ଆମ ଦେହ ଲେଖକ/କବି: ବନବିହାରୀ ପଟ୍ଟନାୟକ
ଆମ ଦେହ


ଆମ ଦେହ

ଜୀବଜନ୍ତୁ, ବୃକ୍ଷ ଲତା କଳ କବଜା ଆଦି ଯେତେ ଯେତେ ଜିନିଷ ଆମ୍ଭେ ମନେ ଦେଖୁଁ, ସେଥି ଭିତରୁ ମନୁଷ୍ୟ ସବୁଠାରୁ ଶ୍ରେଷ୍ଠ । ଦେହଟି ଦେଖିବାକୁ ଛୋଟ ସତ, କିନ୍ତୁ ସେଥିରେ ଯେ କେତେ କେତେ ସୂକ୍ଷ୍ମ କଳ କବଜା ରହିଅଛି, ତାହା କହି ହେବ ନାହିଁ । ରେଳଗାଡିର ଇଞ୍ଜିନ୍‌ଘର ଦେଖି ଆମେ ଆଶ୍ଚର୍ଯ୍ୟ ହେଇଯାଉଁ, ହାରମନିୟମ୍ କିମ୍ବା ଗ୍ରାମୋଫୋନ୍ ବାଜା ଶୁଣିଲେ ସେଠୁଁ ଉଠିବାକୁ ମନ ହୁଏ ନାହିଁ, ଫଟ ଉଠାଇବା ଯନ୍ତ୍ର କିପରି ଯେ ଛବି ଉଠାଏ କିମ୍ବା ଟେଲିଗ୍ରାଫ୍ ତାର କିପରି ଯେ ଏତେ ଦୂରକୁ ସମ୍ବାଦ ନେଇଯାଏ, ଏହା ଆମେ ଭାବି ଠିକ କରି ପାରୁ ନାହିଁ; କିନ୍ତୁ ଏ ସବୁ ତ କିଛି ନୁହେ, ଏହାଠାରୁ ବଳି ଭଳିକି ଭଳି ବଢ଼ିଆ ବଢ଼ିଆ ଯନ୍ତ୍ର ଆମ ଏ ଦେହଭିତରେ ଅଛି । ତା କଥା ଭାବିଲେ ବାହାରର ଏ ସବୁ କଳ କବଜାଆଡ଼େ ଚାହିଁବାକୁ ଇଚ୍ଛା ହେବ ନାହିଁ । କଳରେ ଲୁଗା ବୁଣା ହେଉଅଛି, ଗାଡି ମଟର ତିଆରି ହେଉଅଛି, କିନ୍ତୁ ଯେଉଁ ସବୁ କଳ ସେ ସବୁକୁ ତିଆରି କରି ପାରୁଅଛି, ତାହାକୁ ଯେଉଁ ମନୁଷ୍ୟ ଗଢ଼ିଅଛି, ତା ଦେହରେ ସେ ବାହାରର କଳ କବଜାଠାରୁ ବଢ଼ିଆ ବଢ଼ିଆ କଳମାନ ରହିଅଛି, ଏହା ଆଉ ବିଚିତ୍ର କଣ ?

ମୋଟ ଉପରେ କ‌ହିବାକୁ ଗଲେ, ଆମ ଏ ଦେ‌ହଟି ଗୋଟାଏ ବଡ଼ କଳଘର । ଏହି କଳଘରଟି ଗୋଟାଏ ରୁଖା ଉପରେ ଖଞ୍ଜା ହୋଇଅଛି । ଏ ରୁଖା କିନ୍ତୁ ସାଧାରଣ ରୁଖା ପରି ଅଚଳ ନୁହେ, ଏହା ଚାଲି ପାରେ । ଏହା ହେଲା ଆମ ଗୋଡ଼ । ଗୋଡ଼ ଛଡ଼ା ଦେହକଳକୁ ଦରକାରି ଜିନିଷ ଯୋଗାଇବା ପାଇଁ ଓ ତାକୁ ଆପଦ ବିପଦରୁ ରକ୍ଷା କରିବା ପାଇଁ ଦୁଇଟି ହାତ ରହିଅଛି । ହାତ ମଧ୍ୟ ଚଳ ବିଚଳ ହୁଏ ।

