ଆଶା ତମସା/ଅନୁସନ୍ଧାନମୂଳକ

ଆଶା ତମସା ଲେଖକ/କବି: ରବି କାନୁନ୍‌ଗୋ
ଅନୁସନ୍ଧାନମୂଳକ
ବିଧାନ ମଣ୍ଡଳ କେମିତି ମଲା? କେତେକ କହୁଥିଲେ, ତାକୁ ପୁଲିସ ସନ୍ତ୍ରାସବାଦୀ ଭାବି ମାରି ଏବେ ଲୁଚୋଉଛି । କହୁଚି କ’ଣ ନା – କୁଆଡ଼େ ଭାଲୁ ଗୋଡୋଉଥିଲା । ଜୀବନବିକଳରେ ଦଉଡୁଥିବାବେଳେ ଶ୍ୱାସରୁଦ୍ଧ ହୋଇ ତା’ର ମୃତ୍ୟୁ ହୋଇଛି ।
  “ତା’ ହେଲେ, ତା ଦେହରେ ଗୁଳିଦାଗ ଆଇଲା କୋଉଠୁ? ଶିକାର ତଳେ ପଡିଗଲେ ବାଘ ଭାଲୁ ହୁରୁଡି ପଳାନ୍ତି କି? ଏମିତିକା କଥା ଦୁନିଆସାରା କୋଉଠି କିଏ ଶୁଣିଥିବ ଭଲା? ଗୁଳିଦାଗଟେ ଛଡା ତା ଦେହରେ ଆଉ କିଛି ହେଇନି ।” ପିଟର ସେରାଫିନଠାରୁ ଏମିତିକା କଥା ଶୁଣି ରୁଣ୍ଡ ହୋଇଥିବା ଲୋକେ ଉତ୍ସାହିତ ହେଉଥିଲେ । ସବୁଠୁଁ ବୟସ୍କ ଧୀରୁ ଓରାମକୁ ପିଟର ପଚାରିଲା, “ନା ଧୀରୁ କାକା, ତୁଇ କହ, କୋଡିଏ ତିରିଶ ବଛର୍ ଭିତରେ ଇ ଅଞ୍ଚଳ ସାରା କେବେ କେନ୍ଠି ଭାଲୁ ଦେଖ୍ଚ କାଏଁ?”
 ଧୀରୁ ମୁଣ୍ଡ ହଲାଇ ମନା କଲା ।
 ପିଟର୍ ନିଜ କଥାକୁ ଆଗେଇନେଲା । “ସରକାର ତ ଚୋର ଲଗେଇ ଜଙ୍ଗଲ ସାଫ୍ କରିଦେଲେ । ଭାଲୁ ଆସିବେ କେଉଁଠୁ? ଆମେ ପିଲାଙ୍କୁ ଭାଲୁ ଦେଖେଇବାକୁ ରାଉରକେଲା ଇନ୍ଦିରା ପାର୍କ ଜୁ’ ନେଉଛୁ । ହେଲା, ଧରାଯାଉ ତାକୁ ଭାଲୁ ଗୋଡ଼େଇଲା । ସେ ପଡିଗଲା । ମରିଗଲା । ତଥାପି ଟିକେ ଖଣ୍ଡିଆଖାବରା ହେଲାନି କେମିତି? କିହୋ, ଭାଲୁ କ’ଣ କାର୍ତ୍ତିକବ୍ରତ ପାଳୁଥିଲା କି?”
  ପିଟର୍ ସିନା କଥା କହୁଥିଲା ହାସ୍ୟଛଳରେ, କିନ୍ତୁ ଦେଖାଯାଉଥିଲା ଗମ୍ଭୀର । ସତେ ଯେମିତି କିଛି ଗୋଟେ ବଡ କଥା ଘଟିବାକୁ ଯାଉଛି ।
  ପୁଲିସ ରେକର୍ଡରେ ମୃତ୍ୟୁ ଥିଲା ଅସ୍ୱାଭାବିକ । ନିପଟ ଆଦିବାସୀ ଅଞ୍ଚଳରେ ତଦନ୍ତ । ଯେତିକି ଦାୟିତ୍ୱ ନେବା କଥା, ନିଆଯାଇ ନ ଥିଲା । ବେକହାତିଆ ହେଲାପରେ ପୁଲିସ ଯାହା କହିଲା ତାହା ଅନେକ ବିଶ୍ୱାସ କରି ନ ଥିଲେ । ଲୋକେ ନିଆରା ନିଆରା ଅଭିଯୋଗମାନ ତିଆରିଲେ ଓ ପ୍ରଚାର କଲେ । ବରଂ ଆଉମାନେ ସେକଥାଗୁଡିକୁ ଅଧିକ ଗ୍ରହଣ କରୁଥିଲେ ।
  ପୋଷ୍ଟମର୍ଟମ ପରେ ପୁଲିସ କହିଲା – ତା ଦେହରୁ ଗୁଳିଫୁଳି କିଛି ବାହାରିଲାନି । ହଁ, ଛାତିରେ ଗହୀରିଆ ଆଘାତଟିଏ ଅଛି । କିନ୍ତୁ ତାହା ମୃତୁ୍ୟର କାରଣ ନୁହେଁ । ଟୋକାଟା ବିଷ ଖାଇ ମରିଛି । ଭିସେରା ରିପୋର୍ଟ ଏହାର ପ୍ରମାଣ ।
  ସେତେବେଳେ ମୃତକ ପକ୍ଷରେ ସାମିଲ ହେବାକୁ ବହୁ ଯୋଗ୍ୟ ଲୋକ ସହରରୁ ଆସି ଗାଁରେ ବୁଲୁଥା’ନ୍ତି । କଥାକୁ କଥା ଯୋଡି କହିବା ପାଇଁ ଆଉ ଥ ଥ ମ ମ ଅବସ୍ଥା ନ ଥାଏ । ପ୍ରତିକ୍ରିୟାରେ ସେମାନେ କହୁଥିଲେ : ଦେଖ, ଇଏ ବି ଜୁଆଚୋରି । ନୂଆ କିସମର ଫରିବ୍ । ଆରମ୍ଭ କଲେ ଭାଲୁରୁ, ଆସି ପହଞ୍ଚôଲେଣି ବିଷ ପାଖରେ । ଆଉ କୁଆଡକୁ ଯିବେ କେଜାଣି? ଆଘାତ ତ ପୁଣି କୋଉଥିରେ ହେଇଥିବ? ସେଇ ଜିନିଷଟି କ’ଣ । ସିଜ୍ କଲନି କାହିଁକି । ଆମେ ତ କହୁଚୁ, ସେଇଟା ହଉଚି ଗୁଳି । ଫୁଟାଗୁଳି ଲୁଚେଇଦେବା ଏମିତି କୋଉ ବିଚିତ୍ର କଥା କି? ଆମେ କହିବୁ ଯେ ସେ ବିଷ ଖାଇନି । ଖାଇବାକୁ ନ ପାଇ ଅଖାଦ୍ୟ ଖାଇ ମରିଚି । ଆମେ ଖାଇବାକୁ ନ ପାଇବା କାରଣ ପାଇଁ ଦାୟୀ କିଏ?
