ପ୍ରେମୋଦୟ ଚମ୍ପୂ ଲେଖକ/କବି: ବଳଦେବ ରଥ
କଳାବତୀ ରେ

କଳାବତୀ ରେ
(ରାଗ: ପୂରବୀ : ଆଠତାଳି)


କଳାବତୀ ରେ, କହ ମୋଠାରୁ ତେଜି କପଟରୀତି। ଘୋଷା।

କିପାଁ ଆଜ ଆଜନମ, ସୁଖୀ କଳାକର ମୁଖ ଅଛି ଶୁଖି
କମନୀୟ ବିମ୍ବ-ବିଜୟୀ ଅଧରେ
ମୃଗମଦେ ଭୃଙ୍ଗ ନାହିଁ ଲେଖି । ୧ ।

କୋକନଦଜିଣା ଚାରୁକର, କିଶଳୟ ଗେଣ୍ଡ ମଣ୍ଡିବାର
କେଉଁକାଳେ ହେଲେ ଦେଖି ତ ନ ଥିଲା
ପରାଣ ସଖି, ନୟନ ମୋର । ୨ ।

କଞ୍ଜଲତା ମନ୍ଦ ବାତ ପରି, କମ୍ପୁଛି ତୋ’ତନୁ ସୁକୁମାରୀ
କିସ ଏ ବେଦନା ତୁ ରାଜନନ୍ଦନା
ଲଭି ମଜ୍ଜିଅଛୁ ଶୋକବାରି । ୩ ।

କନକକୁ ବଳିଥିବା ତେଜ, କଳା କିପାଁ ପଡ଼ିଗଲା ଆଜ
କହଇ ଶ୍ରୀ ଜଗଦ୍ଦେବ ଦୁଃଖେ ପୋତି ଅଛୁ
କିପାଁ ମୁଖ-ଦ୍ବିଜରାଜ । ୪ ।