ଅର୍ଘ୍ୟଥାଳୀ/ନବବର୍ଷ
ନବବର୍ଷ
ଲେଖକ/କବି: ଗଙ୍ଗାଧର ମେହେର
ବର୍ଷଟିଏ ଗଲା ଉତ୍କଳ-ଜୀବନେ
ଘଟାଇ ଗଭୀର ଦୁଃଖ,
ଦୁଃଖ ଉପଶମ ପାଇଁ କିଛି ପୁଣି
ଦେଖାଇ ଦେଇଛି ସୁଖ ।
ଦେଇଛି ଯେ ଦୁଃଖ ରହିବ ତା’ ବକ୍ଷ-
ସ୍ଥଳରେ କଳଙ୍କ ହୋଇ,
ଶତ ଚେଷ୍ଟାକଲେ ଶତ ସ୍ରୋତଜଳେ
ନ ପାରିବ ତାହା ଧୋଇ ।
ଯେ ମଧୁସୂଦନ ଉତ୍କଳସଦନ
କରୁଥିଲେ ଆଲୋକିତ,
ତାଙ୍କୁ ନେଇ ଏକ ବର୍ଷ ଅବିବେକ
ହୋଇଗଲା କଳଙ୍କିତ ।
ଗୌରବ ମସ୍ତକେ ବସାଇ କ୍ଷଣକେ
ବୈକୁଣ୍ଠନାଥଙ୍କୁ ହରି,
ତା’ ପରେ ବତ୍ସର ଘୋର କଳଙ୍କର
ବାନାଟିଏ ଗଲା ଧରି ।
ରାଧାନାଥ ମନ ବଇକୁଣ୍ଠ ଧନ
ହୋଇ ଚିର ସହକୃତ,
ଉତ୍କଳର ବଳ- ବର୍ଦ୍ଧକ ସମ୍ବଳ
ଥିଲା ଯଥା ଖଣ୍ଡ ଘୃତ ।
ଗଲେ ସେ ସକଳେ ଥୋଇ ଏ ଉତ୍କଳେ
ଜୀବନର ପ୍ରତିବିମ୍ବ,
ଦର୍ପଣ ଦୋଷରୁ ସହକାର ତରୁ
କେବେ କାହିଁ ହେବ ଲିମ୍ବ ।
ଦେଇଅଛି ହର୍ଷ ମଧ୍ୟରେ ଏ ବର୍ଷ
ସତ୍ୟବାଦୀ ବିଦ୍ୟାଳୟ,
ନବ ସଂସ୍ଥାପନେ ଉତ୍କଳର ପ୍ରାଣେ
ହେଲା ନବ ବଳୋଦୟ ।
ଯେଉଁ ଗଙ୍ଗବଂଶ ଉତ୍କଳରେ ଯଶ
ରଖିଛନ୍ତି ବିଦ୍ୟାବଳେ,
ତାଙ୍କ ବଂଶଧର ଶ୍ରୀ ଦିବ୍ୟଶଙ୍କର
ଆରୋହିଲେ ବିଦ୍ୟାଚଳେ ।
ବହି ନବ ଆଶା ଜନମିଛ ‘ଆଶା’
‘ଉତ୍କଳ ସେବକ’ ସହ,
ସାହିତ୍ୟ ସମାଜ ତେଜିଅଛି ରାଜ
ସାହାଯ୍ୟେ ମରଣ-ଭୟ ।
କରୁଣାବାରିଧି ରାଜପ୍ରତିନିଧି
ଦୁର୍ଦ୍ଦଶା କରିବେ ବୋଲି,
ଉତ୍କଳକୁ ବିଜେ କରି ଦେଲେ ନିଜେ
ଆଶ୍ୱାସ-ଚନ୍ଦନ ବୋଳି ।
ଉତ୍କଳ ଭବନ ନେତା ବିଚକ୍ଷଣ
ଶ୍ରୀ ମଧୁସୂଦନ ଦାସ,
ନିଜ ପରିବାର ଚାଳନର ଭାର
ନେଲେ ତେଜି ଅଉଦାସ୍ୟ ।
ଆସ ଆସ ନବ ସମ୍ବତ୍ସର ତବ
ପୟରେ ଅଭିବାଦନ,
ହରି ଦୁଃଖଭାର ଉତ୍କଳ ପ୍ରଜାର
କର ମଙ୍ଗଳସାଧନ ।
ନବ ନବ ବଳ ସୃଜିବା କେବଳ
ଅଟଇ କାଳ ବିଧି,
ହେ ଶୁଭ ସମୟ ହେଉ ସତ୍ୟମୟ
ତୋର ସନାତନୀ ସିଦ୍ଧି ।
ଉତ୍କଳବାସୀଏ ଉତ୍କଳଭାଷୀଏ
ଯହିଁ ତହିଁ ପଛେ ଥାଅ,
ନବ ପ୍ରତ୍ୟୁଷରେ ନବୀନ ଭାଷରେ
ନବୀନ ସଙ୍ଗୀତ ଗାଅ ।
କୋଟିଏ କଣ୍ଠରେ ଗୋଟିଏ ରାଗରେ
ଉଠିଲେ ସ୍ତବ ସଙ୍ଗୀତ,
କି ଜଗଦୀଶ୍ୱର କି ଭାରତେଶ୍ୱର
ନିଃସନ୍ଦେହ ହେବେ ପ୍ରୀତ ।
କର୍ମକ୍ଷେତ୍ର ମହୀ- ମଣ୍ଡଳରେ ରହି-
ଅଛ ସେହି ଯେତେ କଷ୍ଟ,
କର୍ମେ ଅଗ୍ରସର ହୁଅ ହେ ସତ୍ୱର
ତାହା ସବୁ ହେବ ନଷ୍ଟ ।
କର୍ମୀ ଅନୁକୂଳ ଆଜ ରାଜକୁଳ
କର୍ମ ଅନୁସାରେ ବର
ଦେବାକୁ ତତ୍ପର ସଦା ନ୍ୟାୟପର
ସମ୍ରାଟ ଭାରତେଶ୍ୱର ।
•••