  ‘ବିଧାନ ମଣ୍ଡଳ ମୃତ୍ୟୁ ତଦନ୍ତ ନାଗରିକ କମିଟି’ର ଗଠନ ପ୍ରାୟ ଏଇଠୁ ଆରମ୍ଭ । ଆନେ୍ଦାଳନ କରିବାକୁ କମିଟିରେ ସମସ୍ତେ ଓସ୍ତାତ୍ । ସ୍ଥାନୀୟ ଲୋକେ ସେପରି କାମ କରି ପାରନ୍ତି ନାହିଁ । ଲୋକ ରୁଣ୍ଡେଇବା ସେମାନଙ୍କ ପକ୍ଷରେ ସହଜ । ସମସ୍ତଙ୍କ ପାଇଁ ବିଧାନର ମରଣ ଆବେଗର କାରଣ ନ ହେଲେ ସୁଦ୍ଧା ସେମାନେ ଭୋଗୁଥିବା ସରକାରୀ ସମସ୍ୟାଗୁଡିକ ପ୍ରାୟ ଏକାପରି । ଗୋଟେ କାରଣରୁ ବିଧାନ ମଲା ତ ଆଉ କାହାର ଅନ୍ୟ କିଛି ଘଟି ପାରେ । ମନ ମିଶିଗଲେ ଯେମିତି ଜଣକ କତିକି ଆଉ ଜଣେ ଟାଣି ହୋଇଯାଏ, ଏକଥା ଥିଲା ଠିକ୍ ସେମିତି । ଏଥିରେ ବିପ୍ଳବ କି ଆନେ୍ଦାଳନର ଚିହ୍ନବର୍ଣ୍ଣ ନ ଥାଉ ପଛେ ସମସ୍ତେ ସରକାର ବିରୋଧୀ କଥା ଶୁଣିବାକୁ ଭଲ ପାଉଥିଲେ । ସ୍ଥାନୀୟମାନଙ୍କ ଭିତରେ ପିଟର୍ ଥିଲା ବେଶ୍ କୁହାଳିଆ । ତାକୁ କମିଟିର ସଂପାଦକ କରାଗଲା । ବିଶିଷ୍ଟମାନଙ୍କ ହେପାଜତରେ ଶିକ୍ଷାନବିସ ହେବା ଏକ ସୁବର୍ଣ୍ଣସୁଯୋଗ । ତା ଇଚ୍ଛା ପୂରଣ ହେବାପରି ଲାଗିଲା ତାକୁ ।
  ମୃତ ବିଧାନକୁ ପିଟର୍ ଚିହ୍ନେ କି? ନା । ଖୁବ୍ ଯୋଡାଯୋଡି କଲେ ମାତ୍ର ଏତିକି ବାହାରିପାରେ ଯେ ସେ ଯେଉଁଁଠି ପାଠ ଆରମ୍ଭ କରିଥିଲା ପିଟର୍ର ଘର ସେଇ ଗାଁରେ । ଖରମରା ।
  ପୁଲିସ ପୋଷ୍ଟମର୍ଟମ ରିପୋର୍ଟ ଦେଖେଇବାକୁ ପ୍ରସ୍ତୁତ । କିନ୍ତୁ କେହି ଦେଖିବାକୁ ଦେଖିବାକୁ ରାଜି ହେଲେ ନାହିଁ ।
  ସେତେବେଳକୁ ଆନେ୍ଦାଳନ ସହ ସଂପୃକ୍ତ ହୋଇ ସାରିଥିବା ଖ୍ୟାତ ଓକିଲ ମୂରଲୀ ବାବୁ ସର୍କଲ ଇନ୍ସପେକ୍ଟର ପ୍ରଦୀପ ଶତପଥିଙ୍କୁ ରୋକ୍ଠୋକ୍ ମନା କରିଦେଲେ । ପିଟର୍ ସେଇଠି ବେଶ୍ ଚଢ଼ା ଗଳାରେ କହିଥିଲା, “ପୁଲିସ କୋଉଥିରେ ଧୂରନ୍ଧର ନୁହଁ କି? ମିଛ ଖଚ ଯୋଡି ଯିଏ କୋର୍ଟକୁ ମିସ୍ଲିଡ୍ କରିପାରେ, ୟାଡୁସ୍ୟାଡୁ ପୋଷ୍ଟମର୍ଟମ ରିପୋର୍ଟଖଣ୍ଡେ ଲେଖେଇଆଣିବା ତା ସକାଶେ କୋଉ ଅସାଧ୍ୟ? ରିପୋର୍ଟ ଦେଲାବାଲା ପୁଣି କିଏ? ନା, ଡାକ୍ତର । ଫେରନ୍ତା ପାଦଚିହ୍ନ ପଡି ନ ଥିବା ଜନ୍ତାପୋଖରୀର ଅସୁରଗୁଡ଼େ । ତେଣୁ ଏ ପୋଷ୍ଟମର୍ଟମ ରିପୋର୍ଟକୁ ଗଙ୍ଗାଜଳ ପରି ପବିତ୍ର ବୋଲି କାହିଁକି ଆମେ ବିଶ୍ୱାସ କରିବୁ? ଯଦି ପୁଲିସ ନ ମାରିଥା’ନ୍ତା ତା’ହେଲେ କୋଉ ସକାଶେ ଏଠି ଠିକ ତା ପରଦିନ ଫ୍ଲାଗମାର୍ଚ କଲା? ଯଦି ବିଷ ଖାଇ କି ଭାଲୁ ଗୋଡାଣରେ ସତରେ ସେ ମରିଥା’ନ୍ତା – ୟା ଦେ ତା ଦେ, ନ ହେଲେ ମର୍ଡର କେଶ କରିବୁ କହି ପୁଲିସ ପରା ତା ବାପ-ମା’ଙ୍କ ଅବସ୍ଥା ହାରାମ କରିଦେଇଥା’ନ୍ତା । ହଜୁର, ଆମକୁ କାହିଁ ଆଉ ବୋକା ବନୋଉଛନ୍ତି?”
