ଅର୍ଘ୍ୟଥାଳୀ/ସ୍ୱର୍ଗୀୟ କବିବର ରାଧାନାଥ ରାୟ

ଅର୍ଘ୍ୟଥାଳୀ
ଲେଖକ/କବି: ଗଙ୍ଗାଧର ମେହେର
ସ୍ୱର୍ଗୀୟ କବିବର ରାଧାନାଥ ରାୟ


ସ୍ୱର୍ଗୀୟ କବିବର ରାଧାନାଥ ରାୟ
ଲେଖକ/କବି: ଗଙ୍ଗାଧର ମେହେର


(୧)
ଆସିଥିଲ ରାଧାନାଥ ବିଧିର ପ୍ରେରଣେ,
ଆବଶ୍ୟକ ସମୟରେ ଉତ୍କଳର ପାଇଁ,
ଭାରତୀଙ୍କି ମଣ୍ଡିବାକୁ ସୁରମ୍ୟ ଭୂଷଣେ,
ରତନଖଣିର ପଥ ଦେବାକୁ ଫିଟାଇ ।
ଅବିଶ୍ରାନ୍ତ ଭ୍ରମି କାବ୍ୟ-କୁସୁମ କାନନେ,
ବାଛି ବାଛି ଦିବ୍ୟ ଫୁଲ କଲ ନବ୍ୟ ହାର,
ସୌରଭ ତା’ ମହୀ ବ୍ୟାପି ଉଠିଲା ଗଗନେ
ଜନ୍ମାଇଲା ଦେବଙ୍କର ହୃଦେ ଚମତ୍କାର ।
ଅବନୀରେ ଥାଇ କଲେ ତୁମ୍ଭର ସମ୍ମାନ,
ଗଙ୍ଗବଂଶ-ଅବତଂସ ଯେ ସୁଢ଼ଳ ଦେବ,
ସ୍ୱର୍ଗେ ଉଠି ଶୂନ୍ୟ ଦେଖି ତୁମ୍ଭ ନିଜ ସ୍ଥାନ,
ଡାକିନେଲେ ସମାଦରେ ସେହି ବାସୁଦେବ ।
ଉତ୍କଳବାସୀଙ୍କି ଦେଇ ବହୁ ଉପଦେଶ,
ସାମୟ ଶରୀର ତେଜି ଗଲ ନିଜ ଦେଶ ।
 
(୨)
ପାର୍ବତୀଙ୍କୁ ରଖିଦେଲ ପୁତ୍ରୀଶୋକ ଦେଇ,
ପାଣ୍ଡବେ ରହିଲେ ସ୍ୱର୍ଗଗମନର ପଥେ,
କିଏ ତାଙ୍କୁ ଚଢ଼ାଇବ ହିମାଦ୍ରିକି ନେଇ,
କିଏ ନେଇ ବସାଇବ ତ୍ରିଦିବର ରଥେ ?
ଫିଟାଇ ଦେଇଛ ଶାସ୍ତ୍ର କବି କ୍ଷମତାର,
ଚିହ୍ନାଇ ଦେଇଛ ରଙ୍ଗଜର୍ଜରିତ ତୂଳି,
ଶିଖାଇ ଦେଇଛ ପୁଣି ତାର ବ୍ୟବହାର,
ଆଦର୍ଶ ଦେଇଛ ମନୋମୋହିନୀ ପିତୁଳୀ ।
କାହା ହସ୍ତେ ନ୍ୟସ୍ତ କରି ଗଲ କାର୍ଯ୍ୟଭାର,
କାହାର ବା ତୁମ୍ଭ ସମ ଅଛି ମନ ଧନ,
ଯାହା ପ୍ରତି କରିଥିଲ ଅଙ୍ଗୁଳିର ଠାର,
ଈଶ୍ୱର କି ଦେବେ ତାଙ୍କୁ ତୁମ୍ଭ ପରି ପଣ ?
ଜଣାଅ ସ୍ୱର୍ଗରେ ଥାଇ ଈଶ୍ୱର ସମୀପେ,
ଉତ୍କଳ ଉଜ୍ଜ୍ୱଳ ହେଉ ତୁମ୍ଭ ସମ ଦୀପେ ।
 
