ଅବକାଶଚିନ୍ତା/ଶମ୍ଭୁକର ବାଜପେୟୀ

ଅବକାଶଚିନ୍ତା ଲେଖକ/କବି: ଗୋପବନ୍ଧୁ ଦାସ
ଶମ୍ଭୁକର ବାଜପେୟୀ

       
କି ଭାଷାରେ ଦେବ, ଆମନ୍ତ୍ରିବି ତବ
ସ୍ୱର୍ଗୀୟ ଆତ୍ମାକୁ ଆଜ?
ସୁଜ୍ଞାନୀ ଧାର୍ମ୍ମିକ ଗୋନ୍ତ୍ର ପ୍ରବର୍ତ୍ତକ
ହେ ଉତ୍କଳ-ଭରଦ୍ୱାଜ !
ତୁମ୍ଭ ବଂଶୋଭବ ବୋଲି ଗଉରବ
କରନ୍ତି ବିପ୍ର ଅନେକ,
ବର୍ଷ ଶତ ଶତ ହେଲେହେଁ ଅତୀତ
ଅଛି ତୁମ୍ଭ ନାମ ଟେକ ।
ବାଜପେୟ ଯାଗ କରି ମହାଭାଗ
ହେଲ ନିଜେ ପୂତପ୍ରାଣ,
ସ୍ମୃତି ତ୍ରୟୋଦଶେ ପ୍ରଚାରିଲେ ଦେଶେ
ବେଦ-ବିହିତ-ବିଧାନ ।
ଧର୍ମତତ୍ତ୍ୱେ ରତ ଥିଲେ ହେ ସତତ
ସାହିତ୍ୟ-ଶୋଭା-କାନନେ,
ମାନସ ମିଳିନ୍ଦ ତବ ମକରନ୍ଦ
ଚାଖି ଚଖାଇଲା ଜନେ ।
ରାଜ-ଅନୁଗ୍ରହ ରାଜ୍ୟ-ପ୍ରତିଗ୍ରହ
କରେ ବ୍ରହ୍ମତେଜ ନାଶ,
ମାନି ରାଜଦେଶ ତେଣୁ ତେଜି ଦେଶ
କଲ ଚିର କାଶୀବାସ ।
ତଥାପି ସ୍ୱଜନ ମମତା ବନ୍ଧନ
ହୃଦେ ଥିଲା ନିରନ୍ତର,
ତିରିଶି ବରଷେ ପେଷିଲ ସ୍ୱଦେଶେ
ଯୋଗ୍ୟ ସୁତ ବିଦ୍ୟାକର ।
ବିସ୍ମୃତି-ତାମସ କରଇ-ଗରାସ
ନର-କୀରତି-ନିଚୟ,
କିନ୍ତୁ ସାଧୁଭାବ ପବିନ୍ତ୍ର ପ୍ରଭାବ
ପାଏ ନାହିଁ କେବେ ଲୟ ।
ହେ ସମାଜ-ନେତା ତବ ସ୍ୱାଧୀନତା
ସ୍ୱଦେଶେ-ସୁଧର୍ମ-ପ୍ରୀତି,
ତେବେ କାହିଁ ଆଜି ସେ ଶକ୍ତି, ସେ ତେଜ
କିମ୍ପା ଏ ଘୋର ଅନୀତି ?
ହେ ଉତ୍କଳ ଆଦି ଋଷି ବ୍ରହ୍ମବାଦି,
କର ଏହି ଆଶୀର୍ବାଦ,
ପରକାଶୁ ତବ ପ୍ରଚ୍ଛନ୍ନ ପ୍ରଭାବ
ଘୁଞ୍ଚୁ ଜାତି-ଅବସାଦ ।