ଅର୍ଘ୍ୟଥାଳୀ
ଲେଖକ/କବି: ଗଙ୍ଗାଧର ମେହେର
ମଧୁମୟ


ମଧୁମୟ
ଲେଖକ/କବି: ଗଙ୍ଗାଧର ମେହେର


 
ବିଶ୍ୱ ଦେଖ ମଧୁମୟ ରେ ଜୀବନ !
ବିଶ୍ୱ ଦେଖ ମଧୁମୟ
ମଧୁର ଝରଣ କରିବ ହରଣ
ତୋ’ ପାପ ମରଣଭୟ ରେ ଜୀବନ ! ।।

ଜନନୀର ସ୍ନେହ ଜାୟାର ପ୍ରଣୟ
ବୁଧ-ବନ୍ଧୁ ସଦାଳାପ,
ଜନକ ଆଦର ଏକ ଏକ ଝର
ତଡ଼ି ଦେଉଛନ୍ତି ତାପରେ ଜୀବନ !

ନବ ନବ କର୍ମ ନବ ନବ ମର୍ମ
ନବ ନବ ଜ୍ଞାନପଥ,
ନବୀନ ଆଲୋକେ ଦେଖାନ୍ତି ଏ ଲୋକେ
ମଧୁ ଝର ଶତ ଶତ ରେ ଜୀବନ !

ମଧୁମୟ ବନେ ମଧୁମୟ ସ୍ୱନେ
ଗାଇ ମଧୁମୟ ଗୀତି,
ବିହଙ୍ଗମଗଣ ପୂରାନ୍ତି ଶ୍ରବଣ
ମଧୁ ଢାଳି ନିତି ନିତି ରେ ଜୀବନ !

ଦିନେ ଦିନପତି ରାତ୍ରେ ରକ୍ଷତତି
ସହିତ କୁମୁଦବନ୍ଧୁ,
ବିଚରି ଗଗନେ ଅଖିଳ ଭୁବନେ
ବିତରନ୍ତି ଜ୍ୟୋତି ମଧୁ ରେ ଜୀବନ !

ମହୀ ମହୀଧରେ ସରିତ ସାଗରେ
ସରେ ବନ ଉପବନେ,
ଦେଖ ଫୁଲକୁଳ ପଲ୍ଲବ କଲ୍ଲୋଳ
ମଧୁ ମାଖିଛନ୍ତି ଘନେ ରେ ଜୀବନ !

ବିଶ୍ୱନାଥଙ୍କର କରୁଣାକନ୍ଦର
ମଧୁ ଝର ଜନ୍ମସ୍ଥଳ,
ଚାହିଁ ଝର ପ୍ରତି ଉଚ୍ଚ କଲେ ଗତି
ପାଇବୁ କରୁଣାଚଳ ରେ ଜୀବନ !

ହେଲେହେଁ ତୁ ସାନ କରୁଣାନିଧାନ
ରାଜ୍ୟରେ କରିଛୁ ବାସ,
ବଢ଼ାଇଲେ କର ତାଙ୍କ ଶ୍ରୀପୟର
ଲାଭେ ନ ହେବୁ ନିରାଶ ରେ ଜୀବନ !

ସର୍ପଦଷ୍ଟ ଜନ ମୁଖରେ ଲବଣ
ଦେଲେ ବୋଲିଥାଏ ମାଟି,
ଜ୍ଞାନଭ୍ରଷ୍ଟେ ମଧୁ ନ ଲାଗିଲେ ସ୍ୱାଦୁ
ଜ୍ଞାନଗଦ ପିଅ ବାଟିରେ ଜୀବନ !
    •••