୁ ଏବେ ପଛକୁ ଘୁଞ୍ଚିଛୁୁ
ଲାଞ୍ଚ ଦେଇଥିଲେ ସେ କି । ୪।
ଅରଜୁନ ଶଳା ହୋଇ ନନ୍ଦୀଘୋଷ
ଚଳାଇଲୁ ଭାରତରେ ।
ଦେଲେ କି ପୁଳାଏ କୁନ୍ତୀ ପାଞ୍ଚ ପୁଏ
ହୀରା ନୀଳା ତୋ ହାତରେ ।୫।
ନିଜ ଗୋହି ନିଜେ ଖୋଳନା ସହଳେ
ଜଳଧିଜେମା ବଲ୍ଲଭ ।
ବଇଷ୍ଣବ ଭାଳେ ଭାସେ ଶୋକଜଳେ
ବଢ଼ା ତୋ କରପଲ୍ଲବ ।୬।