ଅର୍ଘ୍ୟଥାଳୀ/ବିଦୁର ପ୍ରଜାଗର

ଅର୍ଘ୍ୟଥାଳୀ
ଲେଖକ/କବି: ଗଙ୍ଗାଧର ମେହେର
ବିଦୁର ପ୍ରଜାଗର


ବିଦୁର ପ୍ରଜାଗର
ଲେଖକ/କବି: ଗଙ୍ଗାଧର ମେହେର



ସୁଶାନ୍ତ ରଜନୀ, ଶାନ୍ତ ଅବନୀମଣ୍ଡଳ,
ନାହିଁ ଆଉ ହସ୍ତିନାରେ ଜନ କୋଳାହଳ ।
ଜ୍ୟୋତିଷ୍କମଣ୍ଡଳ ଥାଇ ଗଗନେ ନିଶ୍ଚଳେ
ଦେଖୁଛନ୍ତି ମୁଖ ଶାନ୍ତ ଯମୁନାର ଜଳେ ।
ଧୀରେ ଧୀରେ ହରି ପୁଷ୍ପରଜ ସମୀରଣ
ଗୁପତେ ଜଗତେ କରୁଅଛି ବିତରଣ ।
ନିଦ୍ରାର କୋମଳ କୋଳେ ପୁରଜନଗଣ
ପଡ଼ି ହୋଇଛନ୍ତି ଶାନ୍ତି-ସାଗରେ ମଗନ ।
କିନ୍ତୁ ରାଜା ଧୃତରାଷ୍ଟ୍ର ତହିଁରୁ ବଞ୍ଚିତ,
ଆଜ ହୋଇଛନ୍ତି ସୁପ୍ତି-ସ୍ନେହରୁ ବର୍ଜିତ ।
ଯୁବରାଜ ସୁଯୋଧନ ବୀର ଧୁରନ୍ଧର,
ଯାହା ପାଇଁ ଭୀଷ୍ମ ସଦା ରଣେ ଅଗ୍ରସର ।
ମହାବୀର ଦ୍ରୋଣ ଯା’ କୁ କରିବାକୁ ତ୍ରାଣ
ଅକୁଣ୍ଠିତ ସଦା ରଣେ ଦେବା ପାଇଁ ପ୍ରାଣ ।
କର୍ଣ୍ଣ ଯା’ର କର୍ଣ୍ଣଧାର ସମର-ସାଗରେ
ଘେନି ରଥ ନାବ ଶକ୍ତି-କ୍ଷେପଣୀ ଆଗରେ ।
ଜଗତ-ପ୍ରଳୟକାରୀ ଶର-ଜାଲ ଧରି
ରହିଛନ୍ତି ଦ୍ରୋଣି ଯା’ର ଆଜ୍ଞା ଅନୁସରି ।
ସେ ପୁତ୍ରର ପିତା ହୃଦେ ପଶିଥିବ ଚିନ୍ତା,
କାହିଁ କହିହେବ ଏହା ଛାଡ଼ି ବିବେକିତା ।
ଅସୀମ କ୍ଷମତା ଯା’ର ଅତୁଳ ବିଭବ,
କି ଦୁଃଖେ ରହିବେ ଏକା ହୋଇ ସେ ନୀରବ ?
ଭାର୍ଯ୍ୟା ତ ନୁହନ୍ତି ତାଙ୍କ ଅପ୍ରିୟଭାଷିଣୀ,
ବୁଦ୍ଧି ତ ନୁହଇ ପର-ପଦାର୍ଥଗ୍ରାସିନୀ ।
ଅନ୍ଧ ବୋଲି କିବା ମନେ ଘୃଣା ଉପୁଜାଇ
ଅଛି ନିଦ୍ରା ରାଜନେତ୍ର ପାଶକୁ ନ ଯାଇ।
କି ଗୂଢ଼ ରହସ୍ୟ ତାହା ବୁଝିବି କେସନେ,
କହ କୃପାବହି ମୋତେ ଶ୍ୱେତପଦ୍ମାସନେ !
ଉପପ୍ଳବ ଗୂଡ଼େ ଆଜ ସଞ୍ଜୟ ସୁମତି
ରାଜାଦେଶେ ଯାଇଥିଲେ ଯୁଧିଷ୍ଠିର କତି;
ଲେଉଟି ସେ କହିଛନ୍ତି ତାଙ୍କ ସମାଚାର,
ପାଣ୍ଡୁସୁତେ ସ୍ଥିର କରିଅଛନ୍ତି ବିଚାର;
ପାଞ୍ଚ ଖଣ୍ଡି ଗ୍ରାମ ଯେବେ ଦେବେ ନରପତି,
ପୁତ୍ରଭାବେ ରହିଥିବେ ସେବି ତାଙ୍କ କତି ।
ତା’ ନ ହେଲେ ରାଜ୍ୟ ପାଇଁ ଦେଖାଇବେ ବଳ,
ତହିଁ ପାଇଁ ଠୁଳ କରି ସାରିଛନ୍ତି ବଳ ।
ଏଣେ ତାଙ୍କ ପ୍ରିୟତମ ସୁତ ସୁଯୋଧନ,
ଭାଗ ଦେବାପାଇଁ ତିଳେ କରୁନାହିଁ ମନ ।
ବଂଶବନେ ଲାଗିଯିବ ପ୍ରଚଣ୍ଡ ଅନଳ,
ଏହା ଭାବି ନରପତି ହୃଦୟ ବିକଳ ।
ଅସ୍ଥିର ହୃଦୟେ ବସି ବସି ନରପତି,
ବିଦୁରଙ୍କ ଉପଦେଶେ ବଳାଇଲେ ମତି ।
ଡକାଇ ସେ ବିଦୁରଙ୍କୁ ବସାଇ ସାଦରେ,
କହିଲେ ସଞ୍ଜୟ କଥା ସବୁ ବିଷାଦରେ ।
ଆହୁରି କହିଲେ, ‘‘ତୁମ୍ଭେ ପଣ୍ଡିତ ବିଦୁର,
ଅଜ୍ଞାନ-ଗିରିକି ତୁମ୍ଭ ବଚନ ଭିଦୁର ।
ଆମ୍ଭ ହିତ କାର୍ଯ୍ୟ ସଦା ଥାଏ ତୁମ୍ଭ ମନ,
ସ୍ୱଭାବତଃ ଅଟ ଯେଣୁ ଆମ୍ଭ ଜ୍ଞାତି ଜନ ।
ଧରମ ଅର୍ଥରେ ପୁଣି ଅଟ ସୁକୁଶଳ,
କହ ଭାଇ, କି ଉପାୟେ ହୋଇବ କୁଶଳ ।’’
ବିଦୁର ବୋଇଲେ, ‘‘ଆହେ ନୃପତିମଣ୍ଡଳ,
ଧରମ ଆଚର ସଦା ଧର୍ମେ ଦେଇ ମନ ।
ଯେ ଭାବେ ଧାର୍ମିକ କରେ ଧର୍ମକୁ ରକ୍ଷଣ,
ଧର୍ମ ତାକୁ ରଖେ ସେହି ଭାବେ ଅନୁକ୍ଷଣ ।
ଧରମ ମଙ୍ଗଳମୟ ଧର୍ମେ ସଦା ଜୟ,
ସବୁକାଳେ ସବୁଠାରେ ଧାର୍ମିକ ନିର୍ଭୟ ।
ଯେ ନରପୁଙ୍ଗବ ଧରେ ଧର୍ମରୂପ-ଅସି,
ସନ୍ତାପ ନିକଟେ ତାର ନ ପାରଇ ପଶି ।
ଧାର୍ମିକ ହୃଦୟ ଥାଏ ସତତ ପ୍ରଫୁଲ୍ଲ,
ବିଭାବସୁ-କର ଯୋଗେ ଯଥା ପଦ୍ମଫୁଲ ।
ବିପଦବାନ୍ଧବ ଧର୍ମ ସମ୍ପଦର ଭାଇ,
ଇହ-ପରକାଳ ସଙ୍ଗୀ ସଦା ଶୁଭଦାୟୀ ।
ଧର୍ମପଥେ ଉଇଁ ରବି ଧର୍ମ ଘେନି ଅସ୍ତ,
ଧର୍ମ ତାଙ୍କୁ ରକ୍ଷାକରେ ହେଲେ ରାହୁଗ୍ରସ୍ତ ।
ଧର୍ମ ଅନୁରୋଧ ସିନା ଚନ୍ଦ୍ର ହୁଏ କ୍ଷୟ,
ସେହି ଧର୍ମବେଳ ପୁଣି ହୁଏ ତେଜୋମୟ ।
ଧର୍ମ ଅନୁସାରେ ଏକା ବୃକ୍ଷ ଦିଏ ଫଳ,
ଧର୍ମରେ ଜଳଦମାଳ ଦେଉଥାନ୍ତି ଜଳ ।
ଏ ସଂସାର ଜଳଧିକି ହେବା ପାଇଁ ପାର
ଧର୍ମ-ସିନ୍ଧୁ-ଯାନ, ତହିଁ ବିଭୁ କର୍ଣ୍ଣଧାର ।
ଚଳାଏ ଜୀବନ ଯେହୁ ଧର୍ମପଥ ହୁଡ଼ି,
ବୁଡ଼ାଏ ସେ ପରିଜନେ ଆପେ ତାପେ ବୁଡ଼ି ।
ଧର୍ମପଥେ ଗତି ଯା’ର ଧର୍ମେ ସ୍ଥିର ମତି,
ଈଶ୍ୱର ଖଣ୍ଡନ୍ତି ତାର ନିଖିଳ ବିପତ୍ତି ।
ନିୟନ୍ତ୍ରିତ ଧର୍ମ-ମହାଯନ୍ତ୍ରେ ଗ୍ରହଗଣ,
