ବିବିଧ ପ୍ରବନ୍ଧ ଲେଖକ/କବି: ବିଶ୍ୱନାଥ କର
ଅନନ୍ତ ପ୍ରେମ

                ପ୍ରେମ ମାନବ ଜୀବନର ସାରବସ୍ତୁ - ପ୍ରେମ ହିଁ ମାନବ ଜୀବନର ଲକ୍ଷ୍ୟ, ଅଥବା ପ୍ରକୃତ ଜୀବନ । ଯେଉଁଠାରେ ପ୍ରେମ, ସେହିଠାରେ ଜ୍ଞାନ ଓ ପବିତ୍ରତା, ସେହିଠାରେ ବାଧ୍ୟତା ଓ କର୍ତ୍ତବ୍ୟ ନିଷ୍ଠା । ପ୍ରେମ ମାନବ ହୃଦୟକୁ ଭେଦାଭେଦ ଶୂନ୍ୟ କରେ, ସ୍ୱାର୍ଥ ବିବର୍ଜିତ କରେ, ଆତ୍ମ-ବିସ୍ମୃତ କରେ । ପ୍ରେମରେ ଛୋଟବଡ଼ ନାହିଁ, ‘ମୁଁ’ ‘ତୁ’ ନାହିଁ । ପ୍ରେମର ମହିମା କୀର୍ତ୍ତନ କରିବା ଆମ୍ଭମାନଙ୍କର ଉଦ୍ଦେଶ୍ୟ ନୁହେଁ ଏବଂ ତାହା ଆମ୍ଭମାନଙ୍କ ଭଳି ଲୋକର କାର୍ଯ୍ୟ ନୁହେଁ । ଆମ୍ଭେମାନେ ଏତିକି ମାତ୍ର କହୁଅଛୁଁ ଯେ ପ୍ରେମ ବିନା ପ୍ରକୃତ ମନୁଷ୍ୟତ୍ୱ ଅସମ୍ଭବ, ପ୍ରେମଶୂନ୍ୟ ହୃଦୟ ପ୍ରେତ ପିଶାଚର ଲୀଳାଭୂମି । ଯାହା ଇନ୍ଦ୍ରିୟ ଶକ୍ତି ଜଡ଼ିତ ବା ସୁଖ ଲାଳସା ପ୍ରସୂତ ତାହା ପ୍ରେମ ନାମର ଯୋଗ୍ୟ ନୁହେଁ - ତାହା ଅସ୍ଥାୟୀ; ସୁଖର ଆଶା ଶେଷ ହେଲେ ତାହାର ଅସ୍ତିତ୍ୱ ପ୍ରାୟ ବିଲୁପ୍ତ ହୁଏ ସେ କେବଳ ସୁଖର ସ୍ଥାନ ଖୋଜି ବୁଲେ । ଯେଉଁ ପ୍ରେମ ମନୁଷ୍ୟ ହୃଦୟରେ ଦେବଭାବ ବିକଶିତ କରେ; ତାହାକୁ ଅନନ୍ତ ଲକ୍ଷ୍ୟପଥରେ ଅଗ୍ରସର କରେ; ତାହାହିଁ ପ୍ରକୃତ ପ୍ରେମ ।

                ପୃଥିବୀ ଆମ୍ଭମାନଙ୍କର ଶିକ୍ଷାଳୟ - ଜୀବନର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଯାହା କିଛି ଘଟେ, ସମସ୍ତ କେବଳ ଶିକ୍ଷାର ସୋପାନ । ଏ ରହସ୍ୟ ଯେ ବୁଝିନାହିଁ, ସେ ମାନବ ଜୀବନ ସମ୍ବନ୍ଧରେ କିଛି ମାତ୍ର ଜାଣିନାହିଁ । ମହାତ୍ମା ଇମର୍ସନ କହିଛନ୍ତି, “ଜଗତରେ ଯାହା ମୋ ମନକୁ ଆକର୍ଷଣ କରେ, ତହିଁରେ ମୋର ନିଶ୍ଚୟ କୌଣସି ପ୍ରୟୋଜନ ଅଛି; ସମ୍ମୁଖବର୍ତ୍ତୀ ଏହି ଅସଂଖ୍ୟ ପଦାର୍ଥ ଓ ଘଟନା ମଧ୍ୟରେ ଯହିଁରେ ମୋହର ପ୍ରୟୋଜନ ଅଛି; ସେହି ଏକା ମୋ ମନକୁ ଆକର୍ଷଣ କରେ । ରାଶି ରାଶି ଘଟନା ଓ ଅଗଣିତ ପ୍ରାଣୀପୁଞ୍ଜ ମଧ୍ୟରେ କେତେଗୁଡ଼ିଏ ମୋ ମନରୁ କଦାଚ ଅନ୍ତର ହୁଏନାହିଁ - କାହିଁକି ସେଗୁଡ଼ିକ ଏପରି ସ୍ମୃତି ମଧ୍ୟରେ ଜାଗ୍ରତ ଥାଏ, ତାହାର କାରଣ ମୁଁ ଜାଣେ ନାହିଁ, ତଥାପି ଏହା ନିଶ୍ଚିତ କଥା ଯେ ସେମାନଙ୍କ ସଙ୍ଗେ ମୋହର ସମ୍ବନ୍ଧ ଅଛି ।”