ଅବକାଶଚିନ୍ତା/ଅନାଥା କଳିକା
ନବୀନ ମଲିକା ଚାରୁ କୋମଳ୍ କଳିକା,
ପ୍ରକୃତି-ଜନନୀ କୋଳେ ସରଳା ବାଳିକା ।
ଭୋଗି ନାହିଁ ଭବ-ଦୁଃଖ ଝଡ଼ ଝଞ୍ଜାବାତ,
ଅତିକ୍ରମ ନାହିଁ ବାଳା ଜୀବନ-ପ୍ରଭାତ ।
ତରୁଣ ଛଟକ ଭାବ ଅପାଙ୍ଗ-ଚାହାଣୀ,
ଚତୁର ସୁହାସ ଆଜି ନାହିଁ କିଛି ଜାଣି ।
ଦରୋଟି ହସଇ ଶୁଣି ବିହଙ୍ଗମ ଋତୁ,
ବୃନ୍ତାସନେ ଧୀରେ ଧୀରେ ଦୋଳାଏ ମାରୁତି ।
ସ୍ୱର୍ଗୀୟ ସରଳ ଭାବେ ପବିତ୍ର ମାଧୁରୀ,
ଏ ନବ କୋରକେ ଅଛି ଅପ୍ରକାଶ୍ୟେ ପୂରି ।
ଶୈଶବ ସମୟ ତାର ଅଜ୍ଞାନ ସମୟ,
ଏ କାଳେ ଭ୍ରମର ସଙ୍ଗେ ହେଲା ପରିଣୟ ।
ପର ପୂତ୍ରେ ପର କନ୍ୟା ହୁଏ କିମ୍ପା ବନ୍ଦୀ,
ସାମାନ୍ୟ କଳିକା କାହୁଁ ଜାଣିବା ସେ ସନ୍ଧି?