ସତତ ଅନନ୍ତ ପଥେ କରନ୍ତି ଭ୍ରମଣ ।’’
ଧୃତରାଷ୍ଟ୍ର ବୋଇଲେ,‘‘ହେ ଧାର୍ମିକପ୍ରବର,
ଧର୍ମର ବ୍ୟବସ୍ଥା କୃପାବହି ଦାନ କର ।’’
ବଦୁର ବୋଇଲେ, ‘‘ଧନ୍ୟ ନୃପତିଶେଖର,
ଲୋଡ଼ିଲା ଯା ଧର୍ମନୀତି ମାନସ ତୁମ୍ଭର ।
ମାନବ-ଜୀବନ-ରାଜ୍ୟେ ମନ ନରପତି,
ନ୍ୟାୟଦେବ ସେ ରାଜ୍ୟର ଉପଯୁକ୍ତ ମନ୍ତ୍ରୀ ।
ବୁଦ୍ଧି, ବିବେଚନା, ଧୃତି ରାଜସଭାସଦ,
ବ୍ୟବସ୍ଥା ଦିଅନ୍ତି ଯହିଁ ନ ହେବ ଆପଦ ।
ଜ୍ଞାନେନ୍ଦ୍ରିୟ ପଞ୍ଚ ତହିଁ ରାଜପରିଜନ,
ପରଜା ଅଟନ୍ତି ମାତ୍ର କର୍ମେନ୍ଦ୍ରିୟଗଣ ।
ରାଜ-ଅଳଙ୍କାର ଦୟା, କ୍ଷମା, ସରଳତା,
ଉଦାରତା, ସୁଶୀଳତା, ବିନୟ, ସତ୍ୟତା ।
କର୍ମ କୃଷିକ୍ଷେତ୍ର ସୁଖଫଳ ପ୍ରଦାୟକ,
କିନ୍ତୁ ତହିଁ ପରିଶ୍ରମ-ବୀଜ ଆବଶ୍ୟକ ।
ଅତି ଦୁଷ୍ଟ ଅହଙ୍କାର ମନର ସୋଦର,
ଆଧିପତ୍ୟ ନେବାପାଇଁ ସତତ ତତ୍ପର ।
କାମ ଆଦି ଷଡ଼ ସୈନ୍ୟ ଘେନି ଅବିରତ
ମହାଘୋର ସଂଗ୍ରାମରେ ହୋଇଥାଏ ରତ ।
କାମ ହସ୍ତେ ଲମ୍ପଟତା, ପାନ-ଦୋଷ ଶର,
କ୍ରୋଧ ଧରେ ନାଗପାଶ ଘୋର ଭୟଙ୍କର ।
ଲୋଭ ମାରେ ମେଘ-ବାଣ ଅତି ଦୁର୍ନିବାର,
କ୍ଷଣକରେ କରିଦିଏ ଚୌଦିଗେ ଅନ୍ଧାର ।
ମୋହହସ୍ତେ ସମ୍ମୋହନ-ଶକ୍ତି ଜକଜକ,
ମଦ ପ୍ରହାରଇ ମହା ଅସ୍ତ୍ର ଉନ୍ମାଦକ ।
ମାତ୍ସର୍ଯ୍ୟ ଛାଡ଼ଇ ସଦା ଅଗ୍ନି ମହାଶର,
ନିଜେ ଜଳି ଜାଳୁଥାଏ ପର କଳେବର ।
ସାଧୁ ସହବାସ-କର୍ମ ଧରେ ଯେବେ ଅଙ୍ଗେ,
ସମରସମର୍ଥ ମନ ହୁଏ ରିପୁ ସଙ୍ଗେ ।
ଜ୍ଞାନ-ମହାଶର ବଳେ ଲଭଇ ବିଜୟ,
ପଦାନତ କରି ରଖେ ବଇରିନିଚୟ ।
ସଦସ୍ୟଗଣର କଥା ହେଉଥାଏ ଧାର୍ଯ୍ୟ,
ମନ୍ତ୍ରୀ ପରାମର୍ଶ ଘେନି ହେଉଥାଏ କାର୍ଯ୍ୟ ।
ଏହାକୁ ମାନବଧର୍ମ ବୋଲି ନରବର,
ଇହ ପର କାଳେ ଏହି ଧର୍ମ ଶ୍ରେୟସ୍କର ।
ଅହଙ୍କାର ହୁଏ ଯେବେ ଜୀବେନ ପ୍ରବଳ,
ସୈନ୍ୟ ତାର ଉପୁଜାନ୍ତି ମହାକୋଳାହଳ ।
ଚଉଦିଗୁଁ ମାଡ଼ିଆସେ ଅଶାନ୍ତି-ତରଙ୍ଗ,
ସହଜରେ ହୁଏ ତହିଁ ଧର୍ମ-ସେତୁ ଭଙ୍ଗ ।
ଆଶୁକ୍ଷୟଶୀଳ ସୁଖ ଧରମହୀନର,
ଧର୍ମହୀନ ନର ସର୍ବ ବିପତ୍ତିର ଘର ।
ଜଗତରେ ଅଛି ଭଲ ମନ୍ଦ ଦୁଇ କଥା,
ବୁଧଗଣ ଭଲ ବାଛି ନିଅନ୍ତି ସର୍ବଥା ।
ଭଲକଥା ହୋଇଥାଏ ଆଗେ ଦୁଃଖପ୍ରଦ,
ପରିଣାମେ ଆଣିଦିଏ ଅକ୍ଷୟ ଆନନ୍ଦ ।
ମନ୍ଦ କଥା ପ୍ରଥମରେ ଦିଶେ ମନୋହର,
ଆଗେ କିଛି ସୁଖ ଦିଏ ପଛେ ଭୟଙ୍କର ।
ତୁମ୍ଭେ ତ ହୋଇଛ ନାନା ମନ୍ଦ କର୍ମେ ପଟୁ,