ସେ କି ସମ୍ବନ୍ଧ? ସେଥିରେ ମୋହର କି ପ୍ରୟୋଜନ ଥାଇପାରେ? ତାହା ଏହି ଯେ, ସେଗୁଡ଼ିକ ସାହାଯ୍ୟରେ ମୁଁ ଜୀବନପଥରେ ଅଗ୍ରସର ହେବି । ମନୁଷ୍ୟ ଶିଶୁକୁ ଶିକ୍ଷା ଦେବାପାଇଁ ଏହା ପ୍ରକୃତିର ଅଦ୍ଭୁତ କୌଶଳ! ସେହିପରି ଆମ୍ଭମାନଙ୍କ ଅନ୍ତର୍ନିହିତ ପ୍ରତ୍ୟେକ ବୃତ୍ତି ସ୍ୱର୍ଗର ସୋପାନ - ଦେବତ୍ୱ ଲାଭର ଉପାୟ । ସୁତରାଂ ଯେଉଁ ପ୍ରେମ ମାନବ ହୃଦୟର ସର୍ବଶ୍ରେଷ୍ଠ ବୃତ୍ତି, ଯାହା ଆମ୍ଭମାନଙ୍କର ସର୍ବପ୍ରକାର ମଧୁର ସମ୍ବନ୍ଧର ମୂଳ, ସକଳ ସଦୁଦ୍ଦେଶ୍ୟର ପରିପାଳକ ଓ ପରିପୋଷକ, ତାହା ଯେ ସଂସାରର ଅସାର ଭୋଗ୍ୟବସ୍ତୁରେ ପର୍ଯ୍ୟବେସିତ ହେବା ନିମିତ୍ତ ନୁହେଁ, ଏକଥା ବୋଲିବା ବାହୁଲ୍ୟ ମାତ୍ର । ପୃଥିବୀର ପ୍ରେମ କେବଳ ସେହି ଅନନ୍ତ ପଥରେ ଅଗ୍ରସର ନକରେ, ଯେବେ ଆମ୍ଭମାନଙ୍କ ପ୍ରାଣକୁ ମହତ୍ତର, ଉଚ୍ଚତ୍ତର ଲକ୍ଷ୍ୟ ସାଧନରେ ପ୍ରବୃତ୍ତ ନକରେ, ପରନ୍ତୁ ସଂକୀର୍ଣ୍ଣତର ସୀମା ମଧ୍ୟରେ ନିବଦ୍ଧ କରେ, ହୃଦୟର ପ୍ରୀତିକୁ ପ୍ରସାରିତ ନକରି ସଙ୍କୁଚିତ କରିଦିଏ, ତେବେ ତାହା ନରକର ବସ୍ତୁ । ଦୁର୍ଭାଗ୍ୟର ବିଷୟ ଯେ, ଜଗତରେ ଏହି ବିକୃତ ପ୍ରେମର ଦୃଷ୍ଟାନ୍ତ ହିଁ ଅଧିକ ।

                ଉପନିଷଦରେ ଅଛି, ‘ଯୋ ବୈ ଭୂମା ତତ୍ ସୁଖଂ, ନାଳ୍ପେ ସୁଖମସ୍ତି’। ଅନନ୍ତ ଛଡ଼ା ସୁଖ ନାହିଁ । ଯାହା ଦୁଇ ଦିନରେ ଶେଷ ହୋଇଯାଏ, ଯାହା ଧରୁ ଧରୁ ପୁରୁଣା ହୋଇଯାଏ ବା ଭାଙ୍ଗିଯାଏ, ଏପରି ବସ୍ତୁରେ ମାନବାତ୍ମା କେତେ କାଳ ତୃପ୍ତ ରହିବ? ଯାହା ଧାରଣାର ଅତୀତ, ଯାହାର ଆଦିଅନ୍ତ ନିରୂପଣ କରିବା ସମ୍ଭବପର ନୁହେଁ, ସେହି ଏକା ମାନବ ପ୍ରାଣରେ ସୁଖ ପ୍ରଦାନ କରେ । ଅନନ୍ତ ଆକାଶ ବିଷୟ ଚିନ୍ତା କରି, ଅନନ୍ତ ମହିମାମୟ ପରମେଶ୍ୱରଙ୍କୁ ପ୍ରାଣରେ ଉପଲବ୍ଧି କରି, କବିଙ୍କ ନୟନ ପ୍ରେମାଶ୍ରୁ ବର୍ଷଣ କରେ, ପ୍ରାଣ ସ୍ୱର୍ଗର ଆନନ୍ଦ ସମ୍ପଦ ଲାଭ କରେ । ଅନନ୍ତ ମହିମା ଗାନ କରି, ସେ ଭାବ ଧ୍ୟାନ କରି, କେତେ କବି କେବେ ଭାବୁକ ଅନନ୍ତ ସୁଖ ସିନ୍ଧୁରେ ବୁଡ଼ି କେତେ ମହାଭାବର କଥା ବ୍ୟକ୍ତ କରିଅଛନ୍ତି । ତାହାର ଶେଷ ନାହିଁ । ଯେ ଥରେ ଚିନ୍ତା କରିଅର୍ଛି ସେ ବୁଡ଼ିଅଛି । ଆମ୍ଭମାନଙ୍କର ଏହା ପ୍ରାଣଗତ ବିଶ୍ୱାସ ଯେ, ଅନନ୍ତଙ୍କ ମଧ୍ୟରେ ନିମଗ୍ନ ହେବା, ଆତ୍ମବିସ୍ମୃତ ହେବା ହିଁ ପ୍ରକୃତ ସୁଖ । ଆମ୍ଭମାନଙ୍କ କ୍ଷୁଦ୍ର ଆଶା, କ୍ଷୁଦ୍ର ଭାବ ଅନନ୍ତ ଆଡ଼କୁ ସର୍ବଦା ଧାଏଁ । ଏହି କଥାକୁ ଲକ୍ଷ୍ୟ କରି ଥରେ ଜଣେ ବିଜ୍ଞ ବ୍ୟକ୍ତି କହିଥିଲେ, “ଅନନ୍ତ ଧ୍ୟାନରେ ଭୟ, ବିସ୍ମୟ, ଭକ୍ତି ଜାତ ହୁଏ; କିନ୍ତୁ ପ୍ରେମ କିପରି ହେବ? ଗୋଟିଏ କଥା ଅଛି ରାଜାର କେହି ବନ୍ଧୁ ନାହିଁ । ଅର୍ଥାତ୍ ରାଜା ସମସ୍ତଙ୍କଠାରୁ ଶ୍ରେଷ୍ଠ, ସୁତରାଂ ତାଙ୍କ ସଙ୍ଗେ ଅନ୍ୟ କାହାରି ବନ୍ଧୁତା ସମ୍ଭବେ ନାହିଁ ।” କଥାଟି ପ୍ରାଣରେ ବଡ଼ ଆଘାତ କଲା । ତେବେ କଣ ଅନନ୍ତ ଈଶ୍ୱରଙ୍କ ସଙ୍ଗେ କ୍ଷୁଦ୍ର ମାନବର ପ୍ରେମ ଅସମ୍ଭବ? ତାହାହେଲେ ଏ କ୍ଷୁଦ୍ର ପ୍ରାଣରେ ଏ  ଉଚ୍ଚ ଆକାଙ୍କ୍ଷା କାହିଁକି? ଏ କଣ ବୃଥା ଆଶା? କେବଳ ମୋହର ଛଳନା ? ନା, ତାହା ତ ହୋଇ ନପାରେ! ଇନ୍ଦ୍ରିୟ ଅଛି; ଇନ୍ଦ୍ରିୟର ବିଷୟ ଅଛି; ପ୍ରବୃତ୍ତି ଅଛି, ତାହା ଚରିତାର୍ଥ  କରିବାର ଉପାୟ ଅଛି; ଅଥଚ ମାନବାତ୍ମାର ସର୍ବଶ୍ରେଷ୍ଟ ବୃତ୍ତିଟି - ହୃଦୟର ଉଚ୍ଚତମ ଆଶାଟି ଅପୂର୍ଣ୍ଣ ରହିବ? ଏହା ପ୍ରକୃତିର ନିୟମ ବିରୁଦ୍ଧ ମହାନ୍ ବ୍ରହ୍ମ ଆମମାନଙ୍କପାଇଁ ଛୋଟ ହେବେ ନାହିଁ; ଅଥଚ ତାଙ୍କ ସଙ୍ଗେ ପ୍ରେମ ବିନା ଆମ୍ଭମାନଙ୍କ ଦିନ ଚଳିବ ନାହିଁ । ଏ ସମସ୍ୟା କିଏ ପୂରଣ କରିବ? ଏହି ସମସ୍ୟା ପୂରଣ କରିବା ପାଇଁ ବୋଧହୁଏ ସାକାରବାଦର ଅବତାରଣା । କୌଣସି କୌଣସି ସାକାରବାଦୀଙ୍କ ମୁଖରୁ ଏପରି କଥା ଶୁଣାଯାଏ, କିନ୍ତୁ ସେ ବୃଥା ଚେଷ୍ଟା! ସେ ଆକାର ତ ପ୍ରକୃତ ବସ୍ତୁ ନୁହେଁ - କଳ୍ପନାର କ୍ରୀଡ଼ା! କଳ୍ପନାରେ ଯେ ପ୍ରକୃତ ବସ୍ତୁ ଉପଭୋଗ କରିବାର ଆଶା କରେ, ସେ ଭ୍ରାନ୍ତ, ସେ ବାତୁଳ । ଯାହା ଅସଲ ବସ୍ତୁର ନକଲ ସୁଦ୍ଧା ନୁହେଁ, ସେ କିପରି ହୃଦୟର ଗଭୀର ପିପାସା ନିବାରଣ କରିବ?