ଘରେ ଯେପରି ଦୁଆର ଓ ଝରକା ରହିଥାଏ, ଏ ଦେହକଳଘରେ ମଧ୍ୟ ସେହିପରି ଅନେକଗୁଡ଼ିଏ ଦରଜା ଓ ଝରକା ଅଛି । ଏହା ଭିତର ଦେଇ ବାହାରୁ ଖାଦ୍ୟ ଜିନିଷ ଓ ପବନ ଦେହ ଭିତରକୁ ଯାଏ ଓ ଦେହ ଭିତରୁ ମଇଳା ଜିନିଷ ସବୁ ମଳ, ମୂତ ଓ ଝାଳ ଆକାରରେ ବାହାରି ଆସେ । ଏ ସବୁ ହେଲା ଆମର ପାଟି, ନାକ, ଲୋମକୂପ, ମଳଦ୍ୱାର ଆଦି ।

ସାଧାରଣ ଘର ଯେପରି ଏକତାଲା, ଦୋତାଲା, ତିତାଲା ଆଦି ହୋଇଥାଏ, ଆମ ଦେହଘରେ ମଧ୍ୟ ସେହିପରି ତିନୋଟି ତାଲା ଅଛି । ରେଳଷ୍ଟେସନ ସମସ୍ତେ ତ ଦେଖିଅଛ; ସେଠାରେ ସିଗ୍‌ନାଲ ଘର ( Signal ) ଅଛି ଜାଣ ? ଏହି ସିଗ୍‌ନାଲ୍ ଘର ଖୁବ୍ ଉଚ୍ଚରେ ଥାଏ । କେଉଁଠାରୁ କେଉଁ ଗାଡ଼ି ଆସିଲା ଓ କେଉଁଠାରୁ କେଉଁ ଗାଡ଼ି ଗଲା, ଏହା ସବୁ ସେହିଠାରେ ଜଣାଯାଏ ଓ ସେହି ଅନୁସାରେ ରେଳପୋଇ ଖଞ୍ଜା ହୁଏ । ଆମ ଦେହରେ ସେହିପରି ଗୋଟିଏ ସିଗ୍‌ନାଲ୍ ଘର ଅଛି । ଏହା ସବୁଠାରୁ ଉପର ତାଲାରେ ରହିଅଛି । ଏହାକୁ ଆମେ ମୁଣ୍ତ କ‌ହୁଁ । ବାହାରର ଜିନିଷ ସବୁ ଦେଖିବା ପାଇଁ, ଶବ୍ଦ ଶୁଣିବା ପାଇଁ, ଗନ୍ଧ ବାରିବା ପାଇଁ ଏଥିରେ ଆଖି, କାନ, ନାକ ଆଦି ଯନ୍ତ୍ରସବୁ ରହିଅଛି । ଏହି ସବୁ ଯନ୍ତ୍ର ସାହାଯ୍ୟରେ ଆମେ ବାହାରର ସବୁ କଥା ଜାଣି ପାରୁଁ । ବାହାରକୁ ଶବ୍ଦ ପଠାଇବା ପାଇଁ ପାଟି ମଧ୍ୟ ଉପର ତାଲାରେ ଅଛି । ଏହା ଛଡ଼ା ଆମ ଦେହଭିତରେ ଯେତେ ଯେତେ ଟେଲିଗ୍ରାଫ୍ ତାର ଅଛି, ତାର କେନ୍ଦ୍ର ରହିଅଛି ମୁଣ୍ଡ ଭିତରେ । ଦେହଯାକର ସବୁ ଖବର ସେଠାରେ ପହଞ୍ଚେ ଓ କେଉଁ ବିଷୟରେ କେଉଁଠାରେ କଣ କରିବାକୁ ହେବ, ତାହା ସବୁ ସେଠାରେ ଠିକଣା ହୋଇ ଚାରିଆଡ଼କୁ ସମ୍ବାଦ ପଠାଯାଏ । ଏ ଗଲା ତିତାଲା କଥା ।