ଏଣୁ ଭଲ କଥାସବୁ ଲାଗୁଅଛି କଟୁ ।
ଯେଉଁ ରାଜା ଆଳସ୍ୟରେ ଦ୍ରବ୍ୟ କରି ନାଶ,
ପରଦ୍ରବ୍ୟ ଦେଖି ତହିଁ ପ୍ରବର୍ତ୍ତାଏ ଆଶ,
ପ୍ରିୟ ମିତ୍ରଠାରେ କରି ମିଥ୍ୟା ବ୍ୟବହାର,
ଅବ୍ୟାପାରେ ରତ ଥାଏ ମଣି ସୁବ୍ୟାପାର,
କର୍ତ୍ତବ୍ୟ କାର୍ଯ୍ୟରେ ହେଳେ ନ ଲଗାଏ ମନ,
ବଳବନ୍ତଠାରେ କରେ ବିବାଦ ଅର୍ଜ୍ଜନ,
ତୋଷାମୋଦକାରୀ ସଙ୍ଗେ ବିଚାର କରଇ,
ନିନ୍ଦନୀୟ କର୍ମ ବୋଲି ତିଳେ ନ ଡରଇ,
ଜୁଆ ପଶା କରିଥାଏ ପ୍ରଧାନ ଜୀବିକା,
ବେଶ୍ୟାଘରେ ଜୀବନ ଯା ହୋଇଥାଏ ବିକା,
ଅବିଶ୍ୱାସୀ ଲୋକଠାରେ ଲଗାଇ ବିଶ୍ୱାସ,
ମୂର୍ଖପଣେ ନ ଛାଡ଼ଇ ମୂର୍ଖଜନ ପାଶ,
ଆପଣାର ଦୋଷ ଥିଲେ ପର୍ବତ ସମାନ,
ସୋରିଷ ସଦୃଶ ତାକୁ ମଣୁଥାଏ ସାନ,
ସୋରିଷ ସମାନ ଯେବେ ପର-ଦୋଷ ଦେଖେ
ଅଭିମାନ ବହି ତାକୁ ଗିରି ସମ ଲେଖେ,
ଯେତେବେଳେ କାର୍ଯ୍ୟ ସେତେବେଳେ ତା’ ନ କରି
କାର୍ଯ୍ୟଦକ୍ଷ ବୋଲିଥାଏ ବୃଥା ଗର୍ବ ଧରି,
କାର୍ଯ୍ୟରେ ଅକ୍ଷମ କିନ୍ତୁ ବାକ୍ୟେ ମହାବୀର,
ଧରିଥାଏ ମିଥ୍ୟା ଗଳ୍ପଯାକ ପୃଥିବୀର,
ସେ ନୃପତି ଅତି ମୂର୍ଖ ବୋଲି ଶାସ୍ତ୍ର କହେ,
ଲକ୍ଷ୍ମୀ ଘୃଣା କରି ତାର ନିକଟେ ନ ରହେ ।
ସୁପାତ୍ରେ ନ ଦେଇ ଯେହୁ ନିଜେ ପିନ୍ଧେ ଖାଏ
ସମୟେ ତା’ ଧନରାଶି ସମୂଳରେ ଯାଏ ।
ଖଚୁଆଙ୍କ କଥା ଯେବେ ରାଜା ମନେ ଧରେ,
ଦୋଷହୀନ ପରଜାକୁ ଦଣ୍ଡଦାନ କରେ,
ହିତାହିତ କଥା କିଛି ନ ପାରଇ ବାରି,
ପୁରସ୍କୃତ ହୁଅନ୍ତି ଯା’ ତୋଷାମୋଦକାରୀ,
ଲାଳସା ବଢ଼ାଉଥାଏ ଦେଖି ପ୍ରଜା-ଧନ,
ସେ ଧନ ନେବାକୁ କରେ ଉପାୟ ସାଧନ,
ସତସଙ୍ଗ ଛାଡ଼ି ରହେ ଅସତ ସଙ୍ଗରେ,
କୁତ୍ସିତ ଆମୋରଦେ ରତ ଥାଏ ନିରନ୍ତରେ,
ଅଭିମାନ ବୃଦ୍ଧି ପାଇଁ ବହେ ଋଣଭାର,
କରେ ରାଜକ୍ଷମତାର ଅପବ୍ୟବହାର,
ଅଧୀନସ୍ଥ କର୍ମଚାରୀ କଲେ ଅତ୍ୟାଚାର,
ପ୍ରଜା ଗୁହାରିରେ କରେ ନାହିଁ ସୁବିଚାର,
ଦୟା ନ ଜନ୍ମଇ କେବେ ପରଜାଙ୍କ ଦୁଃଖେ
ଭାସୁଥାଏ ନାରୀ ପ୍ରେମ-ତରଙ୍ଗର ସୁଖେ,
ରତ ଥାଏ ବଳବନ୍ତ ରାଜା ସଙ୍ଗେ ବାଦେ,
ସେ ରାଜାଙ୍କୁ ଲକ୍ଷ୍ମୀ ଛାଡ଼ିଯାଏ ଚାରିପାଦେ ।
କ୍ଷମତା ନ ଥାଇ ଲୋକ କ୍ରୋଧ ଯେବେ କରେ ।
ନିଜ କ୍ରୋଧନଳେ ନିଜେ ଦଗ୍‌ଧ ହୋଇ ମରେ ।
ପର ଧନ ପର ଦାର ଯେ କରେ ହରଣ,
ନିଜ ହାତେ କରେ ମହାଭୀତିକ ବରଣ ।
କୁଣ୍ଠିତ ନ ହେବ ରାଜା ଆଶ୍ରିତ ପୋଷଣେ,