  ଶତପଥି ବାବୁ ଅବଶ୍ୟ ସିଆରପି ଫ୍ଲାଗମାର୍ଚ୍ କଥା ଜାଣନ୍ତି । ଇନ୍ସପେକ୍ଟର ଭାବେ କେବଳ ଜାଣିବା ଛଡା ଆଉ ଯେ କିଛି ଅଧିକାର ତାଙ୍କର ନାହିଁ, ଆନ୍ଦୋଳନକାରୀମାନେ ସେିତିକି ବୁଝି ପାରୁନାହାଁନ୍ତି । କିହୋ, ସିଆରପି ଯଦି ଫ୍ଲାଗମାର୍ଚ୍ କଲା ସେମାନେ କାଇଁ ଆମକୁ ପଚାରିବେ? ଇଏ କାଉ ରଡିବାବେଳେ ତାଳ ପଡିବା ପରି କଥା । ବିଧାନ ମଣ୍ଡଳର ମରଣ ସହିତ ସିଆରପି ଫ୍ଲାଗ୍ମାର୍ଚର ସଂପର୍କ ଯେ କିଛି ନାହିଁ, ଏହା ସେ କେମିତି କାହାକୁ ବୁଝେଇବ? ତେଣେ ଆନ୍ଦୋଳନକାରୀ ଧରି ନେଇଛନ୍ତି କ’ଣ - ନା, ଯାହା ହେଲା, ସବୁ ପୁଲିସ । ଏ ଶଳା ଚେଙ୍ଗଡ୍ ପିଟରକୁ ପୁଲିସପାଠରେ ବୁଝେଇ ହୁଅନ୍ତା ଯେ ଟୋକାର ନେତାନିଶା ଥରକରେ ଉତୁରି ଯାଆନ୍ତା । କ’ଣ କରିବା, ବେଳ ଖରାପ । କେଉଁଠି କମ୍ପମାନ ହେବା ଦରକାର ବା ଆଉ କେଉଁଠି ନୁଖୁରା ଟିକେ ହସି ବାଟ ମୋଡି ଖସିଯିବା ନିରାପଦ, ଏତେ ବର୍ଷ ପୁଲିସ ଚାକିରି କରି ଏତିକି ସେ ନିଶ୍ଚୟ ଶିଖିଥିଲେ ।
  ଶତପଥୀବାବୁ କହିଲେ, “ହଉ, ଆପଣମାନଙ୍କ ଇଚ୍ଛା । ଆମ ପାଖରେ ଯେତିକି ତଥ୍ୟ ପ୍ରମାଣ ରହିଛି ତା ବାହାରକୁ ଆମେ କେମିତି ଯିବୁ?”
  କ୍ରମେ ଏହି ମୃତ୍ୟୁ ଭିତରକୁ ରାଜନୀତି ପଶିଗଲା ବା ମୃତ ବିଧାନ ମଣ୍ଡଳ ରାଜନୀତିର ଏକ ଅନବଦ୍ୟ ବିଗ୍ରହରେ ପରିଣତ ହୋଇଗଲା । ଉଦାରପନ୍ଥୀ ଗଣତନ୍ତ୍ରରେ ସବୁ ଏକାକାର । ରାଜନୀତି ତେଣୁ ଉଦ୍ୟାନଠାରୁ ପତଳା । ଜୀବନ ମରଣ ସହିତ ଆପେ ଉଛୁଳି ପଡୁଥିବା ସାଧାରଣ ମଣିଷଙ୍କ ଆବେଗଠାରୁ ତାହା ଯେମିତି ଉଦ୍ଧ୍ୱର୍ରେ ରହିବା ସମ୍ଭବ ସେତିକିରେ ପହଞ୍ଛି ଗଲା ।
ଜଣେ ମଲା । ଯେଉଁ କାରଣରୁ ହେଉ ପଛେ, କିଛି ଗୋଟେ ହାସଲ ହେବା ଦରକାର ସରକାରର ପାପ ପଦାରେ ପଡିବା ଦରକାର । ସେଥିପାଇଁ ତ ଯୁଦ୍ଧ । ଯୁଦ୍ଧର ଲକ୍ଷ୍ୟ ହେଲା କେବଳ – ଜୟ । ସେଥିପାଇଁ ପତିଆରାରେ ସଭିଙ୍କୁ ଜଡ଼େଇ ରଖିବା ଓ ସେହି ଅଭ୍ୟାସ ଜାହିର ରହିବା ଦରକାର । ଯୁଦ୍ଧରେ ପାପ କ’ଣ ନା ପୁଣ୍ୟ କ’ଣ? ବିଧାନ ମଣ୍ଡଳର ମରଣ ତେଣୁ ସାଧାରଣ ଆବେଗର ପ୍ରଶ୍ନ ହୋଇ ନ ପାରେ । ଆମ ଭିତରୁ କାହା ମୃତୁ୍ୟ ଯଦି ମହିମାର ଆସନ ପାଉଛି ସେଥିଯୋଗୁ ସରକାରର ଏତେ ପୋଡୁଚି କାହିଁକି? ପିଢ଼ି ପରେ ପିଢ଼ି ତମେ ତ ଆମ ଆଗରେ କେତେ ଲୋକଙ୍କ ମୃତୁ୍ୟର ମହିମା ଗପିଚ । ଡରେଇହରେଇ ସେଥିପାଇଁ ଆମଠୁଁ ସଲାମ ବି ଆଦାୟ କରିଛ । ସେଗୁଡା କ’ଣ ସତ ଥିଲା? ଏବେ ବିଧାନର ମରଣକୁ ଭେରସା କରି ରଙ୍ଗୋଉଛ କାହିଁକି? ସତକୁ ତା ନିଜ ବାଟରେ ଯିବାକୁ ଛାଡିଦିଅ । ଆମେ ଯାହା କହୁଚୁ, ଟିକେ ବିଶ୍ୱାସ କର । ସରକାର ହୋଇ ତୁମେ ଯଦି ଏତିକି ଉଦାର ହୋଇପାରୁନା ତା’ହେଲେ ଭବିଷ୍ୟତ ପାଇଁ ତୟାର ରୁହ । ବାପ ରାଣ ଢ଼ିଙ୍କି ଗିଳ୍ ନ୍ୟାୟରେ ଆମେ ତୁମକୁ ସବୁ ଶିଖାଇ ଦେବୁ ।
ଏମିତି କଥା ଗୁଡିଏ କହି ପିଟର୍ ଓ ଅନ୍ୟ ନେତାମାନେ ଗାଁ ଗାଁ ବୁଲି ଲୋକଙ୍କୁ ବୁଝୋଉ ଥିଲେ । ଆହୁରି କେତେ ନୂଆ ପ୍ରସଙ୍ଗ ବି ଯୋଡୁଥିଲେ । କିନ୍ତୁ ପ୍ରମୁଖ ଥିଲା, ବିଧାନର ମୃତ୍ୟୁ ।
  ବିଧାନ ମଣ୍ଡଳ କିଏ? ଟିକାବାହାଲ ଧନୁ ମଣ୍ଡଳରଚାରି ପୁଅରୁ ତୃତୀୟ । ବଡ ଦି’ଟା ବାଳୁଙ୍ଗା ହୋଇଗଲେ । ର୍ଗାଁରେ ପାଠ ପଢ଼ିବାର ସୁଯୋଗ ନଥିଲା । ପାଠ କ’ଣ କେହି ଜାଣି ନ ଥିଲେ । ବ୍ଳକ ବାବୁଙ୍କ ସାଙ୍ଗରେ ଦଳେ ମାଷ୍ଟ୍ର-ମାଷ୍ଟ୍ରାଣୀ ଗାଁ ଗାଁ ବୁଲି ଖରାବେଳ ଖାଇବାକୁ ଦିଆଯିବ, ନୂଆ ପେଣ୍ଟଶାର୍ଟ, ନୂଆ ଖାତା ବହି କଲମ ପେନ୍ସିଲ ମିଳିବ ବା ସେପରି ଅନ୍ୟାନ୍ୟ ବହୁ ଲୋଭ ଦେଖେଇ ଜାରି କିଲୋମିଟର ଦୂର ଖରମରା ସ୍କୁଲ ପାଇଁ ପିଲା ଯୋଗାଡ କରୁଥିଲେ । ଧନୁ ମଣ୍ଡଳ ଓ ତା ସ୍ତ୍ରୀ ନାନା କଥା ବୁଝି ବିଚାରି ସାନ ଦି’ଟାଙ୍କୁ ସେଠିକି ଛାଡିଦେଲେ ।