ଦୋତାଲା ହେଲା ଆମର ବକ୍ଷଦେଶ । ଏଥିରେ ଗୋଟାଏ ବଡ଼ ଦମ୍‌କଳ ରହିଅଛି । ଏହା ଦେହର ଚାରିଆଡ଼କୁ ରକ୍ତ ପଠାଏ । ରକ୍ତ ସଫା କରିବା ପାଇଁ ଅଉ ଗୋଟିଏ ଯନ୍ତ୍ର ମଧ୍ୟ ଏଠାରେ ରହିଅଛି । ତାହାକୁ ଫୁସ୍‌ଫୁସ୍ (Lungs) କ‌ହନ୍ତି । ଯେଉଁମାନେ ଦୋତାଲା, ତିତାଲା ଘର ତୋଳାନ୍ତି, ସେମାନେ ତଳ ତାଲାରେ କଣ କରନ୍ତି ? ସେଠାରେ ସରଘର, ରୋଷେଇଘର, ଅନ୍ତୁଡ଼ିଶାଳ ଆଦି ଥାଏ ଏବଂ ଘରଯାକର ମଇଳା ପାଣି, ଅଳିଆ ଆଦି ସେଠାରୁ ନଳା ବାଟେ ଘର ବାହାରକୁ ବାହାର କରି ଦିଆଯାଏ । ସେହିପରି ଆମ ଦେହଘରର ସରଘର, ରୋଷେଇଘର, ଅନ୍ତୁଡ଼ିଶାଳ, ନର୍ଦ୍ଦମା ଆଦି ଏହି ତଳ ତାଲାରେ ରହିଅଛି । ଏ ହେଲା ଆମ ପେଟ । ଏ ତ ବଡ଼ ବଡ଼ କଥା, କିନ୍ତୁ ଯେତେ ଯେତେ ସୂକ୍ଷ୍ମ ଯନ୍ତ୍ର ରହିଅଛି, ତାହା କହିବାକୁ ଗଲେ ୪|୬ ଖଣ୍ଡ ମହାଭାରତ ପୋଥି ହେବ । ତଥାପି ଆହୁରି ଏପରି ସବୁ ସୂକ୍ଷ୍ମ ସୂକ୍ଷ୍ମ ଯନ୍ତ୍ର ଅଛି, ଯାହା ବିଷୟରେ ସବୁ କଥା ଏପର୍ଯ୍ୟନ୍ତ ବଡ଼ ବଡ଼ ପଣ୍ଡିତମାନେ ବି ଜାଣି ପାରି ନାହାନ୍ତି ।