(୩)
ନ ଥିଲେ ନବୀନ କବିତୁମ୍ଭ ଅଗୋଚର,
କବି ପଦ୍ମାକର ହେଲେ ହେଉଥିଲେ ରବି,
ଫୁଟିଲେ କବିତ୍ୱ-କଞ୍ଜ ହୋଇ ମଧୁକର
ହରିତ ପୂରିତ କର ସୁମଧୁର ରବି ।
ସୁଜନ ସମାଜେ ଗଣି ହେଉଥିଲ ତଳେ
ଭୁଲିଯାଇ ନିଜ ଭବ ଭାବ ଉଚ୍ଚାସନ,
ପ୍ରତିବିମ୍ବରୂପୀ ଯଥା ସୁନିର୍ମଳ ଜଣେ,
ଦିନମଣି ଗ୍ରହରାଜ ଗଗନ-ଭୂଷଣ ।
କାଳ-ସିନ୍ଧୁ ତନୁ ପୋତ-କମ୍ପମାନ ଚୂଳେ
ବସି ଧର୍ମ ଦରବାର ଦୃଶ୍ୟ ଦେଖାଇଲ,
ମିଷ୍ଟ ଭର୍ତ୍ସନାର ଛଳେ ଉଚ୍ଚାରି ଆକୁଳେ
ହସାଇ ହସାଇ କେତେ ନୀତି ଶିଖାଇଲ ।
ହୋଇଛି ଯେ ବାକ୍ୟାବଳୀ ଶ୍ରୀମୁଖୁ କ୍ଷରିତ,
ହେଉଛି ଉତ୍କଳ ଆଜ ତହିଁ ମୁଖରିତ ।
 
(୪)
ବଙ୍ଗେ ବସି ବଙ୍ଗବାସୀ ଦେଲେ ଧନ୍ୟବାଦ
ଦୂରୁ ଦୃଷ୍ଟିଦେଇ ତୁମ୍ଭ କୀରତି-କେତନେ,
ଘନ ଘନ ତୁମ୍ଭ ନାମେ ଧନ୍ୟ ଧନ୍ୟ ନାଦ
ପ୍ରବେଶିଲା ଭାରତର ରାଜନିକେତନେ ।
ଭାରତ-ରାଜେନ୍ଦ୍ରମଣି ପାଇ ସେ ସମ୍ବାଦ
ଗୁଣଭୂଷାପୂର୍ଣ୍ଣ ବକ୍ଷେ ପଦ ପୁଷ୍ପହାର
ମଣ୍ଡି ଦେଇ ପ୍ରକାଶିଲେ ଅଖଣ୍ଡ ପ୍ରସାଦ,
କରି ରାଜା ମହାରାଜା ଘେନି ଦରବାର ।
ଋଷି ଥିଲ, ଥାଇ ତୁମ୍ଭ ସଂସାର ଗହନେ,
ବ୍ରତ ଥିଲା ଉତ୍କଳର କଲ୍ୟାଣସାଧନ,
ଗାନ ତୁମ୍ଭ ଉତ୍କଳର ମାନସମୋହନେ,
ଧ୍ୟାନ ତୁମ୍ଭ ଉତ୍କଳର ଗୁଣଗାଥା ଧନ ।
ଅସମୟେ ଉତ୍କଳକୁ କଲ ଯାହା ଦୂର,
ଅଭାଗ୍ୟ ତା’ ଉତ୍କଳର, ରାୟ ବାହାଦୁର ।
 
(୫)
ସୂର୍ଯ୍ୟଜାୟା ଛାୟା ଦେବୀ ବସାଇଲେ ଅଙ୍କେ,
ସାଦର ସ୍ନେହରେ ତୁମ୍ଭ ସ୍ୱର୍ଗୀୟ ମୂରତି
ବିବୁଧମଣ୍ଡଳ ତାହା ଚାହିଁ ଅପଲକେ
ନୟନର କଲେ ଚିର ପିପାସା ପୂରତି ।
ଉତ୍କଳମାତାକୁ ଯେତେ ରମ୍ୟ ପୁଷ୍ପହାର
ଦେଇଥିଲ, ନନ୍ଦନୁ ତା’ ବହୁଗୁଣେ ଆଣି
ଦିଆଇଲେ ଗଳେ ତୁମ୍ଭ ପ୍ରୀତି-ଉପହାର
ବିବୁଧଗଣଙ୍କ କରେ ଦେଇ ବୀଣାପାଣି ।
ସେହିପରି ପୁଷ୍ପ ଆଣି ବିଦ୍ୟାଧରଗଣ
ହରଷେ ଫିଙ୍ଗିଲେ ତୁମ୍ଭ ମସ୍ତକ ଉପରେ,
ରମଣୀଏ ହୋଇ ତାଙ୍କ ପ୍ରସନ୍ନବଦନ
ଗାଇଲେ ତୁମ୍ଭରି ଗୀତ ସୁମଧୁରସ୍ୱରେ ।
ରହିଲ ଅମରରୂପେ ହୋଇ ସୁଧାପାୟୀ,
ସତ୍ୟ ହେଲା ବୋଲନ୍ତି ‘ଯା ଦେଇଥିଲେ ପାଇ’ ।

•••