ଅତିହିଁ କୃପଣ ହେଲେ ବୁଡ଼ଇ ଆପଣେ ।
ଯେଉଁରୂପେ ପୁଷ୍ପରଜ ନିଅଇ ଭ୍ରମର,
ହାନି ନାହିଁ ପ୍ରଜାଧନ ନେଲେ ନରବର ।
ନିତି ପାଣି ଦେଇ ମାଳୀ ବୃକ୍ଷକୁ ବଢ଼ାଏ,
ତେବେ ଏକା ମନୋହର ପୁଷ୍ପ ତହୁଁ ପାଏ ।
କରୁଥିଲେ ପରଜାଙ୍କ ଉନ୍ନତିସାଧନ,
ହସି ହସି ପ୍ରଜାମାନେ ଦେଉଥାନ୍ତି ଧନ ।
ପ୍ରଜାଗଣ ପା’ନ୍ତି ଯେଉଁ ରାଜାଠାରୁ ଭୟ,
ଚକ୍ରବର୍ତ୍ତୀ ହେଲେ ମଧ୍ୟ ହୁଏ ତାର କ୍ଷୟ ।
ବାଲି ମଧ୍ୟୁ ସ୍ୱର୍ଣ୍ଣ ଯଥା କରନ୍ତି ସଂଗ୍ରହ,
ସବୁଠାରୁ ନେବ ହିତ-ଉପଦେଶଚୟ ।
ବଳବନ୍ତ ଲୋକଠାରେ ନ କରିବ କଳି,
ଅନଳେ ଲାଗିଲେ କାଠ ନିଜେ ଯାଏ ଜଳି ।
ବଳବନ୍ତ ହୋଇ ଯେବେ ଅଧର୍ମ ଆଚରେ,
ଅଗ୍ନି ପ୍ରାୟେ ନିଜ ଦୋଷେ ନିଜେ ଜଳିମରେ ।
ବିପତ୍ତି ସମୟ ଯେବେ ହୁଏ ଉପସ୍ଥିତ,
ହୋଇଥାଏ ବୁଦ୍ଧିଜୀବୀ ବୁଦ୍ଧି ବିପରୀତ ।
ସେକାଳେ ଧଇର୍ଯ୍ୟ ଧରି ହୋଇ ଅଗ୍ରସର,
ଚାଲିବ ବିପତ୍ତି-ଶିରେ ପ୍ରହାରି ପୟର ।
ସକଳ ତୀର୍ଥରେ ସ୍ନାନ କଲେ ଯେଉଁ ଫଳ,
ନିଷ୍କପଟ ବ୍ୟବହାର ସବୁଠାରୁ ଭଲ ।
ରାଜପଦ ପାଇ ଯେହୁ କୀର୍ତ୍ତିରେ ଉଦାସ,
ସ୍ୱର୍ଗ-ପଥ ମଧ୍ୟେ ତାକୁ ନିଦ୍ରା କଲା ଗ୍ରାସ ।
ରାଜା ହୋଇ ନାହିଁ ଯା’ର ଅପଯଶେ ଡର,
ଦରିଦ୍ର ଯଶସ୍ୱୀ ତାହାଠାରୁ ଶ୍ରେଷ୍ଠତର ।
ନୀଚଲୋକ ଆଶ୍ରୟରେ କେବେ ନ ରହିବ,
ନିଷ୍ଠୁର ଅପ୍ରିୟ କଥା କେବେ ନ କହିବ ।
ଧନଲୋଭେ କରଇ ଯେ ଅସତ୍ୟ ଆଚାର,
କୁଳମାନ ଲୋକାଦର ନାଶ ହୁଏ ତାର ।
କର୍ପୂର, କାର୍ପାସ, ହୀରା, ଜୀରା, ଅଶ୍ୱ, ଖର
ଯେ ରାଜସଭାରେ ବିବେଚିତ ଏକ ଦର;
ସେ ରାଜସଭାକୁ ଦୂରୁ କରି ନମସ୍କାର
ବୁଧଗଣ ରାଜ୍ୟସୀମା ନ ମାଡ଼ନ୍ତି ତାର ।
ସେହି ରାଜ୍ୟେ ଠୁଳହୋଇ ସ୍ୱାର୍ଥପରଗଣ,
ଭୁଲାଇ ଭୁଲାଇ ଖାଉଥାନ୍ତି ରାଜଧନ ।
ନର ହୋଇଥାଉ ପଛେ ଗୁଣରେ ଭୂଷିତ,
ଲୋଭବଶ ହେଲେ ଲୋକେ ହୁଏ କଳୁଷିତ ।
ପାନରତ ବୈଦ୍ୟ, ବେଦବିହୀନ ବ୍ରାହ୍ମଣ,
ଦୂର କରଥାନ୍ତି ରାଜା ଥିଲେ ବିଚକ୍ଷଣ ।
ନୀଚ ହେଉ ପଛେ ନୀତିନିପୁଣ ଯେ ଜନ,
ତାହାକୁ ମଣିବ ମନ୍ତ୍ରୀପଦର ଭାଜନ ।
ସର୍ପ ସଙ୍ଗେ ଖଳ ସଙ୍ଗ ଅଟଇ ସମାନ,
ସମୟରେ ତାଙ୍କ ଲାଗି ନାଶ ଯାଏ ପ୍ରାଣ ।
ଖଳ ଲୋକ ପୋଷେ ଯେଉଁ ରାଜା କରି ଦାନ,
ଭୂଜଙ୍ଗେ କରାଇଥାଏ ମାତ୍ର କ୍ଷୀରପାନ ।
କ୍ଷୀର ପାନ କରି ସର୍ପ ଉଗାରେ ଗରଳ,
ମହାନର୍ଥ ଉପୁଯାଏ ଅନ୍ନ ଖାଇ ଖଳ ।
ଜ୍ଞାନୀ ଦେଖି ଭାଗ୍ୟବାନ ପ୍ରକାଶି ଆଗ୍ରହ,
