ଅଣହିଂସା ଧର୍ମ ଏହି
ଲେଖକ/କବି: ଭୀମ ଭୋଇ

ଅଣହିଂସା ଧର୍ମ ‎

ଅଣହିଂସା ଧର୍ମ ଏହି, ହିଂସା ନାହିଁ
ଡାକି କହୁଛି ବୁଝାଇ । ଘୋଷା।

ପୃଥ୍ୱୀ ପରାୟେ ସହିଲେ, ଧୀର ବଚନ କହିଲେ
ଶାନ୍ତଶୀଳ ଦୟା ବହିଲେ ଯାଇଁ ।
ସମୁଦ୍ର ପ୍ରାୟେକ ବୁଦ୍ଧି, ସଦଜ୍ଞାନ ହେଲେ ସିଦ୍ଧି
ସାଧୁ ସନ୍ଥ ବୋଲି କହି ।୧।

ଆକାଶ ପ୍ରାୟେ ବିବେକ, ପରକାଶ ବ୍ରହ୍ମବାକ୍ୟ
ମୁଖେ ବଚନ ଭାଷିଲେ ବେଦ ଜନ୍ମଇ ।
ପିଣ୍ଡ ବ୍ରହ୍ମାଣ୍ଡ ଏକତ୍ୱ, ମଣିଥାଇ ଏକମତ
ତେଣୁ ଯୋଗୀନ୍ଦ୍ର ଅଟଇ ।୨।

ଚାହୁଁଥାଇ ଚନ୍ଦ୍ର ପଣେ, କରୁଣା ଜଳ ନୟନେ
ଦୁଷ୍ଟ ସନ୍ଥ କାହାକୁ ଅନ୍ତର ନଥାଇ ।
ମନେ ନ କରି ବିକାର, ସର୍ବଭୂତେ ନିର୍ବିକାର
ତେବେ ଅତିଥି ବୋଲାଇ ।୩।

ଧୀର ପଣେ କହେ ସତ, ବୀର ପଣେ ସାମରଥ
ବାଚା ବିଚଳିତ କଦାଚିତେ ନୁହଇ ।
ସକଳ ଭୂତରେ ଏକ, ଏକ ଆତ୍ମା ପ୍ରାୟେ ଦେଖ
ଗୁରୁପଣକୁ ଯୋଗାଇ ।୪।

ପାଳୁଥାଇ ଇନ୍ଦ୍ରପଣେ, ଅନ୍ତର ନଥାଇ ମନେ
ଛପନା କୋଟିକି ପଡି ବାଣ୍ଟି ଦିଅଇ ।
ବ୍ରହ୍ମଜ୍ଞାନ ତତ୍ତ୍ୱ କହେ, ବଚନରେ ତାରି ନିଏ
ସାଧୁର ଲକ୍ଷଣ ଏହି ।୫।

ସମସ୍ତଙ୍କୁ ବୋଲେ ମୋର, ମୁହିଁ ଅଟଇ ତୁମ୍ଭର
ଆପଣା ଆତ୍ମାକୁ ଶିଷ୍ୟ ଭାବେ ରଖଇ ।
ଭଣେ ଭୀମ ଅରକ୍ଷିତ, ସେହିଟି ଏକା ଅତିଥ
ତା ପାଦ ଧରିବି ଯାଇ ।୬।