ଘରଟିଏ ତୋଳିବାକୁ ଗଲେ ପ୍ରଥମେ ଆମେ ଖୁଣ୍ଟ ପୋତୁଁ । ତା ଉପରେ ଶେଣୀ, ଓରା ଓ ରୁଅ ପକାଉଁ, ତା ପରେ ଘର ବେତରା ଯାଏ, ଏତକ ହୋଇଗଲେ ଘରର ଗୋଟାଏ ଛାଞ୍ଚ ହୋଇଯାଏ । ତା ପରେ, ମାଟି ଛାଟି, ଦୁଆର ଓ ଖିଡ଼ିକି ବସାଇ, ଲିପାପୋଛା କରି ଶେଷରେ ତାକୁ ରହିବା ଭଳି କରୁଁ । ଖାଲି ଘରକଥା ନୁହେ, ପିତୁଳାଟିଏ ଗଢ଼ିଲାବେଳେ ବି କାରିଗର ସେହି କଥା କରେ । ଆଗ ବାଉଁଶର ଗୋଟାଏ ଛାଞ୍ଚ ଗଢ଼େ, ତା ପରେ କୁଟା ଗୁଡ଼ାଇ ମାଟି ଛାଟି ଯେଉଁ ଆକାରରେ କରିବାର କଥା, ସେ ଆକାରରେ କରେ । ଶେଷରେ ରଙ୍ଗ ଦେଇ ବେଶ୍ ସୁନ୍ଦର ସୁଢ଼ଳ କରେ । ସେହିପରି ଆମ ଦେହଘରର ଗୋଟିଏ ଛାଞ୍ଚ ଅଛି । ଏହା ହାଡ଼ରେ ଗଢ଼ା । ଏହି ଛାଞ୍ଚ ଯୋଗେ ଆମେ ସିଧା ସଳଖ ହୋଇ ରହି ପାରୁଥାଇଁ । ଏହା ନ ଥିଲେ ଆମେ ଗୋଟିଏ ଗୋଟିଏ ମାଂସର ମାଦଳ ହୋଇଥାଆନ୍ତୁ । ଏହି ଛାଞ୍ଚକୁ କଙ୍କାଳ କହନ୍ତି । କଙ୍କାଳର ଛବି ଦେଖ । ଏହା କିପରି ଗଢ଼ା ହୋଇଅଛି ବୁଝି ପାରିବ । ଏହି ଛାଞ୍ଚ ଉପରେ ପିତୁଳା ଉପର ମାଟି ପରି ମାଂସପେଶୀ ଅଛି । ସେଥିଯୋଗୁଁ ଆମ ଦେହଟା ଏଡ଼େ ସୁନ୍ଦର । ମାଂସପେଶୀ ଉପରେ ଚର୍ମ । ଚମ ଦେହ ଭିତରେ ସମସ୍ତ ଜିନିଷ ଥଳିରେ ପୂରାଇ ରଖିଲା ଭଳି ରଖିଛି ।

କହିବାକୁ ଗଲେ ଆମ ଦେହଟି ଦୁଇ ପ୍ରକାର ଜିନିଷରେ ଗଢ଼ା, ଗୋଟାଏ ଶକ୍ତ ଜିନିଷ ଆଉ ଗୋଟାଏ ନରମ ଜିନିଷ । ହାଡ଼ ନଖ, ବାଳ ଆଦି ଶକ୍ତ ଜିନିଷ; ଚମ, ମାସଂପେଶୀ, ରକ୍ତ ଆଦି ନରମ ଜିନିଷ । ଦେହର ଯେ କୌଣସି ସ୍ଥାନ ଆସ୍ତେ କରି ଟିପିଲେ ନରମ ଲାଗେ, କିନ୍ତୁ ଟିକିଏ ଜୋର୍ ଦେଲେ ଭିତରର ଶକ୍ତ ଜିନିଷ ହାତକୁ ଲାଗେ । ଏହି ଶକ୍ତ ଜିନିଷ ହେଲା କଙ୍କାଳର ଅଂଶ ।