କରେ ଜ୍ଞାନୀଠାରୁ ବାକ୍ୟ-ରତନ ସଂଗ୍ରହ ।
ସେ ବାକ୍ୟେ ପାଳନ କରି ଲଭଇ ମଙ୍ଗଳ,
ନ ପାଳିଲେ ଉପଦେଶ- ବାକ୍ୟ ନାହିଁ ଫଳ ।
ବୈଦ୍ୟକୁ ଡାକିଲେ ଦେବ ଅଉଷଧି ସିନା,
ରୋଗ ତ ଛାଡ଼ିବ ନାହିଁ ତା’ ସେବନ ବିନା ।
ବନ୍ଧୁ ଯେ ସେ ଦେଖେ ଯେବେ ବାନ୍ଧବର କ୍ଳେଶ
ଅଯାଚିତେ ଦେଇଥାଏ ହିତ ଉପଦେଶ ।
ସେହି ଉପଦେଶ ଯଦି ନ ହୁଏ ପାଳନ,
ତାହାକୁ ବୋଲନ୍ତି ଲୋକେ ହସ୍ତୀ-ପ୍ରକ୍ଷାଳନ ।’’
ବିଦୁର ବଚନ ଶୁଣି ଅନ୍ଧ ନରପତି,
ଦୃଷ୍ଟିହୀନ ନେତ୍ର ଦେଇ ବିଦୁରଙ୍କ ପ୍ରତି,
ବୋଇଲେ, ‘‘ହେ ଧୀର, ଘଷାହେଲେ ବାରମ୍ବାର
ମଳିନତା ଅନ୍ତର କି ନ ହୁଏ ଲୁହାର ?
ରତନ ହେଲେହେଁ ଯଦି ରହେ ଅମାର୍ଜିତ,
କାନ୍ତି କି ତାହାର ହୁଏ ନାହିଁ ବିବର୍ଜିତ ?
କହ ଭାଇ, କହ ମୋତେ ହିତକଥାମାନ,
ବ୍ୟାକୁଳ ହୃଦୟେ ମୋର କର ଶାନ୍ତି ଦାନ ।’’
ବିଦୁର ବୋଇଲେ, ‘‘ନୃପ, ଯେ ଘେନେ ବଚନ
ଉପଦେଶ ଦେବାପାଇଁ ତାକୁ ବଳେ ମନ ।
ହିତକଥା କହି କହି ଗଲିଣିମୁଁ ଥକି,
କିସ ହେବ ସେହି କଥା ପୁନଃ ପୁନଃ ବକି ?
ଯେଉଁ ଲୋକ କରୁଥାଏ ପର ଉପକାର,
ବିପଦ ସମୟେ ତାକୁ ମିଳେ ଉପଚାର ।
ପର ଉପକାର କଥା ନ ଭାବି ସ୍ୱପନେ,
ଅପକାର କରୁଅଛ ସତତ ସ୍ୱଜନେ ।
ପାଷାଣ ଉପରେ ହେଲେ ଦାରୁଣ ଆଘାତ,
ସ୍ୱଭାବେ ଅନଳକଣା ହୋଇଥାଏ ଜାତ ।
ସହି ସହି ତୁମ୍ଭ କୃତ ଦୋଷ ଥର ଥର,
ପାଣ୍ଡବଙ୍କ ହୃଦ ହୋଇଯାଇଛି ପଥର ।
ଏଥର ତହିଁରେ ଯଦି ପଡ଼ିବ ଆଘାତ,
ନିଶ୍ଚୟ ହେବଟି ଘୋର ଅନଳ ସଂଜାତ ।
ଜଗତେ ପ୍ରସିଦ୍ଧ ଯେଉଁ ଭରତଙ୍କ ବଂଶ,
ତୁମ୍ଭ ଦୋଷେ ସେ ଅନଳେ ହୋଇଯିବ ଧ୍ୱଂସ ।
ପାଣ୍ଡବ ଧରମ-ସିନ୍ଧୁ ଯୁଧିଷ୍ଠିର ଜଳ,
ପ୍ରଚଣ୍ଡ ତରଙ୍ଗ ତହିଁ ଭୀମ ମହାବଳ;
ସବ୍ୟସାଚୀ ଗଭୀରତା ଅତଳସ୍ପରଶ,
ମାଦ୍ରୀସୁତଦ୍ୱୟ ଅତି ପ୍ରଚଣ୍ଡ ଯାଦସ ।
ପୂରିଛି ଅଶେଷ ପୁଣ୍ୟ- ରତନ ଗର୍ଭରେ,
ସଦା ଉଚ୍ଛଳିତ କୃଷ୍ଣ-ଚନ୍ଦ୍ର-ସ୍ନେହ-କରେ ।
ପ୍ରିତୀ-ପୋତେ ବସି ତାଙ୍କ ବକ୍ଷରେ ବିହରି
ରାଜତ୍ୱ-ବାଣିଜ୍ୟେ ନିଅ ସୁଖେ ଦିନ ହରି ।
ତା’ ନ କରି ଦେଖାଇବ ଯେବେ ବାହୁବଳ,
ତରଙ୍ଗ-ତାଡ଼ନେ ନିଜେ ମରିବ କେବଳ ।
ପାଣ୍ଡୁପୁତ୍ରମାନେ ଅତି ଧର୍ମପରାୟଣ,
ଧର୍ମ ଅନୁରୋଧେ ସହୁଅଛନ୍ତି କଷଣ ।
ଧର୍ମପଥ ଲଙ୍ଗି ଯେବେ ଦେଖାନ୍ତି ସେ ବଳ,
ଜୀବନେ କି ଥାନ୍ତେ ତୁମ୍ଭ କୁମରସକଳ ?
