ଆମ ଦେହ/ଆବର୍ଜ୍ଜନୀ କ୍ରିୟା
←ଶ୍ୱାସଯନ୍ତ୍ର | ଆମ ଦେହ ଲେଖକ/କବି: ଆବର୍ଜ୍ଜନୀ କ୍ରିୟା |
ନାଡ଼ୀ ତନ୍ତ୍ର→ |
ଆବର୍ଜ୍ଜନୀ କ୍ରିୟା
ଖାଦ୍ୟ କିପରି ଜୀର୍ଣ୍ଣ ହୁଏ, ତାର ସାର କିପରି ରକ୍ତରେ ମିଶେ, ରକ୍ତ କିପରି ଚାରିଆଡ଼େ ଖେଳେ ଓ ତହିଁରୁ କିପରି ଅଙ୍ଗାରକାମ୍ଳ ବାହାରିଯାଏ ଏବଂ କିପରି ବା ତହିଁକି ଅମ୍ଳଜାନ ଆସେ, ଏସବୁ ବିଷୟ କୁହାଗଲା । ବର୍ତ୍ତମାନ ଦେହଭିତରୁ ଆବର୍ଜ୍ଜନା କିପରି ବାହାରିଯାଏ ସେ ବିଷୟ ଦେଖାଯାଉ ।
ଖାଦ୍ୟରୁ ସାର ଶୋଷି ହୋଇଗଲା ପରେ ଖଦଡ଼ା ଅଂଶତକ ମଳ ହୋଇ ମଳଦ୍ୱାରବାଟେ ବାହାରିଯାଏ, ଏ କଥା ଆଗରୁ କୁହାଯାଇଅଛି । ଦେହଭିତରେ ଥିବା ମଇଳା କେବଳ ଯେ ମଳ ଓ ଅଙ୍ଗାରକାମ୍ଳ ତାହା ନୁହେ, ଆଉ ବି ଅନେକ ପ୍ରକାର ମଇଳା ଦେହଭିତରେ ଜମେ । ଆମ ଦେହଭିତରେ ସବୁବେଳେ କିଛି ନା କିଛି କାମ ହେଉଛି ଓ ତହିଁର ଫଳରେ ତନ୍ତୁକୋଷମାନଙ୍କର ସବୁବେଳେ କ୍ଷୟ ଲାଗି ରହିଛି; ଯାହା କ୍ଷୟ ହେଉଛି, ତାହା ମଇଳାରୂପେ ଜମା ହେଉଛି । ଏହି ମଇଳା ଦେହ ପକ୍ଷରେ ଭାରି ଅନିଷ୍ଟକର, ତେଣୁ ଏହା ଦେହଘରର ନର୍ଦ୍ଦମା ବାଟେ ବାହାରିଯାଏ । ଆମେ ଯେତେ ଯାହା ଖାଉଁ, ସେଥିଭିତରେ ଅନେକ ଅଦରକାରୀ ଜିନିଷ ଖାଇ ହୋଇ ଜୀର୍ଣ୍ଣ ହୋଇଯାଏ । ଏସବୁ ଜିନିଷ ଦେହ ପକ୍ଷରେ ଅପକାରୀ, ତେଣୁ ଏହା ମଧ୍ୟ ଦେହରୁ ବାହାରିଯାଏ । ଆଗରୁ କୁହାଯାଇଛି ଯେ, ରକ୍ତ ଦେହର ଚାରିଆଡ଼କୁ ଯାଇ ଯେଉଁଠାରେ ଯେଉଁ ମଇଳା ପାଏ, ତାହା ଧୋଇ ଧାଇ ନେଇଆସେ । ଅଙ୍ଗାରକାମ୍ଳ ଫୁସ୍ଫୁସ୍ ବାଟେ ବାହାରିଯାଏ;କିନ୍ତୁ ମଇଳାତକ ସେବାଟେ ବାହାରିଯାଇ ପାରେ ନାହିଁ । ଏ ସବୁକୁ ବାହାର କରିଦେବାପାଇଁ ଆମ ଦେହରେ ଏକ ପ୍ରକାର ଫିଲ୍ଟର ବା ଛାଣିବା ଯନ୍ତ୍ର ଅଛି । ଏହା ଫଲ୍ଟିର ଯନ୍ତ୍ରଦ୍ୱାରା ରକ୍ତରୁ ମଇଳା ଛାଣି ହୋଇଯାଏ । ମଇଳା ସଙ୍ଗେ କିଛି ପାଣି ମଧ୍ୟ ମିଶି ତାକୁ ଲୁଣଗୋଳ ପାଣି ପରି ତରଳ କରିଥାଏ । ସେହି ମଲଳାମିଶା ପାଣି ଆମ ଦେହରୁ ମୂତ ଓ ଝାଳରୂପେ ବାହାରିଯାଏ । ଆମ ଦେହଭିତରେ ଦୁଇଟି ବଡ଼ ଓ ଲକ୍ଷ ଲକ୍ଷ ଛୋଟ ଫିଲ୍ଟର ଯନ୍ତ୍ର ଅଛି । ବଡ଼ ଦୁଇଟିକୁ ବୃକ୍କ (Kidney) କହନ୍ତି । ଏଥିରେ ମୂତ ତିଆରି ହୁଏ । ଛୋଟଗୁଡ଼ିକ ସ୍ୱେଦଗ୍ରନ୍ଥି (Sweat Glands) ! ଏଥିରେ ଝାଳ ତିଆରି ହୁଏ । ଝାଳ କିମ୍ବା ମୂତ ଆଉ କିଛି ନୁହେ, ଏହା ଦେହର ମଇଳା । ମଇଳାତକ ରକ୍ତରୁ ଛାଣି ହୋଇଯାଇ ପାଣି ସଙ୍ଗେ ମିଶି ଝାଳ ଓ ମୂତ ହୋଇ ଥାଏ ।
ବୃକ୍କ:- ବୃକ୍କ (Kidey)ରେ ମୂତ ତିଆରି ହୁଏ । ବୃକ୍ଳ ଏକ ପ୍ରକାର ରେଚକ ଗ୍ରନ୍ଥି । ଏହା ଦେଖିବାକୁ ଠିକ୍ ବରୁଗୁଡ଼ି ମଞ୍ଜି ପରି, କିନ୍ତୁ ଆକାରରେ ତାଠାରୁ ଅନେକ ବଡ଼ । ଏହା ପେଟ ଭିତରେ ମେରୁଦଣ୍ଡର ଦୁଇପାଖରେ ଏବଂ ପଞ୍ଜରା ହାଡ଼ର ଠିକ୍ ତଳକୁ ରହିଅଛି । ପେଟଭିତରେ ଥିବା ବୃହଦ୍ଧମନୀର ଅଂଶରୁ ଦୁଇଟି ଶାଖାଧମନୀ ବାହାରି ଦୁଇ ପାଖର ଦୁଇ ବୃକ୍କକୁ ଯାଇଅଛି । ଏହି ବାଟରେ ବୃକ୍କକୁ ରକ୍ତ ଯାଏ । ଏହି ଶାଖାଧମନୀରୁ ପ୍ରଶାଖା, ଉପଶାଖା ଆଦି ବାହାରି ବୃକ୍କର ପ୍ରତ୍ୟେକ କୋଷକୁ ଯାଇଅଛି । ଏହାଦ୍ୱାରା କୋଷସବୁ ରକ୍ତ ପାଏ ଏବଂ ତହିଁରୁ ମଇଳାତକ ଛାଣି ନିଏ । ମଇଳା ସଙ୍ଗେ ସଙ୍ଗେ ରକ୍ତର କିଛି ପାଣି ମଧ୍ୟ ଟାଣି ନିଏ । ମଇଳା ଓ ପାଣି ମିଶି ମୂତ ହୁଏ । ସେଠାକୁ ଯାଇଥିବା ରକ୍ତରୁ ଏହିପରି ମଇଳା ଓ କେତେକ ପାଣି ଅଂଶ ବାହାରିଯିବା ପରେ ତାହା ଛୋଟ ଛୋଟ ଶିରାବାଟେ ଫେରିଯାଏ । ଏହି ଛୋଟ ଛୋଟ ଶିରା ମିଶି ବଡ଼ ବଡ଼ ଶିରା ହୋଇଅଛନ୍ତି । ଶେଷରେ ଏହି ବଡ଼ ବଡ଼ ଶିରା
ମିଶି ଗୋଟାଏ ମାତ୍ର ବଡ଼ ଶିରା ହୋଇଅଛି । ଏହାକୁ ବୃକ୍କୀୟ ଶିରା କହନ୍ତି । ଏହି ଶିରା ଅଧରା ମହାଶିରାରେ ମିଳିଅଛି । ରକ୍ତ ଛଣା ହୋଇଗଲେ ତାହା ବୃକ୍କୀୟ ଶିରାବାଟେ ଆସି ଅଧରା ମହାଶିରାର ରକ୍ତ ସଙ୍ଗେ ମିଶିଯାଏ । ମୂତ ଛୋଟ ଛୋଟ ନାଳୀବାଟେ ବୃକ୍କମୂଳ ପର୍ଯ୍ୟନ୍ତ ଯାଇ ସେଠାରେ ଏକାଠି ମିଶିଯାଏ ଓ ସେଠାରୁ ଆଉ ଗୋଟିଏ ନଳବାଟେ ବସ୍ତିଦେଶରେ ଥିବା ମୂତ୍ରାଶୟ ନାମକ ଗୋଟାଏ ଥଳୀରେ ଜମା ହୁଏ । ବୃକ୍କଦେହରୁ ମୁତ୍ରାଶୟ ପର୍ଯ୍ୟନ୍ତ ଯେଉଁ ନଳବାଟେ ମୂତ ଆସେ, ତାକୁ ଗବିଣୀ (Ureter) କହନ୍ତି । ଦୁଇ ପାଖର ଦୁଇ ବୃକ୍କ ପାଇଁ ଦୁଇଟି ଗବିଣୀ ଅଛି । ଏ ଦୁଇଟିଯାକ ଗବିଣୀ ମୂତ୍ରାଶୟର ଦୁଇ ପାଖରେ ମିଳିଛନ୍ତି । ଦେହରେ ଗୋଟିଏ ମାତ୍ର ମୂତ୍ରାଶୟ (Bladder) ଅଛି । ବୃକ୍କରେ ମୂତ୍ର ତିଆରି ହୁଏ ଏବଂ ତାହା ଆସ୍ତେ ଆସ୍ତେ ଝରି ମୂତ୍ରାଶୟରେ ଜମା ହୁଏ । ମୂତ୍ରାଶୟ ତଳୁ ମୂତ୍ରଦାର ପର୍ଯ୍ୟନ୍ତ ଗୋଟିଏ ନଳ ବାହାରିଅଛି । ଏହା ଯେଉଁଠାରୁ ମୂତ୍ରାଶୟରୁ ବାହାରିଅଛି, ସେ ସ୍ଥାନ ସବୁବେଳେ ବନ୍ଦ ରହିଥାଏ, ତେଣୁ ମୂତ ଆପେ ଆପେ ବାହାରି ପାରେ ନାହିଁ । ଯେତେବେଳେ ମୂତ୍ରାଶୟ ଭର୍ତ୍ତି ହୋଇଯାଏ ଆମକୁ ମୂତ ମାଡ଼େ ଓ ଆମେ ତାହା ଜାଣି ମୂତିବାକୁ ଇଚ୍ଛା କରୁଁ । ମୂତିବାକୁ ଇଚ୍ଛା କଲେ ବାଟେ ଖୋଲିଯାଏ ଓ ମୂତ ବାହାରି ଆସେ । ଅନେକ ମଇଳା ମୂତ ହୋଇ ଦେହରୁ ବାହାରିଯାଏ ।
ଝାଳ:— ମୂତ ଯେପରି ତିଆରି ହୁଏ, ଝାଳ ମଧ୍ୟ ଠିକ୍ ସେହିପରି ତିଆରି ହୁଏ । ଚମରେ ଅସଂଖ୍ୟ ଲୋମକୂପ ଅଛି । ଏହି ଲୋମକୂପ ପାଖରେ ଅଥଚ ଚମ ଭିତରେ ସ୍ୱେଦଗ୍ରନ୍ଥି (Sweat Glands) ରହିଅଛି । ବୃକ୍କକୁ ଧମନୀ ଗଲା ପରି ଏହି ସ୍ୱେଦଗ୍ରନ୍ଥିକୁ ମଧ୍ୟ ସୂକ୍ଷ୍ମ ସୂକ୍ଷ୍ମ ଧମନୀ ଯାଇଅଛି । ଏହି ବାଟେ ରକ୍ତ ସ୍ୱେଦଗ୍ରନ୍ଥିକୁ ଯାଏ ଓ ତାହା ରକ୍ତରୁ ମଇଳା ଛାଣି ନିଏ । ମଇଳା ସଙ୍ଗେ ସଙ୍ଗେ କିଛି ପାଣି ମଧ୍ୟ ରକ୍ତରୁ ଟାଣି ନିଏ । ମଇଳା ଓ ପାଣି ମିଣି ଝାଳ ହୁଏ । ଏହି ଝାଳ ଚମରେ ଥିବା ଛୋଟ ଛୋଟ ନଳୀବାଟେ ବାହାରକୁ ବାହାରିଯାଏ । ମଇଳା ଛଣା ହୋଇଗଲା ପରେ ରକ୍ତ ଛୋଟ ଛୋଟ ଶିରାବଡ଼ ବଡ଼ ଶିରାରେ ଥିବା ରକ୍ତରେ ମିଶିଯାଏ । ଆମ ଦେହରୁ ପ୍ରତିଦିନ ଅତି କମରେ ଦୁଇ ତିନି ଗ୍ଲାସ ଝାଳ ବାହାରେ । ଶୀତଦିନେ ଝାଳ ବାଷ୍ପ ଆକାରରେ ବାହାରୁଥିବାରୁ ତାହା ଆମେ ଦେଖି ପାରୁ ନାହିଁ, କିନ୍ତୁ ଏହା ବୋଲି ଝାଳ ଯେ ନ ବାହାରେ, ତାହା ନୁହେ ।