  କେଜାଣି କେମିତି, ବିଧାନ ସେଠି ଭଲ ପଢ଼ିଲା । ପରେ ବିଶ୍ରା ହାଇସ୍କୁଲରେ ପଢ଼ିଲା । ଫାଷ୍ଟ୍ ଡିଭିଜନ୍ରେ ମାଟ୍ରିକ ପାଶ୍ କଲା । ପାଠ କାହାକୁ କହନ୍ତି ଏକଥା ଜାଣି ନ ଥିବା ବାପ-ମା ଫାଷ୍ଟ୍ ଡିଭିଜନ୍ କ’ଣ ବୁଝି ନ ପାରି ପୁଅର କଲେଜ ପଢ଼ା ପ୍ରସ୍ତାବରେ ରାଜି ହୋଇଗଲେ । ବିଧାନ ରାଉରକେଲା ଆସିଲା । ସ୍କଲରସିପ୍ ପାଇଲା । ଓବିସି କୋଟାରେ ରହିବାକୁ ହଷ୍ଟେଲ ବି । ହେଲେ, ସେଠି ପାଠରେ ତା ମନ ଲାଗିଲାନି । ଅସହରୀ ମୂର୍ଖ ଟିକେ ସଚଳ ଚାଷବନ୍ଦୀ ବାପାକୁ ମିଛ କହି ସେ ଖାଲି ଗାଁକୁ ଦଉଡିଲା ।
  ରାଜନୀତିର ସମସାମୟିକ ପ୍ରକୋପ ଓ ସନ୍ତ୍ରାସବାଦ ସହିତ ମୁକାବିଲା କରୁଥିବା ବିଭାଗୀୟ ସତର୍କତା ଯୋଗୁ ବିଧାନର ମୃତ୍ୟୁ ଖବର ଏସପିଙ୍କ କାନରେ ଚଟ୍ କରି ପଡିଗଲା । ନ ହେଲେ ୟୁଡି ଏମିତି କୋଉ କେଶ୍ ଯେ ସେ ଜାଣିଥା’ନ୍ତେ? ଯାହାହେଉ, ଏସପି ମହାଶୟ ଏସଡିପିଓ, ଡିଏସପି, ଇନ୍ସପେକ୍ଟରଙ୍କୁ ଗାଳିଗୁଲଜ ତାଗିଦ ନିର୍ଦ୍ଦେଶ ପରି ଯଜମାନୀ ନିତ୍ୟକର୍ମ ସାରି ଅନ୍ତତଃ ଏଣିକି ଅନୁସନ୍ଧାନରେ ଆଉ ଯେମିତି ତାଙ୍କ ଅଜାଣତରେ ପବନ ପଶି ନ ପାରେ ଏଥିପାଇଁ ଯତ୍ନଶୀଳ ହେଲେ ।
  ଜଟିଳ ଅବସ୍ଥା ଉପୁଜିଥିବା କାରଣରୁ ଥାନା ପୁଲିସଙ୍କୁ ଏ ସଂକ୍ରାନ୍ତରେ କିଛି ବୟାନ ଦେବାକୁ ବାରଣ କରି ଦିଆଗଲା । ତେଣୁ ବିଭାଗ ତରଫରୁ ବୟାନ ଦେଉଥିବା ପୁଲିସ ଏବଂ ଥାନା ପୁଲିସ ଅଲଗା ଅଲଗା ହୋଇଗଲେ ।
  ଏସପି ଭାବୁଥିଲେ - ଆମ ଲୋକ ଏମିତି କୋଉ ପବିତ୍ର କି? ହ୍ୟାପ ମୂର୍ଖପଲ । ପୋଷାକଟେ ପିନ୍ଧିଦେଲେ ଇନ୍ଦ୍ରଚନ୍ଦ୍ର ମାନନ୍ତିନି । ସଗର ବଂଶପରିକା ମାଡି ରହିଛନ୍ତି ଚତୁର୍ଦ୍ଧିଗ । କିଏ କୋଉଠି କୋଉ ଉଦେ୍ଧଶ୍ୟରେ କ’ଣ କରୁଛି ଏବଂ କାଗଜକଲମରେ ତାକୁ କି ରୂପ ଦଉଛି, ଏସପି ହେଲେ ବି ସେ କରିବେ କ’ଣ? ସିଏ ତ ଆଉ ଭଗବାନ ନୁହଁନ୍ତି । ଅବସ୍ଥା ସଜାଡିବାକୁ ସେ ବହୁ ଉଦ୍ୟମ କରିଛନ୍ତି । ଛାତ୍ରାବସ୍ଥାର ସବୁ ପ୍ରତିଜ୍ଞା, ଆଦର୍ଶର ସବୁ ସୂଚିପତ୍ର ଓ ଅଭ୍ୟାସ ପରେ ରକ୍ତାକ୍ତ ହୋଇଛନ୍ତି । ତେଣେ, ଆଶା ଓ ସମ୍ଭାବନାର ବିରାଟ ସମୁଦ୍ର ଭିତରେ ନିଜେ ବଞ୍ଛିବାର ଉତ୍କଣ୍ଠା । ଏକତମ ଏବଂ ଅନନ୍ୟ ମେରିଖୁଣ୍ଟଟିଏ ପରି ପ୍ରତିଭାତ ହେବାପାଇଁ ଅସମ୍ଭବ ପ୍ରତିଯୋଗିତା । ଏହିପରି ଜଞ୍ଜାଳ ଭିତରେ ବିଦ୍ୟାବୁଦ୍ଧି ଘଷିଘଷି ଏବେକୁ ତାଙ୍କ ମନଟି ଏଡ଼େ ଚିକ୍କଣ ହୋଇଯାଇଛି ଯେ ସେଥିରେ ତାଙ୍କୁ ତାଙ୍କୁ ନିଜ ପ୍ରତିବିମ୍ବ ଛଡା ଆଉ କିଛି ଦେଖା ଯାଉନାହିଁ । ତା’ପରେ ଶାସନର ନାଁ ଗଣତନ୍ତ୍ର । ବିଧି ଅନୁଯାୟୀ ଶାସକକୁ କୁହାଯାଏ ସେବକ । ସେପରି ଶାସନ ଓରଫ ସେମାର ମକରନ୍ଦ ହେଲା – ସତର୍କତା । ଏତିକି ଶିଖି ନ ଥିଲେ ସଫଳତା ତ ଦୂରର କଥା, ବଞ୍ଚôବା ମଧ୍ୟ କଷ୍ଟ । ଘଟଣା ସଂପର୍କରେ ନିରପେକ୍ଷ ରହିବାକୁ ସାହେବ ଉଚିତ ମନେ କଲେ । ଅଭିଯୋଗ ସତ ହୋଇଥାଇ ପାରେ ବି । ମନକୁ ବୁଝେଇଇ ଦେଲେ । ସହିଦ ଓ ସନ୍ତ୍ରାସବାଦୀ ଭିତରେ ପାର୍ଥକ୍ୟ କେବଳ ସ୍ଥାନ ଓ କାଳ । କାଲି କାଳ ବଦଳିଯିବ । ଆଜିର ସନ୍ତ୍ରାସବାଦୀ ହେବ ସହିଦ । ଆମ ଚାକିରି ସରି ନ ଥିବ । କି କାଳେ କି ଭବିଷ୍ୟତି?
