ଅର୍ଘ୍ୟଥାଳୀ/ଗର୍ବ
ଗର୍ବ
ଲେଖକ/କବି: ଗଙ୍ଗାଧର ମେହେର
ଗର୍ବ ବୋଲେ, ମୁହିଁ ଏକା ଶ୍ରେଷ୍ଠତମ ଭବେ
କ୍ଷୁଦ୍ର ହୋଇଥାଏ ବଡ଼ ମୋ’ କୃପାବିଭବେ ।
ଅତି କ୍ଷୁଦ୍ର ହୃଦେ ଯେବେ କରେଁ ଅଧିଷ୍ଠାନ,
ଦେଖଇ ସେ ଜଗତକୁ ନିଜଠାରୁ ସାନ ।
ଘୁଷୁରି ଉପରେ ବସି ମୋହର ଭକତ,
ରଜାରୋହୀଠାରୁ ମଣେ ନିଜକୁ ଉନ୍ନତ ।
ବସିପାରେଁ ଯଦି ଯାଇ ଗଜାରୋହୀ ହୃଦେ,
ଐରାବତାରୂଢ଼ ଇନ୍ଦ୍ର କରେଁ ତାକୁ ମୁଦେ ।
ମୁଁ କରାଇପାରେଁ ଯା’କୁ ବର୍ଣ୍ଣ ପରିଚୟ,
ନିଜକୁ ସେ ସୁପଣ୍ଡିତ ମଣିବ ନିଶ୍ଚୟ ।
ପଢ଼ାଇ ପାରିବି ଯା’କୁ କାବ୍ୟ ଖଣ୍ଡେ-ଅଧେ,
ବସିବାକୁ ବାଞ୍ଛଇ ସେ ବୃହସ୍ପତି ପଦେ ।
ଲେଖାଇ ପାରିଲେ ପଦ ଯୋଡ଼ି ମିତ୍ରାକ୍ଷର,
ମଣାଇବି ଶୁକ୍ରଠାରୁ କବି ଶ୍ରେଷ୍ଠତର ।
ଦରିଦ୍ର କରିବ ଯେବେ ମୋ’ ପଦେ ଭକତି,
ମଣିବ ସେ ତାକୁ ସମ୍ ନୁହେ କୋଟିପତି ।
ଅଳ୍ପବିତ୍ତ ହୃଦେ ମୋର ହେଲେ ଅଧିଷ୍ଠାନ,
ମଣିବ ସେ ଆପଣାକୁ କୁବେର ସମାନ ।
ସମସ୍ତେ ବୋଲନ୍ତି ବଡ଼ ଧନଠାରୁ ମନ,
ମନ ବଡ଼ ହୁଏ କଲେ ମୋ’ ପଦ ଭଜନ ।
ମୋହର ଚରଣ ସେବି ଗ୍ରାମାଧୀଶମାନେ,
ମଣ୍ଡିଥାନ୍ତି ଆପଣାକୁ ଭୂପତି ସମ୍ମାନେ ।
ମୁକୁଟ ପରାଏ ମୁହିଁ ମଣ୍ଡେ ଯା’ର ମଥା,
ସାନ ମୁଖେ କହିଥାଏ ବଡ଼ ବଡ଼ କଥା ।
ନ ଶୁଣେ ଅନ୍ୟର କଥା ମୂଲ୍ୟହୀନ ଜାଣି,
ଯାହା ଜାଣେ ହୋଇଥାଏ ତହୁଁ ବଡ଼ ଜ୍ଞାନୀ ।
ହିମାଚଳଚୂଡ଼ା ଜିଣି ଉନ୍ନତ ମୋ’ ଶିର,
ହୃଦୟ ମୋହର ମହାସାଗରୁ ଗଭୀର ।
ମୋତେ ଭଜି ମୋର ଯୋଗ୍ୟ କର୍ମ ଯେହୁ କରେ,
ଶିରେ ବହି ଟେକେ ତାକୁ ଉନ୍ନତିଶିଖରେ ।
ମୋ’ ଗରଭେ ମଜ୍ଜି ଯେହୁ ହୁଏ କର୍ମହୀନ,
ଅତଳ ଗଭୀରେ ପଡ଼ି ହୋଇଯାଏ ଲୀନ ।
•••