ତୁମ୍ଭ ପୁତ୍ରମାନେ ତାଙ୍କ ଦୁଖର କାରଣ,
କିନ୍ତୁ ସେ କଥାକୁ ପୋଷୁ ନାହିଁ ତାଙ୍କ ମନ ।
ଭୀମେ ଦେଲେ ବିଷ, ଦଗ୍‌ଧ କଲେ ଜତୁଘର,
ସେ ଦୋଷକୁ ଧରୁଛି କି ହୃଦୟ ତାଙ୍କର ?
ସୁଯୋଧନ ଆଦେଶରେ ଦୁଷ୍ଟ ଦୁଃଶାସନ,
କୃଷ୍ଣାକୁ ସଭାରେ କରୁଥିଲା ବିବସନ;
ମହତ ତାଙ୍କର ଆଉ ରଖିଥିଲେ କାହିଁ ?
ଧରମ ରଖିଲା ସିନା ମହତ ବଞ୍ଚାଇ ।
ଧର୍ମ ଅବହେଳି ଥିଲେ ପାଣ୍ଡୁଙ୍କ କୁମରେ,
ଆଜ ତୁମ୍ଭ ପୁତ୍ରେ ଥାନ୍ତେ ଶମନନଗରେ ।
ରାଜ୍ୟ ନେଇ, ନେଉଥିଲ ମହତ୍ତ୍ୱ-ରତନ,
ମାରିବାକୁ କରୁଅଛ ସତତ ଯତନ ।
ଦେଖାଉଛ ତାହାଙ୍କର ବିପକ୍ଷେ କ୍ଷମତା,
ତଥାପି ହୃଦେୟ ତାଙ୍କ ରହିଛି ମମତା ।
ଘୋଷଯାତ୍ରାକାଳେ ଦେଖ ଯକ୍ଷେ ହୋଇ ଦ୍ୱନ୍ଦୀ
ହୋଇଯାଇଥିଲେ ତୁମ୍ଭ ପୁତ୍ରଗଣ ବନ୍ଦୀ ।
ଭ୍ରାତୃସ୍ନେହେ କରି ଯକ୍ଷ ସଙ୍ଗରେ ସମର,
ମୁକ୍ତକଲେ ସେ କଥାକୁ ଥରେ ତ ନ ସ୍ମର ।
କୃତଘ୍ନତା ଆଉ ଫଳିଥାଏ କି ବୃକ୍ଷରେ,
ବିଚାରି ନରେଶ ମୋତେ କହନ୍ତୁ ତ ଥରେ !
ହସ୍ତିନା ରାଜ୍ୟରେ କହ ନାହିଁ କେଉଁ ଧନ,
ତହିଁ ତୃପ୍ତି ନୁହେ ଯୁବରାଜ ଦୁର୍ଯ୍ୟୋଧନ ।
ଗଳେ ତାର ଲାଗିଅଛି ଧନଲୋଭ-ଡୋରି,
ଛି ଛି, ଗଲେ ବିରାଟର ଧେନୁ କରି ଚୋରି,
ତହିଁରେ ପାଇଲେ କେଉଁ ପରି ପରାଭବ !
ଜୀବନ ଯିବାର ଥିଲା କେଉଁ ଅସମ୍ଭବ ?
ଧିକ ତାର ଦୁରାକାଂକ୍ଷା, ଧିକ ତା’ ବିଚାର,
କୁରୁକୁଳେ ଜନମିଲା ଏଡ଼େ କୁଳାଙ୍ଗାର !
ଧନଞ୍ଜୟ ସ୍ନେହ ଯଦି ଛାଡ଼ିଥାନ୍ତା ମନୁ,
ସୁଯୋଧନ ଫେରିଥାନ୍ତା ଆଉ କି ସେ ରଣୁ !
ଘରେ ଦ୍ରୋହ କରି ପରେ କରିଛି ଭରସା,
ସିଂହ-ଗୃହେ କରାଇଛି ଶୃଗାଳଙ୍କ ବସା ।
ଶୃଗାଳବୁଦ୍ଧିରେ ପୁଣି ପଡ଼ିଅଛ ଆପେ,
ତା’ ଯୋଗୁଁ ନୃପତି ତୁମ୍ଭେ ବୁଡ଼ିବ ସନ୍ତାପେ ।
ମାନୁ ନାହିଁ ଦୁର୍ଯ୍ୟୋଧନ ଭୀଷ୍ମଙ୍କ ବଚନ,
ଗୁରୁଙ୍କ କଥାରେ ବୁଝୁନାହିଁ ତାର ମନ ।
ଶକୁନି, କର୍ଣ୍ଣର କଥା କରିଅଛି ବଳ,
କରିବେ କୌରବ ଯଶଃ-ବତ୍ସକୁ କବଳ ।
ବିଖ୍ୟାତ ଭରତବଂଶ ଭାରତମଣ୍ଡଳେ,
ଶୌର୍ଯ୍ୟବୀର୍ଯ୍ୟେ ଚିରସାମ୍ୟ ଯା’ର ଆଖଣ୍ଡଳେ,
ନଭଶ୍ଚୁମ୍ବି-ଚୂଡ଼ ଯା’ର ଧର୍ମନିକେତନ,
ତ୍ରିଦିବ-ସ୍ପରଶୀ ତହିଁ କୀରତି-କେତନ,
ସେ ବଂଶେ ଜନମି ନିଜ ଗୌରବ ନ ସ୍ମରି,
ଲଜ୍ଜା ହେଉ ନାହିଁ ତିଳେ ପର ପାଦ ଧରି !
