ଅର୍ଘ୍ୟଥାଳୀ/ତାରା-ସୂର୍ଯ୍ୟ

ଅର୍ଘ୍ୟଥାଳୀ
ଲେଖକ/କବି: ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ


ତାରା-ସୂର୍ଯ୍ୟ
ଲେଖକ/କବି: ଗଙ୍ଗାଧର ମେହେର



ହେ ତାରକାଗଣ, କିପାଁ ଦିଶ ସାନ ସାନ,
ତୁମ୍ଭେ ପରା ଅଛ କେତେ ରବି-ରଶ୍ମିମାନ ?

ଦିବସେ ନ ଦିଶି କିପାଁ ରଜନୀରେ ଦିଶ,
ପ୍ରଭାକର ହୋଇ ତୁମ୍ଭ ମନେ ଭୟ କିସ ?

ତୁମ୍ଭକୁ ଯେ ବୋଲିଥାନ୍ତି ଚନ୍ଦ୍ରଜାୟା ଜନେ,
ସେ କଥାରେ ନ ହୁଏ କି ଲଜ୍ଜା ତୁମ୍ଭ ମନେ ?

ଜାଣିଲି ଜାଣିଲି ତୁମ୍ଭେ ସୂର୍ଯ୍ୟ ଅଟ ସତ,
ଆଲୋକିତ କରୁଅଛ ନିଜର ଜଗତ ।

ଆମ୍ଭ ଭାସ୍କରକୁ ତୁମ୍ଭ ରାଜ୍ୟଲୋକ ସାରା,
ବୋଲୁଛନ୍ତି ଗଗନର କ୍ଷୁଦ୍ର ଏକ ତାରା ।

ତୁମ୍ଭ ରାଜ୍ୟେ ତୁମ୍ଭ ଆଗେ ଆମ୍ଭର ଭାସ୍କର,
ନ ଦିଶନ୍ତି ତେଣୁ ଦିନେ ନ ହୁଅ ଭାସ୍ୱର ।

ଯାହାକୁ ଯେମନ୍ତ ଦିଶେ ତେମନ୍ତ ସେ ଭାଷେ,
ସେ କଥାରେ ମହତଙ୍କ କି ଯାଏ କି ଆସେ ?

କେତେ ଚନ୍ଦ୍ର ଖଟୁଛନ୍ତି ତୁମ୍ଭର ଚରଣେ,
ଆମ୍ଭ ଚନ୍ଦ୍ରେ ପତି ବୋଲି ତୁମ୍ଭର କେ ଗଣେ ?

ତୁମ୍ଭ ରାଜ୍ୟେ ଦିଅ ତୁମ୍ଭେ ପ୍ରଚୁର କିରଣ,
ତେଣୁ ସେହିଠାରେ ଥିବ ତୁମ୍ଭ ରବିପଣ ।

ଆମ୍ଭ ରାଜ୍ୟେ ଆମ୍ଭ ରବି କରେ ତମ କ୍ଷୟ,
ଏଣୁ ଆମ୍ଭେ ଚାହୁଁଥାଉଁ ତାଙ୍କର ଉଦୟ ।

ତୁମ୍ଭେ ଯେତେ ବଡ଼ ହେଲେ ଆମ୍ଭର କି ଲାଭ,
ଆମ୍ଭ ତମ ନାଶିବାକୁ ନାହିଁ ତ ପ୍ରଭାବ।

ଯେ ଯାହାର ହିତ କରେ ନ ନେଲେ ତା ନାମ,
ଆମ୍ଭ ଦେଶେ କହୁଁ ତାକୁ ନିମକହାରମ ।

    •••