ହୋଓରେ ବାଇଆ ହୋଓ
ଲେଖକ/କବି: ନନ୍ଦକିଶୋର ବଳ

ହୋଓରେ ବାଇଆ ହୋଓ

 
ଦିନ ତ ଯାଇଛି ରାତି ତ ଆସିଛି
ହୋଓରେ ବାଇଆ ହୋଓ,
ଝଙ୍କାଳିଆ ଗଛେ ଗହଳିଆ ଡାଳେ
ତୁନି ହୋଇ କରି ଶୋଓ ।

ଦିନ ତ ଯାଇଛି ରାତି ତ ଆସିଛି
ହୋଓରେ ବିଲେଇ ହୋଓ,
ହାଣ୍ଡିଶାଳ ପାଖେ ଚୁଲି ମୁଣ୍ଡରେ ତୁ
ଉଷୁମ ଜାଗାରେ ଶୋଓ ।

ଦିନ ତ ଯାଇଛି ରାତି ତ ଆସିଛି
ହୋଓରେ କୁକୁର ହୋଓ,
ଦାଣ୍ଡ ପାଆଭାଗେ ପଥର ପାହାଚେ
କାନ ଡେରି କରି ଶୋଓ ।

ସଞ୍ଜ ନ ଗଡ଼ିଛି ପହଡ଼ ପଡ଼ିଛି
ହୋଓରେ ବିଲୁଆ ହୋଓ,
ବଣବୁଦା ତଳେ ହିଡ଼ତଳ ଗାତେ
ହୁକେ ହୁକେ କରି ଶୋଓ ।

ସଞ୍ଜବେଳ ଗଲା ନିଶା ଗରଜିଲା
ହୋଓରେ ବାଘମାମୁ ହୋଓ,
ଗହନ ବନସ୍ତେ ଷୋଳ କୋଶ କ୍ଷେପି
ଝରଣା ପାଖରେ ଶୋଓ ।

ଦିନ ତ ଯାଇଛି ରାତି ଆସିଅଛି
ହୋଓରେ ବାଇଆ ହୋଓ,
ସମସ୍ତେ ଶୋଇଲେ ବାଇଆଧନରେ
ଆଖି ବୁଜିକରି ଶୋଓ ।