ଅବକାଶଚିନ୍ତା/ଗଞ୍ଜାମ ଜାତୀୟ ସମିତି

ଅବକାଶଚିନ୍ତା ଲେଖକ/କବି: ଗୋପବନ୍ଧୁ ଦାସ
ଗଞ୍ଜାମ ଜାତୀୟ ସମିତି

           
(୧)
ଅନ୍ଧାର ଉତ୍କଳ-ନଭେ ଏବେ ଶୁଭଦିନ,
ଉଇଁଛି ଉଜ୍ଜ୍ୱଳ ଆଶା ତାରକା ଦକ୍ଷିଣେ ।
ନବୋଦିତ ଯୋଗୁଁ ପ୍ରଭା ଅଳପ ବିକାଶ,
ତଥାପି ଢାଳଇ ପ୍ରତି ପରାଣେ ଆଶ୍ୱାସ ।
ଉତ୍କଳ ଜାତୀୟ ପୋତ ସୁନିଶ୍ଚତ ପଥ,
ଦେଖାଇବ ଏହି କ୍ଷୁଦ୍ର ତାରକା ସନ୍ତତ ।
ଓଡ଼ିଆ ଜାତିର ଏହା ହେବ ଧ୍ରୁବ ତାରା,
ନାଶି ତମଃ ପ୍ରକାଶିବ ଯଶଃ ଜ୍ୟୋତିଧାରା ।
(୨)
ଦିନେ ଚାଲି ଯାଇଥିଛି ଆହା ସେ ସୁଦିନ,
ସୁଭଗା ଉତ୍କଳ ତେଣୁ ଆଜି ଦୀନହୀନ ।
ଦିନେ ଯେଉଁ ଧ୍ରୁବତାରା କାଞ୍ଚି ଯାତ୍ରାକାଳେ,
ଚିଲିକାର ଚାରୁବକ୍ଷେ ନୀଳ ଊର୍ମିମାଳେ ।
ଚଳାଇଲା ଶତ ଶତ ଓଡ଼ିଆ ବୋଇତ,
ଜାତୀୟ ସମିତିରୂପେ ଆଜି ସେ ଉଦିତ ।
(୩)
ଧନ୍ୟ ହେ ଗଞ୍ଜାମବାସୀ ଓଡ଼ିଆ ସକଳ,
ଧନ୍ୟ ତୁମ୍ଭ କଉଶଳ,ଧନ୍ୟ ତୁମ୍ଭ ବଳ ।
ରାଧାକୃଷ୍ଣ ପ୍ରେମ କଥା ମଧୁର ସଙ୍ଗୀତେ,
ତନ୍ତ୍ରୀମୁଖେ ବଳଦେବ ଯହିଁ ଶୁଦ୍ଦଚିତ୍ତେ ।
ଯହିଁ ମହାକବି ଭଞ୍ଜ ଶ୍ରୀରାମ ଚରିତ,
ଗାଇଲେ ପ୍ରଥମ ଦିବ୍ୟ ରସମୟ ଗୀତ ।
ରାମକୃଷ୍ଣ ପଦ ଲାଗି(୧) ଯାର ଧୂଳି ପୂତ ,
ତୁମ୍ଭେମାନେ ସେ ଗଞ୍ଜାମ ଉପଯୁକ୍ତ ସୂତ ।
(୪)
ଦେଖାଇଲେ ଯେ ଉତ୍ସାହ ଉଦ୍ୟମ ଶକତି,
ମାତୃଭାଷା, ମାତୃଭୂମୀ ଅଟଳ ଭକତି ।
ଦେଲ ଯେ ଜାତୀୟ ଭାବ ଦୃଢ଼ ପରିଚୟ,
ଚିରଦିନ ଗାଇବେ ତୋ ଉତ୍କଳ-ତନୟ ;
ଉତ୍କଳର ଇତିହାସେ ପାଇବ ତା ସ୍ଥାନ ,
ଭାବୀ ବଂଶ ଦେଖାଇବେ ସାଦର ସମ୍ମାନ ।
ଜାତୀୟ ଜୀବନେ ଏହି ପ୍ରଧାନ ଘଟନା,
ସ୍ଥାନେ ସ୍ଥାନେ ଓଡ଼ିଆଏ କରିବେ ବନ୍ଦନା ।
(୫)
ସୁସଭ୍ୟ ଇଂରେଜ ରାଜ-ପିତୃ ସୁଶାସନେ,
ଶତ ବର୍ଷ ଅନ୍ତେ ଏବେ ଉତ୍କଳ ଭୂବନେ ।
ଫଳିଲା ପାଶ୍ଚାତ୍ୟ ଶିକ୍ଷା ସୁମଙ୍ଗଳ ଫଳ,
ସମବେତ ଉଦ୍ୟମର ଅଦଭୁତ ବଳ ।
ସ୍ୱଦେଶ,ସ୍ୱଜାତି ହିତେ ସାଧୁ ସ୍ୱାର୍ଥତ୍ୟାଗ,
ସ୍ୱସମାଜ ସ୍ୱଧରମେ ଗାଢ଼ ଅନୁରାଗ ।
ସୁସାହସେ ଦେଖାଇଲେ ଯେ ଉଚ୍ଚ ଆଦର୍ଶ,
ଅନୁସରନ୍ତୁ ଉତ୍କଳେ ସର୍ବେ ପ୍ରତିବର୍ଷ ।