  ବିଧାନ ମୃତୁ୍ୟର ରାଜନୀତିକରଣରେ ଗୋଟିଏ ଛୋଟ ଫୋଟକା ବି ଫୁଟିଥିଲା । କିନ୍ତୁ ତାହା ଜଳିବାଠାରୁ ଲିଭି ଯାଇଥିଲା ଚଞ୍ଚଳ । କ’ଣ? ନା, ବିଧାନ ମୂଳ ଆଦିବାସୀ ନୁହେଁ । କେଇ ପିଢ଼ି ପୂର୍ବରୁ ତା ଗୁସବାପା କି ବୁଢ଼ାଗୁସବାପା ବାଲେଶ୍ୱର ଜିଲ୍ଲା ନୀଳଗିରିରୁ ଏଠିକି ଆସି ରହି ଯାଇଥିଲା । ଜଣେ ଅଣ-ଆଦିବାସୀ ମୃତୁ୍ୟକୁ ନେଇ ଗଣ୍ଡଗୋଳ କରିବାଦ୍ୱାରା ଆଦିବାସୀଙ୍କ ସ୍ୱାର୍ଥରେ ବାଧା ସୃଷ୍ଟି ହେଉଛି ।
  ଏ ପ୍ରଚାର କିଛି କାମ ଦେଲାନି । “କୋଉ ଶଳା ଏକଥା କହୁଚି? ପଦାକୁ ଆସୁ ।” ମୁହଁଖୋର ନେତାମାନେ ସର୍ବସାଧାରଣରେ ଧନ୍ଦାଳି ଧନ୍ଦାଳି ଏମିତି ଘୋଷଣା କଲେ । କେହି ପଦାକୁ ବାହାରି ଏମିତି କଥା ଆଉ କହିବାକୁ ସାହସ କଲେନି । ଲୋକେ ଏହାକୁ ଏକ ସରକାରୀ ଚାଲ୍ ବୋଲି ଗ୍ରହଣ କଲେ । ଅବସ୍ଥା ଏମିତି ହେଲା ଯେ ଗୁଇନ୍ଦା ଅଫିସରମାନେ ବି ଆଉ ଅଞ୍ଚଳ ଭିତରକୁ ପଶି ପାରିଳେ ନାହିଁ । ପିଟର୍ ପ୍ରତିବାଦରେ ବୁଲିବୁଲି କହିଲା, “କାଇଁ, ଜାତି ଜାତି ଭିତରେ ସମସ୍ତେ ମିଶି ଯାଆନ୍ତୁ ବୋଲି କେଡ଼େ ସୁନ୍ଦର ଭାଣେ ଦେବେ । ସେମାନେ ଶହେ ବର୍ଷ ହେଲା ଯଦି ଆଦିବାସୀମାନଙ୍କ ସହିତ ମିଶି ଚଳିଛନ୍ତି ଏବେ ସେଥିପାଇଁ ସରକାରଙ୍କର ଗାତ୍ରଦାହ କାହିଁକି?”
  ରୂପଭେକ ନିଆରାନିଆରା କରି ବିଧାନର ମୃତୁ୍ୟ ସହିତ ପ୍ରାୟସବୁ ରାଜନୈତିକ ଦଳ ମିଶି ଗଲେ । ଜଖମୀ କୁକୁର ପଛଗୋଡ ସନ୍ଧିରେ ଲାଙ୍ଗୁଡ ଜାକି ଭୁକୁଥିବାପରି ଅବସ୍ଥା ଥିଲା ସରକାରୀ ଦଳର ନେତା, ଉପନେତା ଓ କର୍ମୀମାନଙ୍କର । ସମସ୍ତେ ଆଦିବାସୀ । ସେମାନଙ୍କ ନାଁରେ ଅଭିଯୋଗ ଫର୍ଦମାନ ଖୋଲାଗଲା । ଆଇଟିଡିଏ ମହୁଲ ଠିକା ଚେୟାରମ୍ୟାନ ମହିଲ ଓରାମର ରଖେଲ୍ ସାଲ୍ମନି ଲାକ୍ରା କେମିତି ପାଇଲା? ଲାଜ ଓ ଲୁଗା ଏକା ସାଙ୍ଗରେ ଉତାରି ପାରିଲା ବୋଲି ସେ ହବ ଠିକାଦାର? ବାଃ ବାଃରେ ଗଣତନ୍ତ୍ର!ଏମିତି ଆହୁରି କେତେ ଅଭିଯୋଗ ।
  ମୃତକପକ୍ଷଙ୍କ ମତ ଥିଲା ଉଗ୍ର ଏବଂ ଭିନ୍ନ । ସେମାନେ ସବୁକଥା ଖୋଲମକୋଲା କହୁଥିଲେ । ଖୋଦ୍ ଚିଫ୍ସେକ୍ରେଟାରି ଆଉ ଆରଡିସି ମିଶି ଅନୁସନ୍ଧାନରେ ଆସିଥିଲେ । ସ୍ତ୍ରୀ ପୁରୁଷ ପ୍ରାୟ ତିନି ହଜାର ଲୋକ ଥାନା ଆଗରେ ରୁଣ୍ଡ ହୋଇଥା’ନ୍ତି । ପୁଲିସ ମୁତୟନ ଖଚାଖଚ୍ । ଆଇନ କ’ଣ ଓ ବିଧାନ ମୃତୁ୍ୟ ସଂପର୍କରେ ସରକାର ଅନୁସନ୍ଧାନ କରି କେଉଁ ସତ ପାଇଛନ୍ତି, ସେଇଆ ବୁଝୋଉବୁଝୋଉ ଆର୍ଡିସି ସାହେବ ଗଣତାନ୍ତ୍ରିକ ଶାସନର ଆଦର୍ଶ - ଅର୍ଥାତ ମାନବବାଦ - କଥା କହିଦେଲେ ।
  ସେଇଠି ଥିଲା ପିଟର୍ । ଠିଆ ହୋଇପଡିଲା । “ସାର୍, ଆମ କଥା ଟିକେ ଶୁଣିବେ?” କଂସାକବାଟ କଚାଡି ପଡିଲା ପରି ଧୂମ୍କିନା ଶବ୍ଦଟେ ହେଲା ଯେମିତି । ହାକିମହୁକୁମାଙ୍କ ପଲଟନ । ଏଡ଼େ ସାହସ କାହାର ଯେ ଏମିତି ଉଦ୍ଧତପରି କଥା କହିବ? କଲେକ୍ଟର ବିଡିଓଙ୍କୁ, ଆଇଜି ଏସ୍ପିଙ୍କୁ ଅନାଉଥା’ନ୍ତି । ନିଶ୍ଚୟ କିଛିଗୋଟେ ହୋଇ ଯାଇଥା’ନ୍ତା ।
  ଚିଫ୍ ସେକ୍ରେଟାରି କହିଲେ, “ହଁ ହଁ, ଆପଣ କୁହନ୍ତୁ । ଆମେ ଶୁଣିବାକୁ ଆସିଛୁ । ଆପଣଙ୍କ ନାଁ କ’ଣ?”