ଗୋଟିଏ ଘର ତୋଳିବାକୁ ଯେପରି କାଠ,ବାଉଁଶ,ନଡ଼ା, ମାଟି ଝାଟି ଆଦି ଦରକାର ହୁଏ, ଆମ ଦେହ ସେହିପରି ଅନେକ ପ୍ରକାର ଜିନିଷରେ ଗଢ଼ା । ଏହି ସବୁ ଜିନିଷକୁ ତନ୍ତୁ (Tissue) କହନ୍ତି । ଅନେକ ପ୍ରକାରର ତନ୍ତୁ ଅଛି; ଯଥା - ଅସ୍ଥି ବା ହାଡ଼, ମାଂସପେଶୀ, ରକ୍ତ, ସ୍ନାୟୁ, ନାଡ଼ୀ ଇତ୍ୟାଦି । ପ୍ରତ୍ୟେକ ତନ୍ତୁ ଗୋଟାଏ ପ୍ରକାର ଜିନିଷର ପିଣ୍ଡୁଳା ନୁହେଁ, ଏହା ଅତି ସୂକ୍ଷ୍ମ ସୂକ୍ଷ୍ମ କୋଷର ସମଷ୍ଟି । ଯେପରି ଗୋଟାଏ ପକ୍କା କାନ୍ଥ ଅନେକ ଗୁଡ଼ିଏ ଇଟାରେ ଗଢ଼ା ହୋଇଥାଏ, ସେହପରି ଆମ ଦେହର ପ୍ରତ୍ୟେକ ତନ୍ତୁ ଅତି ସୂକ୍ଷ୍ମ ସୂକ୍ଷ୍ମ କୋଷରେ ଗଢ଼ା । ଏସବୁ କୋଷ ଏତେ ସୂକ୍ଷ୍ମ ଯେ, ଖାଲି ଆଖିରେ ଦେଖାଯାଏ ନାହିଁ, ଅଣୁବୀକ୍ଷଣ ଯନ୍ତ୍ରରେ ଦେଖାଯାଏ । ମୋ କଥାରେ କହିବାକୁ ଗଲେ ଏକ ଏକ ପ୍ରକାର ସୂକ୍ଷ୍ମ ସୂକ୍ଷ୍ମ କୋଷ ମିଶି ଏକ ଏକ ପ୍ରକାର ତନ୍ତୁ ହୋଇଅଛି ଏବଂ ନାନା ପ୍ରକାର ତନ୍ତୁରେ ଆମ ଦେହ ଗଢ଼ା ହୋଇଅଛି । ଦେହ ଯଦି କୌଣସି ପ୍ରକାରରେ ଚୂନା କରାଯାଇ ପାରନ୍ତା, ତେବେ ଆମେ ଭିନ୍ନ ଭିନ୍ନ ପ୍ରକାର ତନ୍ତୁର କୋଷଗୁଡ଼ିଏ କେବଳ ପାଆନ୍ତୁ । ଆମେ ପିଲାବେଳେ ଛୋଟ ଥିଲୁଁ, କିନ୍ତୁ ଆସ୍ତେ ଆସ୍ତେ ବଢ଼ି ବଡ଼ ମଣିଷ ହେଲୁଁ । ମନୁଷ୍ୟ କିପରି ବଡ଼ ହୁଏ ଜାଣ ? ଏହି କୋଷସବୁ ସଂଖ୍ୟାରେ ବଢ଼ିଲେ ତହିଁ ସଙ୍ଗେ ସଙ୍ଗେ ଦେହ ବଢ଼େ । ଆମେ ଖାଦ୍ୟ ଖାଉଁ । ସେହି ଖାଦ୍ୟ ପାଇ କୋଷ ଆସ୍ତେ ଆସ୍ତେ ବଢ଼ି ପୁଷ୍ଟ ହୁଏ । କୋଷ ଖୁବ୍ ପୁଷ୍ଟ ହୋଇଗଲେ ତାହା ଆସ୍ତେ ଆସ୍ତେ ଦୁଇ ଭାଗ ହୋଇ ଦୁଇଟି ଛୋଟ ଛୋଟ କୋଷ ହୋଇଯାଏ । ଏହି ଛୋଟ ଛୋଟ କୋଷ ପୁଣି ଖାଦ୍ୟ ପାଇ ବଡ଼ ପୁଷ୍ଟ ହୁଏ ଓ ଶେଷରେ ପ୍ରତ୍ୟେକଟି ପୁଣି ଦୁଇଟି କୋଷ ହୋଇଯାଏ । ଏହିପରି ଗୋଟିକରୁ ଦୁଇଟି, ଦୁଇଟିରୁ ଚାରୋଟି, ଚାରୋଟିରୁ ଆଠୋଟି ହୋଇ କୋଷସବୁ ବଢ଼ନ୍ତି । ଦେହରେ ଯେତେ ତନ୍ତୁ ଅଛି, ସବ୍ୟ ତ କୋଷରେ ଗଢ଼ା । କୋଷ ସବୁ ବଢ଼ିଲେ ଦେହର ସମସ୍ତ ଢନ୍ତୁ ବଢ଼େ ଓ ଫଳରେ ଦେହ ବସ୍ତେ ।