                ଏକ ଭାବରେ ଦେଖିଲେ ଏହା ଅସମ୍ଭବ ବୋଲି ମନେହୁଏ । ଯେତେବେଳେ ଆମ୍ଭେମାନେ ଅନନ୍ତ ଈଶ୍ୱରଙ୍କ ଅନନ୍ତ ଶକ୍ତି ବିଷୟ ଚିନ୍ତାକରୁଁ, ସେତେବେଳେ ସ୍ୱଭାବତଃ ମନ ଭୟ ବିସ୍ମୟରେ ବିହ୍ୱଳ ହୋଇଯାଏ, ଆଉ ତାଙ୍କ ସଙ୍ଗେ ଆମ୍ଭମାନଙ୍କ କ୍ଷୁଦ୍ରାପିକ୍ଷୁଦ୍ର ଆତ୍ମାର ପ୍ରେମ ସଂସ୍ଥାପନାର ସମ୍ଭାବନା ରହେନାହିଁ । ଏହିପରି ଭାବ ବିହ୍ୱଳ ଭକ୍ତାତ୍ମା ଗାନ କରିଥିଲେ, “ମୁଁ ଯେତେବେଳେ ତୁମ୍ଭର ଅଙ୍ଗୁଳି ରଚିତ ଅନନ୍ତ ଗଗନ ଓ ତୁମ୍ଭର ପ୍ରତିଷ୍ଠିତ ଚନ୍ଦ୍ରସୂର୍ଯ୍ୟାଦିଙ୍କ କଥା ଚିନ୍ତା କରେ, ସେତେବେଳେ ମନେହୁଏ, ମନୁଷ୍ୟ କିଏ ଯେ ତୁମ୍ଭେ ତାହାର ତତ୍ତ୍ୱ ନେବ?” କିନ୍ତୁ ଅନ୍ୟ ଭାବରେ ଦେଖିଲେ ଏ ଅସମ୍ଭବ ବୋଧହୁଏ । ଈଶ୍ୱର ଯେପରି ଅନନ୍ତ ଶକ୍ତିଶାଳୀ, ସେହିପରି ଅନନ୍ତ ପ୍ରେମର ଆଧାର । ଏକଆଡ଼େ ତାଙ୍କ ଶକ୍ତିର ସୀମା ନାହିଁ, ଅନ୍ୟଆଡ଼େ ତାଙ୍କ ପ୍ରେମର ଇୟତ୍ତା ନାହିଁ; ସେ ଆପଣା ପ୍ରେମଗୁଣରେ କ୍ଷୁଦ୍ର ସଙ୍ଗେ ମିଳିତ ହୁଅନ୍ତି । ତାଙ୍କରି ଅଯାଚିତ ପ୍ରେମ ଆମ୍ଭମାନଙ୍କୁ ତାଙ୍କ ସମ୍ମୁଖୀନ ହେବାକୁ ସାହସୀ କରେ । ଯେତେବେଳେ ଦେଖୁ ଯେ, ସେହି ଅନନ୍ତ ବ୍ରହ୍ମାଣ୍ଡର ଅଧୀଶ୍ୱର ମୁହୂର୍ତ୍ତକପାଇଁ ସୁଦ୍ଧା ଆମ୍ଭମାନଙ୍କୁ ଭୁଲି ନାହାନ୍ତି - ଜଗତର ଦୁଃଖୀ, ଧନୀ, ପଣ୍ଡିତ, ମୂର୍ଖ, ପାପୀ, ପୁଣ୍ୟାତ୍ମା ସମସ୍ତଙ୍କ ପାଇଁ ତାଙ୍କର ପ୍ରେମବାହୁ ପ୍ରସାରିତ, ସେତେବେଳେ ପ୍ରାଣ ସ୍ୱତଃ ତାଙ୍କ ଆଡ଼କୁ ପ୍ରଧାବିତ ହୁଏ; ତାଙ୍କୁ ପିତା, ମାତା, ସ୍ୱାମୀ, ସଖା, ସୁହୃତ୍ - ଜୀବନର ସର୍ବସ୍ୱ ବୋଲି ଡାକିବାକୁ ପ୍ରବୃତ୍ତ ହୁଏ । ପ୍ରେମ ଏକା ଏ ସଂସାରରେ ଭୀରୁକୁ ସାହସୀ କରେ, ମୂକକୁ ବାଚାଳ କରେ - ଦୁଇ ଆତ୍ମା ମଧ୍ୟରେ ମହାଯୋଗ - ମହାମିଳନ ସଂସ୍ଥାପନ କରେ ।