  ଇନ୍ସପେକ୍ଟର ଶତପଥୀ ଏସ୍ପିଙ୍କ କାନରେ ଫୁସ୍ଫୁସ୍ କରି ଲୋକଟାର ସାଧାରଣ ବିବରଣୀ ଜଣାଉଥିବାବେଳେ ପିଟର୍ ନିଜ ନାଁ ଓ ପଦବୀର ପରିଚୟ ଦେଇ କହିଲା, “ହଜୁର, ଆଠକାଳୀବାରମାସୀ ନାକରା କାମ କରୁଥିବା ବାବୁଭାୟାଙ୍କଠାରୁ ଜୟନ୍ତୀଉସôବର ଘଣ୍ଟେଅଧେ ମାନବବାଦ କଥା ଶୁଣି ସେଗୁଡାକ ବିଶ୍ୱାସ କରି ଶେଷରେ ଆମେ ତା’ର ଭୂତରୂପ ଦେଖୁଚୁ । ଏବେ ସେଥିରୁ ନିସ୍ତାର ପାଇବାକୁ ଇଚ୍ଛା । ସଜାଡିହୋଇ ବଞ୍ଚôବାକୁ ଇଚ୍ଛା । ମାନବବାଦ ଆମକୁ ନୂଆ ରକମ ଶିଖିବାକୁ ହେବ । ସରକାରଠୁଁ ଯାହା ଶିଖିଛୁ ସେଥିଯୋଗୁ ବରଂ ଆମ ମନ ଅପରିଷ୍କାର । ସଜାଡିବାକୁ ଏଇ ଗଣତନ୍ତ୍ର ହିଁ ସହାୟକ ହେବ ବୋଲି ଆମର ବିଶ୍ୱାସ । ଏବେ ପୁଣି ସରକାର ନିଜ ଅଯୋଗ୍ୟ ବିଶ୍ୱାସର ବର୍ଣ୍ଣବୋଧ ଆମକୁ ଶିଖିବାକୁ ଜବରଦସ୍ତ କରୁଛନ୍ତି କାହିଁକି? ସାର୍, ବିଶ୍ୱାସ କେହି ଚିର ଦିନ ପାଇଁ ହଜାଇପାରେ କି? ମଣିଷ ଯେବେଠାରୁ ଚନ୍ଦ୍ରସୂର୍ଯ୍ୟଙ୍କୁ ଚିହ୍ନିଥିବ, ବିଶ୍ୱାସ ତା’ପାଇଁ ସେତିକି ଆଦିମ । ଗୋଟିଏ ଖସିଲେ ଲଙ୍ଗଳା ହେବା ଡରରେ ଯେମିତି ହେଲେ ରାସ୍ତାରୁ ସାଉଁଟି ଆଉ ଗୋଟିଏ ଆଣି ସେ ଖୋସଣିରେ ବାନ୍ଧି ଦିଏ । ଆମେ ଜାଣୁ ଯେ ମଣିଷ ଯେତିକି ମୌଳିକ ତା ସହିତ ତା ବିଶ୍ୱାସ ବି ସେତିକି ମୌଳିକ । ଯେତେ ଧୋକା ଖାଇଲେ ମଧ୍ୟ ମଣିଷ ବିଶ୍ୱାସରେ ହିଁ ବଞ୍ଚେ । ଆମେ ଆମ ବିଶ୍ୱାସରେ ଗଣତନ୍ତ୍ରକୁ ଚିହ୍ନିବୁ । ସାର୍, ଏତିକି ଦୟା କରନ୍ତୁ । କେହି ଆଉ ଆମକୁ ବିଶ୍ୱାସ ଗଠନର ଢ଼ଙ୍ଗ ନ ଶିଖାନ୍ତୁ ।”
  ଚିଫ୍ ସେକ୍ରେଟାରୀ ପିଟର‌ଠାରୁ ବହୁତ କିଛି ଶୁଣିବାକୁ ଇଚ୍ଛା କରୁଥିଲେ ବୋଲି ତାଙ୍କ ହାବଭାବରୁ ଜଣା ପଡିଥିଲା ।
  ଏମିତି ଅନେକ ତର୍ଜମା ପାଇଁ ସୁଯୋଗ ଯୋଗେଇ ଦେଲା ବିଧାନର ମରଣ ଓ ‘ବିଧାନ ମଣ୍ଡଳ ମୃତୁ୍ୟ ତଦନ୍ତ ନାଗରିକ କମିଟି’ର ପ୍ରସିଡିଙ୍ଗ୍ । ଅମୂଲ୍ୟ ରତ୍ନ ପରି ବିଚାରୁଥିବା ସମସ୍ତେ ବିଧାନ ମୃତୁ୍ୟକୁ ସଂଗ୍ରାମର ପ୍ରତୀକ ରୂପେ ଆଦରି ନେବା ସ୍ୱାଭାବିକ ଥିଲା । ଏମିତିକା ଗୋଷ୍ଠୀରେ କ୍ରମେକ୍ରମେ ଲୋକ ବଢ଼ନ୍ତି । ବଢ଼ିଲା ।ଖବରକାଗଜ, ଟିଭିବାଲାଏ ପଶିଗଲେ । ଏହା ସନ୍ତ୍ରାସବାଦଗ୍ରସ୍ତ ଅଞ୍ଚଳରେ ଘଟି ଥିବାରୁ ସଭ୍ୟ ସମାଜରେ ଘୋର ଉଦ୍ବେଗ ପ୍ରକାଶ ପାଇଥିଲା । କାହିଁ ଦିଲ୍ଳୀ କାହିଁ ଭୁବନେଶ୍ୱରରୁ ଉଡାଜାହଜ ଚଢ଼ି ହାକିମମାନେ ଏପଟସେପଟ ହେଲେ । ଟେମ୍ପରାରି ରାସ୍ତା ତିଆରି ଚାଲିଲା । ଗାଁକୁ ଗାଡିମଟର ଛୁଟିଲା ।
  ବିଧାନ ମଣ୍ଡଳ ଏମିତି କିଏ କି? ଅସଂଖ୍ୟଙ୍କ ପରି ତା ଜୀବନ କି ମରଣରେ କିଛି ଟିକେ ବି ହଲି ନ ଥା’ନ୍ତା । ଆଶାକୁ ବାକ୍ୟରେ କହିବାକୁ ସୁଯୋଗ ପାଉ ନ ଥିବା ଯୁବକୁଳରୁ ସେ ମୋଟେ ଭିନ୍ନ ନ ଥିଲା । ଏବେ ସେହି ଇତର ମରଣ ଯଦି ସଭ୍ୟ ସମାଜକୁ ହଲେଇ ପାରିଛି ତା’ହେଲେ ସନ୍ତ୍ରାସବାଦ ମନ୍ଦ କ’ଣ?