ଏହପରି ଆମ ଦେହଟି ଗଢ଼ା ହୋଇଅଛି । ଏବେ ତାହାର ଛାଞ୍ଚ ଓ ତ‌ହିଁରେ ଥିବା ଭିନ୍ନ ଭିନ୍ନ ଯନ୍ତ୍ରକଥା ଦେଖିବା ।
"ନରକଙ୍କାଳ" ଚିତ୍ରର ଚିହ୍ନିତ ସ୍ଥାନ ସବୁ ତଳେ ବର୍ଣ୍ଣିତ ହେଲା :-

୧ । ଖପୁରିହାଡ଼ ମଧ୍ୟରେ ଥିବା ଖଞ୍ଜା ଜାଗା । ଖଣ୍ଡେ ହାଡ଼ ଆଉ ଖଣ୍ଡେ ହାଡ଼ ସଙ୍ଗେ ଏପରି ଖାପ ଖାଇ ଯୋଡ଼ା ହୋଇଅଛି ଯେ ଏହି ଯୋଡ଼ା ଜାଗା ଲେଖା ଭଳି ଦେଖାଯାଏ । ଏ ହେତୁରୁ ଏହାକୁ, ଲୋକେ ଷଠୀମାଆଙ୍କର ଲେଖା ବୋଲି କହନ୍ତି ।

୨ । ଊର୍ଦ୍ଧ୍ୱ ହନୁସ୍ଥି (Maxillary bone) । ଏଥିରେ ଉପର ପାଟିର ଦାନ୍ତ ଥାଏ ।

୩ । ଅଧଃହନ୍ୱସ୍ଥ (Maudible) : ଏଥିରେ ତଳ ପାଟିର ଦାନ୍ତ ଥାଏ ।

୪ । ପୃଷ୍ଠଦେଶର ପ୍ରଥମ କଶେରୁକା(First Thoracic Vertebra)

୫ । ଭୁଜାସ୍ଥିର ଗୋଲାକାର ମସ୍ତକ । ଏହା ଘଣାର ମୂଷଳ ପରି ଅଂଶ ଫଳକାସ୍ଥିରେ ଥିବା ସ୍ଥାଳୀ ମଧ୍ୟରେ ବୁଲି ପାରୁଥିବାରୁ ଆମେ ହାତକୁ ଆଗପଛ ଏକଡ଼ ସେକଡ଼ ସବୁଆଡ଼େ ବୁଲାଇ ପାରୁଁ । ଉର୍ଦ୍ଧ୍ୱସ୍ଥିର ମସ୍ତକ ମଧ୍ୟ ନିର୍ନ୍ମାମାସ୍ଥି (Os innominate, ବଙ୍‌କ୍ଷଣାସ୍ଥି, କଟ୍ୟସ୍ଥି, ବିଟପାସ୍ଥି ମିଳି ନିର୍ମାମାସ୍ଥି ହୋଇଅଛି)ର ଗଭୀର ସ୍ଥାଳୀ (Articular Cavity) ରେ ଏହିପରି ବୁଲି ପାରେ ।

୬ । ଭୁତାସ୍ଥି ବା ପ୍ରଗଣ୍ଡାସ୍ଥି (Humerus)

୭ । ବକ୍ଷାସ୍ଥି (Sternum)