                ଗୋଟିଏ ଦୃଷ୍ଟାନ୍ତ ଦେଲେ ବୋଧହୁଏ କଥାଟି ଆହୁରି ସ୍ପଷ୍ଟ ହୋଇପାରେ । ମନେକର ଜଣେ ଅସାଧାରଣ ଶକ୍ତିଶାଳୀ ବ୍ୟକ୍ତି ବିଦ୍ୟା,ବୁଦ୍ଧି, ମାନ, ଗୌରବରେ ଦେଶସ୍ଥ ବ୍ୟକ୍ତିମାନଙ୍କ ମଧ୍ୟରେ ଉଚ୍ଚତମ ସମ୍ମାନର ଅଧିକାରୀ । ତାଙ୍କର ଗୋଟିଏ ଅଳ୍ପ ବୟସ୍କା, ଅଳ୍ପଜ୍ଞାନ ସମ୍ପନ୍ନା ସ୍ତ୍ରୀ ଅଛି, ତାହାର ପୂର୍ବ ଭାବ କଥା କଳ୍ପନା କର । ସେ କିପରି ଭୟରେ, କିପରି ସଙ୍କୁଚିତ ଭାବରେ ଦୂରରୁ ଏହି ବ୍ୟକ୍ତି ଆଡ଼କୁ ଅନାଉ ଥିଲା - କୌଣସି ସମୟରେ ତାଙ୍କ ସମ୍ମୁଖୀନ ହେଲେ ମୁଖ ଆଡ଼କୁ ସଳଖି ଅନାଇ ପାରୁନଥିଲା; କିନ୍ତୁ ବର୍ତ୍ତମାନ ସମ୍ପୂର୍ଣ୍ଣ ଭିନ୍ନ ଭାବ - ସେ ଭୟ ନାହିଁ, ସେ ସଙ୍କୋଚ ନାହିଁ, ସେ ଦୂରତ୍ୱ ନାହିଁ, ସେ ବ୍ୟବଧାନ ନାହିଁ । କିଏ ତାହାର ପ୍ରାଣରେ ଏ ପରିବର୍ତ୍ତନ ସଂଘଟନ କଲା? ଉତ୍ତର - ପ୍ରେମ । ସେ ବ୍ୟକ୍ତି ତାହାକୁ ସ୍ତ୍ରୀ ରୂପେ ଗ୍ରହଣ କରିଅଛନ୍ତି । ନନା ପ୍ରକାରେ ପ୍ରେମର ନିଦର୍ଶନ ଦେଖାଇଅଛନ୍ତି, ସୁତରାଂ ବାଳିକା ଯାହା ପୂର୍ବେ କଳ୍ପନା ସୁଦ୍ଧା କରିନଥିଲା, ତାହା ଘଟିଅଛି । ସର୍ବ ପ୍ରକାର ପାର୍ଥିବ ସମ୍ବନ୍ଧରେ ଏହି ଭାବ ଦୃଷ୍ଟ ହୋଇପାରେ । ସେହି ସ୍ୱର୍ଗୀୟ ପ୍ରେମ ବାସ୍ତବିକ ମହାପରିବର୍ତ୍ତନ ସଂଘଟନ କରେ - ତାହା ଥରେ ଯାହାର ପ୍ରାଣକୁ ସ୍ପର୍ଶ, ଛୋଟ,ବଡ଼, ଉଚ୍ଚ, ନୀଚ ଗଣନା ତାହା ନିକଟରେ ଅସମ୍ଭବ । ତେବେ ମାନବ ସମାଜ ମଧ୍ୟରେ ଯେ ଏହାର ଦୃଷ୍ଟାନ୍ତ ଅଧିକ ଦେଖାଯାଏ ନାହିଁ; ତାହାର ଅନେକ କାରଣ ଅଛି । ଆମ୍ଭେମାନେ ପୂର୍ବେ କହିଅଛୁଁ, ଏ ହତଭାଗ୍ୟ ପୃଥିବୀରେ ସ୍ୱାର୍ଥଜଡ଼ିତ ବିକୃତ ପ୍ରେମର ନିଦର୍ଶନ ହିଁ ଅଧିକ । ସେ ଯାହାହେଉ, କ୍ଷୁଦ୍ର ମାନବ ପକ୍ଷରେ ଯାହା ଅସମ୍ଭବ, ଅନନ୍ତ ଈଶ୍ୱରଙ୍କ ପକ୍ଷରେ ମଧ୍ୟ ତାହା ଅସମ୍ଭବ - ଏପରି ମନେକରିବା ମହାଭ୍ରାନ୍ତି ।

                ବାୟୁ ରାଶିର ମହାସାଗର ମଧ୍ୟରେ ମନୁଷ୍ୟ ବୁଡ଼ି ରହିଅଛି - ବାୟୁ ପ୍ରତି ମୁହୂର୍ତ୍ତରେ ତାହାର ଜୀବନ ରକ୍ଷା କରୁଅଛି; କିନ୍ତୁ ମନୁଷ୍ୟ ତାହା ଚିନ୍ତାକରେ ନାହିଁ ବା ସେପରି ଅନୁଭବ କରେନାହିଁ । ଅନନ୍ତ ମହାନ୍ ପ୍ରେମସିନ୍ଧୁ, କ୍ଷୁଦ୍ର ମାନବ ଶିଶୁ ନିୟତ ତନ୍ମଧ୍ୟରେ ବାସ କରୁଅଛି । କିଏ ସେ ପ୍ରେମ ବିନା ମୁହୂର୍ତ୍ତେ ବଞ୍ଚି ପାରେ? ନିଦେ୍ର୍ଧାଷ ମନୁଷ୍ୟ ସେ କଥା ବୁଝେ ନାହିଁ - ଯେଉଁ ଶରୀର, ମନ, ଧନ. ରତ୍ନ, ଆତ୍ମୀୟ, ବାନ୍ଧବ ତାଙ୍କରି ପ୍ରେମର ନିଦର୍ଶନ ମାତ୍ର, ତାହାରି ମାୟାରେ ମୁଗ୍ଧ ହୋଇ ଭ୍ରାନ୍ତ ବୁଦ୍ଧି ମନୁଷ୍ୟ ତାଙ୍କୁ ଭୁଲିଯାଏ । ସେ କାହାର ଦୋଷ? ଦୁର୍ବଳ ମନୁଷ୍ୟ ଭୁଲ, କିନ୍ତୁ ସେ ପ୍ରେମ ପଲକେ ସୁଦ୍ଧା ତାକୁ ଭୁଲିନାହିଁ - ପାତ୍ରାପାତ୍ର ଜ୍ଞାନ ସେ ପ୍ରେମରେ ନାହିଁ, ପାପୀ ପୁଣ୍ୟାତ୍ମାର ଭେଦ ସେଠାରେ ନାହିଁ । ମାନବ ଥରେ ମାତ୍ର ଚକ୍ଷୁ ଫିଟାଇ ଦେଖ, ସେ ପ୍ରେମ ଦର୍ଶନ କରି ତୁମ୍ଭର ପ୍ରାଣ କାନ୍ଦି ଉଠୁଅଛି କି ନାହିଁ? ସର୍ବସ୍ୱ ଛାଡ଼ି ସେହି ପ୍ରେମମୟଙ୍କ ଚରଣ ତଳେ ଲୋଟିବାକୁ ପ୍ରାଣ ମନ ଅସ୍ଥିର ହେଉଅଛି କି ନାହିଁ? ସଂସାରର ଭୟ, ଛଳନା, ନିନ୍ଦା, ଅପମାନ ସବୁ ମୁହୂର୍ତ୍ତକେ ତିରୋହିତ ହେଉଅଛି କି ନାହିଁ? ପଲକେ ପଲକେ କେତେ ପ୍ରେମ ତାହାର କଳନା ନାହିଁ । ମନୁଷ୍ୟର କର୍ତ୍ତବ୍ୟ, ସେ ତାହାର ସମଗ୍ର ପ୍ରେମ ତାଙ୍କର ଶ୍ରୀଚରଣରେ ଉତ୍ସର୍ଗ କରିବ - ଏଥିରେ ଯୁକ୍ତି ନାହିଁ, ତର୍କ ନାହିଁ, ଫଳାଫଳ ଚିନ୍ତା ନାହିଁ - ସେ ଚିନ୍ତାରେ ବୃଥା ମସ୍ତିଷ୍କ ଘୂରାଇ କି ଲାଭ? ଦିଅ, କେବଳ ଦିଅ, କେବଳ ଦିଅ! ଏହା ହିଁ ପ୍ରେମର ରହସ୍ୟ ।

                ଆଉ ଥରେ ଜଣେ ବିଜ୍ଞ ବ୍ୟକ୍ତି କହିଥିଲେ, “କେବଳ ଈଶ୍ୱରଙ୍କ ପ୍ରେମର କଥା ଭାବିଲେ ମନୁଷ୍ୟ ଜୀବନ ଶିଥିଲ ହୋଇଯାଏ - ମନୁଷ୍ୟ ପବିତ୍ର ରହିବାକୁ ପ୍ରୟାସୀ ହୁଏନାହିଁ; ସୁତରାଂ ସମୟ ସମୟରେ ତାଙ୍କୁ ‘ମହାଭୟଂ ବଜ୍ରମୁଦ୍ୟତଂ’ରୂପରେ ଅନୁଭବ କରିବା ଆବଶ୍ୟକ ।” ଆମ୍ଭେମାନେ ଏ କଥାର ସାରବାର୍ତ୍ତା ଅନୁଭବ କରିପାରିଲୁ ନାହିଁ । ବାସ୍ତବିକ୍ ଆମ୍ଭମାନଙ୍କ ତୁଲ୍ୟ ପାପୀ ପାଷାଣ୍ଡ ନିକଟରେ ଈଶ୍ୱର ‘ମହାଭୟଂ ବଜ୍ରମୁଦ୍ୟତଂ’ ରୂପରେ ଉପସ୍ଥିତ ହୋଇ ପ୍ରାଣକୁ କମ୍ପିତ କରନ୍ତି - ଦୁର୍ବୃତ୍ତକୁ ସୁବୃତ୍ତ କରିବା ପାଇଁ ଅନେକ ସମୟରେ ସେ ମୂର୍ତ୍ତିର ପ୍ରୟୋଜନ ହୁଏ - ଏହା ଅତି ସତ୍ୟ କଥା; କିନ୍ତୁ ତାହାରି ମଧ୍ୟରେ ଗଭୀର ପ୍ରେମ ଲୁକ୍କାୟିତ ରହିଥାଏ । ଉକ୍ତ ସାଧୁ ନିକଟରେ ସମସ୍ତ ଆବରଣ ଭେଦକରି ସେହି ପ୍ରେମର ସ୍ୱରୂପ ଫୁଟିଉଠେ । ସେ ଯାହାହେଉ, କେବଳ ପ୍ରେମ ସ୍ୱରୂପର ଧ୍ୟାନରେ ପବିତ୍ରତା ଲାଭ ହୁଏ ନାହିଁ - ଏ କଥାଟା ଆମ୍ଭମାନଙ୍କୁ ବଡ଼ ଅଡ଼ୁଆ ଲାଗିଲା । ପ୍ରେମ ଭିତରେ ଯେ ଏକ ପ୍ରକାର ଭୟ ଅଛି, ତାହା ଦଣ୍ଡଭୟ ଅପେକ୍ଷା ଶତଗୁଣ, ସହସ୍ରଗୁଣ ଅଧିକ । ପ୍ରେମାସ୍ପଦର ପ୍ରାଣରେ କେଜାଣି କେତେବେଳେ ଆଘାତ ଲାଗିବ, ଏହି ଭାବନାରେ ପ୍ରେମିକର ପ୍ରାଣ ନିରନ୍ତର ଅସ୍ଥିର । ଏହି କାରଣରୁ ସେ ସର୍ବଦା ଆତ୍ମସୁଖ ବଳିଦାନ କରି ଏକମାତ୍ର ତାହାରି ମନସ୍ତୁଷ୍ଟି ସାଧନରେ ନିଯୁକ୍ତ ଥାଏ । ଏହାହିଁ ପ୍ରେମର ଧର୍ମ । ସତୀକୁ ପବିତ୍ର ରଖେ କିଏ? ସ୍ୱାମୀର ଶାସନ ଭୟ? ଶାଣିତ ତରବାରୀ ନା ନରକର ଭୟ? ଏକମାତ୍ର ପତିପ୍ରେମ ହିଁ ତାହାକୁ ସେବାତତ୍ପର, କର୍ତ୍ତବ୍ୟ ପରାୟଣ ଓ ସର୍ବପ୍ରକାରେ ଶୁଦ୍ଧାଚାର କରେ। ପତିର ବିରସ ବଦନ ଦର୍ଶନ ସତୀ ପକ୍ଷରେ ଶତ ଅଶନୀପାତ ଅପେକ୍ଷା ଭୀଷଣତର - ଏହା କିଏ ଅସ୍ୱୀକାର କରିବ? ଅଧିକ କଥାରେ ପ୍ରୟୋଜନ ନାହିଁ, ସ୍ୱାମୀ-ସ୍ତ୍ରୀ ସମ୍ବନ୍ଧ ଛଡ଼ା ଅନ୍ୟତ୍ର ମଧ୍ୟ ଦେଖାଯାଉଛି, ଯେଉଁଠାରେ ପ୍ରେମ, ସେହିଠାରେ ବାଧ୍ୟତା - ସୁତରାଂ ପ୍ରେମ ହିଁ ପବିତ୍ରତାର ପ୍ରକୃତ ପଥ । ପ୍ରେମର ଧର୍ମ ହିଁ ଶ୍ରେଷ୍ଠ ଧର୍ମ । ଯେଉଁଠାରେ ଏହାର ବିପରୀତ ଭାବ ସେଠାରେ ପ୍ରେମ ନାହିଁ - ପ୍ରେମର ଅନ୍ୟ ଗୋଟାଏ ବିକୃତ ବସ୍ତୁର ଆଧିପତ୍ୟ ରହିଅଛି । ଅଗ୍ନି ଅଛି, ଉତ୍ତାପ ନାହିଁ; ସୂର୍ଯ୍ୟ ଅଛି ତାହାର ଆଲୋକ ନାହିଁ, ଏହା ଯେପରି ଅର୍ଥଶୂନ୍ୟ କଥା, ପ୍ରେମ ଅଛି ଅଥଚ ପବିତ୍ରତା ନାହିଁ; ଏହା ମଧ୍ୟ ସେହିପରି । ବସ୍ତୁତଃ ପ୍ରେମ ଓ ପବିତ୍ରତା ନିରବଚ୍ଛିନ୍ନ ଏକତ୍ର ବାସ କରନ୍ତି ।

                କାଚଖଣ୍ଡ ପାଇ ମନୁଷ୍ୟ ମନେକରେ ‘ମୁଁ ହୀରକ ପାଇଅଛି’, ତାହାହେଲେ କି ସେ ହୀରା ହୋଇଯିବ? ହୀରକର ସମୁଜ୍ୱଳ ଜ୍ୟୋତି କି ତହିଁରୁ ନିର୍ଗତ ହେବ? କିୟତ୍କାଳ ସେ ତାହାର ଓ ଦର୍ଶକର ମନରେ ଭ୍ରାନ୍ତି ଉତ୍ପûଦନ କରିପାରେ; କିନ୍ତୁ ସେ ଭ୍ରାନ୍ତି ଅଚିରେ ଦୂର ହେବ - କାଚ କାଚ, କାଚ ରହିବ । ଝୁଟା ଜିନିଷର ଚାକଚକ୍ୟ କେତେଦିନ ଥାଏ? କିନ୍ତୁ ହାୟ! ଏ ସଂସାରରେ କାଚର ବ୍ୟବହାର ବେଶି । ଶସ୍ତା ପାଇ ମନୁଷ୍ୟ ଗିଲ୍ଟିର ବ୍ୟବହାର ବେଶି କରେ । ମନେକରେ, କେଜାଣି ବା ଏଥିରେ ତାହାର ଦିନଟା କଟିଯିବ । ସେ ଜାଣେନାହିଁ, ଟିକିଏ ହାତରୁ ପଡ଼ିଲେ ଭଙ୍ଗୁର କାଚଖଣ୍ଡ କ୍ଷଣକେ ଚୂର୍ଣ୍ଣ ହୋଇଯିବ । ଦୁଇଦିନ ପରେ ଅସାର ଗିଲ୍ଟିର ରଙ୍ଗ ଉଡ଼ିଯିବ । ସେତେବେଳେ ଆଉ ‘ହା ହତୋଽସ୍ମି’ କଲେ କଣ ହେବ? କିନ୍ତୁ ଦୋଷ କାହାର? ମନୁଷ୍ୟ ଅପରିଣାମଦର୍ଶୀ, ଅବିବେଚକ - ବୁଝିସୁଝି କାର୍ଯ୍ୟ କରେନାହିଁ, ତାହାର ଏ ଦୁର୍ଦ୍ଧଶା ନହୋଇ କଣ ହେବ? ଅତ୍ୟନ୍ତ ବିସ୍ମୟର ବିଷୟ ଏହି ଯେ ବାରମ୍ବାର ପ୍ରତାରିତ ଓ ବିଡ଼ମ୍ବିତ ହେଲେ ସୁଦ୍ଧା ତାହାର ଚେତନା ହୁଏ ନାହିଁ । ପୁଣି ସେହି କାଚ, ସେହି ଗିଲ୍ଟି । ଭ୍ରାନ୍ତବୁଦ୍ଧିର ବଶବର୍ତ୍ତୀ ହୋଇ ସଂସାରର ଅସାର ଭଙ୍ଗୁର ବସ୍ତୁର ପ୍ରେମରେ ମୁଗ୍ଧ ହୋଇ ଇନ୍ଦ୍ରିୟର ସେବାରେ ମତ୍ତ ହୋଇ ମନୁଷ୍ୟ ଅନନ୍ତ ଲକ୍ଷ୍ୟ ଭୁଲୁଅଛି, ଜଳ ଭ୍ରମରେ ମରୀଚିକାର ପଶ୍ଚାତରେ ଧାବିତ ହେଉଅଛି, ହୀରକ ଜ୍ଞାନରେ ଜ୍ୱଳନ୍ତ ଅଙ୍ଗାରଖଣ୍ଡ ଧରୁଅଛି, ସ୍ୱର୍ଣ୍ଣହାର ଭ୍ରମରେ କାଳଭୁଜଙ୍ଗ କଣ୍ଠରେ ଧାରଣ କରୁଅଛି । ହାୟ! ସେ ଦୁଃଖ ନପାଇ କିଏ ପାଇବ? ଅନନ୍ତ ପ୍ରେମରେ ଦୀକ୍ଷିତ ନହେଲେ ମାନବାତ୍ମାର ସୁଖ ନାହିଁ, ଶାନ୍ତି ନାହିଁ, ଗତି ନାହିଁ, ମୁକ୍ତି ନାହିଁ । ଦୁର୍ବୁଦ୍ଧି ମାନବ ଏକଥା ବୁଝି ସୁଦ୍ଧା ବୁଝେ ନାହିଁ । କିଏ କହିପାରେ କେତେଦିନ ପୃଥିବୀର ପ୍ରତ୍ୟେକ ନରନାରୀ ଅସାର ପରିହାର କରି ସାର ସତ୍ୟବସ୍ତୁ ଧରିବେ - ଭ୍ରାନ୍ତି, ମୋହ ପରିତ୍ୟାଗ କରି ପ୍ରକୃତ ଲକ୍ଷ୍ୟପଥ ଅବଲମ୍ବନ କରିବେ? ସେତେବେଳେ ଏହି ନର ହୃଦୟ ଦେବଭାବରେ ପୂର୍ଣ୍ଣ ହେବ - ପୃଥିବୀ ସ୍ୱର୍ଗରେ ପରିଣତ ହେବ ।