  ଆନ୍ଦୋଳନକାରୀ ଆହୁରି ବି କହୁଥାନ୍ତି – ଏବେ କେତେ କଥା କରିବାକୁ ଦଳଦଳ ହୋଇ ଦଉଡି ଆସୁଚ । କମଳ ଚଦର ମଶାରି ଭଲିବଲ କ୍ରିକେଟମ୍ୟାଚ ବାଣ୍ଟୁଚ । ପିଲାଙ୍କ ନାକରୁ ସିଘାଂଣି ପୋଛିବାକୁ ସୁନ୍ଦରୀ ନର୍ସମାନେ ପହଞ୍ଚô ଯାଉଛନ୍ତି । ଆଗରୁ ବି ସରକାରୀ ଦରମା ପାଇ ସବୁଥିରୁ ଥୋକେଲେଖା ଏଠି ନ ଥିଲେ କି? ସେମାନେ କ’ଣ କରୁଥିଲେ? ଆଜି ଏମିତି ହଲୁଚ, ଆଗରୁ କାହିଁକି ହଲିଲନି? ସନ୍ତ୍ରାସବାଦ ମୋଟେ ଆସି ନ ଥା’ନ୍ତା ।
  କଲେକ୍ଟରଙ୍କ ଅନୁସନ୍ଧାନବେଳେ ପିଟର୍ କହିଥିଲା, “ଆମର ଯେ ପ୍ରଶ୍ନ କରିବାର ଅଧିକାର ଅଛି, ତାହା ସରକାର ତ ଆମକୁ ଜାଣିବାକୁ ଦେଉ ନ ଥିଲେ । କ’ଣ ନା ସବୁ ଗୁପ୍ତ । ତେଣୁ ହଜୁର, ଆମେ କେବେ କିଛି ପ୍ରଶ୍ନ କରି ନ ଥିଲୁ । ଏବେ କେଉଁ ବିଶ୍ୱାସରେ ବା କାହିଁକି କାହାକୁ କେଉଁ ଆଶାରେ କି ପ୍ରଶ୍ନ କରିବୁ? ଶୁଣୁଥିଲା କିଏ, ନା ଶୁଣିବ କିଏ? ସରକାରଙ୍କ ସିରସ୍ତାରେ ସବୁ ପାଠୁଆ । ହେଲା । ବାବୁମାନେ ପାଠଗୁଡାଏ ପଢ଼ିଛନ୍ତି ତ । କିନ୍ତୁ ଆଜ୍ଞା, ସବୁ ହୁରୁଡା ବିଦ୍ୟା । ଯାହା କହିଲେ କ’ଣ ନା - ଆମେ ଓସ୍ତାତ, ସବୁ ଜାଣୁ । ତା’ମାନେ, ଆମ ସମସ୍ୟା ବି ସରକାର ଜାଣିଥିଲେ? ଏବେ ସରକାରଙ୍କ ବିଦ୍ୟା ତାଙ୍କର, ଆମ ବିଦ୍ୟା ଆମର । ଏତିକି ନ୍ୟାୟ କ’ଣ ଆମେ ଶିଖି ପାରିବୁନି?ଜାଣି ସାରିଛୁ ଯେ ଆମ ହାତରୁ କେହି ଭୋଟ ଛଡ଼େଇ ନେଇ ପାରିବ ନାହିଁ । ସେଇ ଭୋଟ କେମିତି କୋଉଠି ପଡିବ, ସେ ଦାୟିତ୍ୱ ଆମର । ଏତେ କାଳଧରି ସରକାରଙ୍କ ପାପ ସହିତ ମୁକାବିଲା କରୁଥିବା ଆମ ପରି ଲୋକେ ଏବେ ସରକାର ପାଇଁ କ୍ଷମାଶୀଳ ହେବେ ବା ପ୍ରତିକ୍ରିୟାଶୀଳ ହେବେ – ଏହା ବିଚାରିବାକୁ ଆଉ ସରକାରୀ ବୁଦ୍ଧି ଆମର ଲୋଡା ନାହିଁ ।”
  କଳେକ୍ଟର ମହାଶୟ ହଡବଡ ହୋଇଗଲେ ।
  ମାନବଅଧିକାର ଆଇଜି ଆସିଥିଲେବିଧାନ ମୃତୁ୍ୟର ଅନୁସନ୍ଧାନ କରିବାକୁ ପିଟର୍ ତାଙ୍କ ଆଗରେ ବି ସବୁକଥା କହିଲା । “କଦବାକ୍ୱଚିତ୍ ଏଇ କଥା କହିବାର ଯେକୌଣସି ଉଦ୍ୟମକୁ ସରକାର କି ବଦନାମ ନ କରିଛନ୍ତି କୁହନ୍ତୁ? ଆମ ଦୁଃଖ ଶୁଣି ପ୍ରତିକାର କରିବା ତ ଦୂରର କଥା, ଯାଇତାଇ ସରକାରୀ ଲୋକଗୁଡାକ ଆମକୁ ସନ୍ତ୍ରାସବାଦ ବୋଲି କହି ହୁରୁଡାନ୍ତି । ବ୍ଳକବାଲାଏ ଯୋଜନା ଟଙ୍କା ମାରିନେବେ, ମାଷ୍ଟ୍ର ପାଠ ପଢ଼େଇବେନି, ଫରେଷ୍ଟବାଲା ଲୁଟ୍ କରିବେ । ପୁଲିସ କଥା ଛାଡନ୍ତୁ । ସେମାନେ ଲୁଟତରାଜ କରି ହେବେ ବାବୁ । ଯଦି ଚୋର ଚୋରି କରୁଛି ବୋଲି କହିଦେଲୁ, ଆମେ ହେଇଗଲୁ ସନ୍ତ୍ରାସବାଦୀ? ବଡ ହାକିମହୁକୁମା କିଛି ନ ବୁଝି ନ ଶୁଣି ସେକଥାକୁ ବିଶ୍ୱାସ ବି କରନ୍ତି । ସେଥିପାଇଁ ଆମ ଲୋକଙ୍କୁ ସରକାର କି ହରକତ ନ କରିଛନ୍ତି? କାରଣ କ’ଣ । ନା, ଆପଣ ଆମ ସରକାର! ଏବେ ଆମେ ଜାଣିଲୁଣି, ଭୋଟ ହେଉଛି ଆମ ସରକାର । ସରକାରୀ ବାବୁଗୁଡାକ ନୁଖୁରାଟାରେ ଆମର ମାଲିକପରି ଦେଖେଇ ହେଉଛନ୍ତି ସିନା, ଅସଲରେ ସେମାନେ ଭୋଟ୍ର ଗୋଲାମ ।”