ପରକୁ କରନ୍ତା କାହିଁ ବିପଦରୁ ତ୍ରାଣ,
ଲୋଡ଼ୁଅଛି ନେବା ପାଇଁ ଜ୍ଞାତିଙ୍କର ପ୍ରାଣ ।
ପାଣ୍ଡୁପୁତ୍ରେ କଲେ କେବେ କେଉଁ ଅପକାର,
ଆଉମାନେ କଲେ କେବେ କେଉଁ ଉପକାର ?
ଶକୁନି ମାତୁଳ, କର୍ଣ୍ଣ ଯଦି ମିତ୍ରବର,
କହୁ ନାହିଁ କରିବାକୁ ତାହାଙ୍କୁ ଅନ୍ତର ।
ଖାଉଥାନ୍ତୁ ଧନ କରି ମନ୍ତ୍ରୀ-ମିତ୍ରପଣ,
ପାଣ୍ଡବଙ୍କ ଭାଗ ତାଙ୍କ ଦେଉନ୍ତୁ ଆପଣ ।
ଦୁର୍ଯ୍ୟୋଧନ ସମ ଶତ ପୁତ୍ରଠାରୁ ବଳି,
ଶ୍ରେଷ୍ଠତମ ଅଟେ ଏକା ଭୀମ ମହାବଳୀ ।
କର୍ଣ୍ଣ ପରି ଶତ ଶତ ଥିବେ ଯଦି ବୀରେ,
କର୍ଣ୍ଣ ମୋଡ଼ି ପାର୍ଥ ଜୟ ନେବେ ପୃଥିବୀରେ ।
ପାଣ୍ଡୁପୁତ୍ରମାନେ ଯଦିଥିବେ ତୁମ୍ଭ ପାଶେ,
ଇନ୍ଦ୍ରପରି ଶତ୍ରୁ ଦେଖି ପଳାଇବେ ତ୍ରାସେ ।
ମୁଁ ତୁମ୍ଭର ଜ୍ଞାତି, ତୁମ୍ଭ କହୁଅଛି ହିତ,
ମୋର କଥା ଘେନିବାର ତୁମ୍ଭର ବିହିତ ।
ପୁତ୍ର ଦୁଷ୍ଟ କର୍ମ ଦେଖି ଯେ ପିତା ନ ବାରେ,
ଝାସ ହୋଇଥାଏ ତାର ଦୁଃଖ-ପାରାବାରେ ।
ପିତାର ବଚନ କରେ ଯେ ପୁତ୍ର ଲଙ୍ଘନ
ଯମହସ୍ତେ ହୋଇଥାଏ ତା’ କେଶ ଲଗନ ।
ସମ୍ମୁଖେ ବିପତ୍ତି ଦେଖି ଉପାୟ ନ କଲେ
ଧ୍ୱଂସ ହୋଇଥାଏ, ବନ ଯଥା ଦାବାନଳେ ।
ଶୀଘ୍ର କାର୍ଯ୍ୟ କର ନୃପ, ତେଜି ଅବହେଳା,
ବୁଡ଼ିବାକୁ ବସିଅଛି କୁରୁବଂଶ-ଭେଳା ।’’
ଏହି ରୂପେ କହୁଁ କହୁଁ ଶେଷ ହେଲା ରାତି,
କ୍ରମଶଃ ମଳିନ ହେଲା ପ୍ରଦୀପର ଭାତି ।
ଆସିଲା ଗବାକ୍ଷ-ପଥେ ଶୀତଳ ସମୀର,
ଆନନ୍ଦେ ରାବିଲେ ସ୍ୱର୍ଣ୍ଣ ପିଞ୍ଜରାରେ କୀର ।
ଗବାକ୍ଷ ନିକଟେ ପେଚା କରି ଯେଉଁ ସ୍ୱର
ଉଡ଼ିଗଲା, ନୃପତିଙ୍କ ହେଲା କର୍ଣ୍ଣ-ଜ୍ୱର ।
ବନ୍ଦିଗଣ କଲେ ରାଜ-କର୍ଣ୍ଣରସାୟନ-
ପବିତ୍ର ଭରତବଂଶ-ଗରିମା ଗାୟନ ।
ଉଠି କେଶ ବାନ୍ଧି ରାଜପରିଚାରୀଗଣ
ମାଙ୍ଗଳିକ ଗୀତ ଗାଇ ଝାଡ଼ିଲେ ପ୍ରାଙ୍ଗଣ ।
ନୃପତି ଚରଣ ବନ୍ଦି ସୁମତି ବିଦୁର
ନୃପତି ଶୟନ-କକ୍ଷୁ ହୋଇଗଲେ ଦୂର ।

•••