୮ । ଅପ୍ରକୃତ ପଞ୍ଜରାସ୍ଥି (False ribs) । ମୋଟ ଉପରେ ବାର ଯୋଡ଼ା ପଞ୍ଜରାସ୍ଥି ଅଛି । ସେଥି ମଧ୍ୟରୁ ଉପର ସାଇ ଯୋଡ଼ା ପାର୍ଶ୍ୱକା ତା ପଞ୍ଜରାସ୍ଥି ସେମାନଙ୍କ ଶେଷଭାଗରେ ଥିବା ଉପାସ୍ଥି (Cartilage) ଦ୍ୱାର ପ୍ରତ୍ୟେକେ ନିଜେ ନିଜେ ବକ୍ଷାସ୍ଥି ସହିତ ମିଳିତ ହୋଇଅଛନ୍ତି । ଏହି ସାତ ଯୋଡ଼ା ପ୍ରଞ୍ଜରାସ୍ଥିକୁ ପ୍ରକୃତ ପର୍ଶୁକ। ବା ପ୍ରକୃତ ପଞ୍ଜରାସ୍ଥି କ‌ହନ୍ତି । ଏହା ପରେ ଥିବା ପର୍ଶୁକାଗୁଡ଼ିକୁ ଅପ୍ରକୃତ ପର୍ଶୁକା କହନ୍ତି । ଏହି ଅପ୍ରକୃତ ପର୍ଶୁକା ମଧ୍ୟରୁ ସର୍ବନିମ୍ନସ୍ଥ ପର୍ଶୁକା ଦୁଇଯୋଡା ସମ୍ମୁଖରେ କାହାରି ସ‌ହିତ ସଂଯୁକ୍ତ ନୁହନ୍ତି । ଏହି ଦୁଇଯୋଡ଼ା ପର୍ଶୁକାକୁ ଭାସମାନ ପର୍ଶୁକା{Floating Ribs) କହନ୍ତି ।

୯ । ଭାସମାନ ପର୍ଶୁକା
୧୦ । ଚକ୍ରଦଣ୍ତାସ୍ଥି (Radius)
୧୧ । କଫୋଶି ଅସ୍ଥି (‌Ulna)
୧୨ । ବିଟପାସ୍ଥି ( Os pubis )
୧୩ । ବଙ୍‌କ୍ଷଣାସ୍ଥି( Ischeum )
୧୪ । ଊର୍ବ୍ଦସ୍ଥି (Femur)
୧୫ । ଜାନୁସନ୍ଧ୍ୟିସ୍ଥି (Patella)
୧୬ । ଦ୍ୱିତୀୟ ଗୁଳ୍‌ଫାସ୍ଥି (Talus)
୧୭ । ପଦତଳାସ୍ଥି (Metatarsal bones)
୧୮ । ପ୍ରଥମ ଗୁଳ୍‌ଫାସ୍ଥି (Calcarius)
୧୯ । ଅଗ୍ର ଜଙ୍ଘାସ୍ଥି (Tibia)
୨୦ । ପାଦବନ୍ଧାସ୍ଥି (Fibula)
୨୧ । କରଭାସ୍ଥି (Metacarpal bones)
୨୨ । ମଣିବନ୍ଧାସ୍ଥି (Carpal bones)
୨୩ । ଊର୍ବ୍ଦସ୍ଥିର ଗ୍ରୀବା
୨୪ । ଊର୍ବ୍ଦସ୍ଥିର ମସ୍ତକ
୨୫ । ତ୍ରିକାସ୍ଥି (Sacrum) । ଏହା ତଳକୁ ଅନୁତ୍ରିକାସ୍ଥି (Coccyx) ରହିଅଛି ।
୨୬ । କଟିଦେଶର ଶେଷ କଶେରୁକା
୨୭ । କଟ୍ୟସ୍ଥି (Ilium)
୨୮ । ଅଂସଫଳକାସ୍ଥି (Scapula)
୨୯ । ଅକ୍ଷକାସ୍ଥ (Clavicle)
୩୦ । ଗ୍ରୀବାଦେଶର କଶେରୁକା (Cervical Vertebra)
୩୧ । ହନ୍ୱସ୍ଥି (Zygomatic Bone)