  ଆଇଜି ସାହେବଙ୍କୁ ପିଟର୍ କହୁଥିବା କଥାଗୁଡିକ ନିହାତି ଅସାର ଲାଗି ନ ଥିଲା ।
  ଗୋଟିଏ ପଟରେ ମୃତକପକ୍ଷଙ୍କ ମନରେ ଥିଲା ସରକାର ବିରୁଦ୍ଧରେ ଏପରି ମାନସିକ ଅସୂୟା । ଆରପଟେ, ମଲା ଘୋଡା ଚଢ଼ି ବିଜୟ ହାସଲ କରିବାରେ ପଟୁ ରାଜନୀତିଆଙ୍କ ଆଚରଣ ପୁଲିସକୁ ଅସହାୟ କରି ପକାଇଲା । ଏମିତିକା ମରାମରି କାମରେ ପୁଲିସ ଅପାରଗ ନୁହେଁ ଏ କଥା ସମସ୍ତେ ଜାଣନ୍ତି । ଥରେ ହୋ ହୋ ଆରମ୍ଭ ହେଲେ ପୁଲିସ୍ ସପକ୍ଷରେ ସତ ତିଷ୍ଠି ରହିବା ଦୋଚାରୁଣୀ କପାଳରେ ସିନ୍ଦୁରର ମର୍ଯ୍ୟାଦା ପରି । ହାତେ ମାପି ଚାଖଣ୍ଡେ ନ ଚାଲିଲେ ପୁଲିସ୍ କଥା କିଏ ବିଶ୍ୱାସ କରିବ? ତେଣୁ ଆଇନ ମୁତାବକ ଚଳିବା ସବୁଠାରୁ ଭଲ ।କିହୋ,କେତେ ରକମ ପୁଲିସ୍ କୁଆଡ଼େ କେତେପ୍ରକାର ଆଦେଶ ତାମିଲ କରିବାକୁ ବୁଲୁଛନ୍ତି । କିଏ କାହାକୁ କୋଉଠି ମାରି ଦେଇଥିବ । ଅସମ୍ଭବ କ’ଣ?
  ମିଡିଆ ଗୋଡ଼େଇଛି ଯେ ଏସପିଙ୍କ ମୁହଁରୁ ଶୁଣିବ । କାହିଁକି? ଏଇ ଏସପି ଆଜି କହିଥିବା କଥା ଯୋଗୁ ଯେତେବେଳେ ଦହଗଞ୍ଜ ଭୋଗିବ ସେତେବେଳେ ତମେମାନେ ତା ପିଠିରେ ପଡିବ କି? ତୁମେ ତନିଜକୁ ଗଣତନ୍ତ୍ରରେ ସ୍ତମ୍ଭଟିଏ ବୋଲି କହି ଏପର୍ଯ୍ୟନ୍ତ ଜଗତକୁ ଭଣ୍ଡେଇ ଆସିଛ । କାହିଁ, ପଚାଶ ଜାଗା ବୁଲି ଖବର ଯୋଗାଡ କରୁନା? ଗଣତନ୍ତ୍ର ଖାଲି ତୁମମାନଙ୍କ ଲାଗି ମୁକ୍ତ, ଆଉ ଆମେ ଚାକିରି କରିଛୁ ବୋଲିଆମ ଲାଗି ସଂକୁଚିତ?
  ବିଧାନ ମଣ୍ଡଳ ମୃତୁ୍ୟକୁ କେନ୍ଦ୍ର କରି ମିଡିଆ ମଧ୍ୟ ଅନେକ ହୁଲସ୍ତୁଲ କରିଛି । ଅନୁମାନର ଅସଂଖ୍ୟ ହାବେଳି ଆକାଶରେ ଫୁଟେଇଚି । ପୁଅର ମୃତୁ୍ୟ ଦୁଃଖରେ ବାପା-ମା କାନ୍ଦିଥିବା କଥା ସମସ୍ତେ ନିଜନିଜ ଢ଼ଙ୍ଗ ଓ ଭାଷାରେ ପ୍ରଚାର କରିଛନ୍ତି । ବାପା-ମା ପରିବାର କି ପଡୋଶୀ କାହାରିକୁ ସନେ୍ଦହ ନ କରିବା, ଭାଲୁ ଗୋଡ଼େଇବା ଗପକୁ ଅବିଶ୍ୱାସ କରିବା – ଏହିପରି ଅନେକ ତଥ୍ୟଭିତ୍ତିକ ବିବରଣୀ ଜଗତକୁ ଜଣେଇଛନ୍ତି । ହେଲେ, ପୁଲିସ୍ କାହିଁକି ଗୁଳି ମାରିଲା? ୟା’ର କିଛି ଜବାବ୍ କାହାରି ପାଖରେ ନ ଥିଲା ।
  ଏଇଠୁ ଚାଲିଲା ମିଡିଆର କୁଟୀରଶିଳ୍ପ । ୟାକୁ ସେଥିରେ ଯୋଡ, ତାକୁ ଏଥିରୁ ଫେଡ । ମିଡିଆର ଜୀବନ ହେଲା ଟାଉନ୍ବସ୍ ସର୍ଭିସ । ପଛରୁ ଗୋଟିଏ ଆସିଲା ତ ଆଗଟି ନଜରରୁ ହଟିଯିବା ପରି ଆଉରି ଆଗକୁ ଚାଲିଲା । ଗୋଟିଏ ମୃତ୍ୟୁ ପାଖରେ ଅଟକିବା ସମ୍ଭବ କି? ଦୁଇତିନି ଦିନ ପରେ ମିଡିଆ ପାଇଁ ବିଧାନ ନାମକ ବାଳକଟିର ମୃତୁ୍ୟ ଏକ ବିବରଣୀରେ ରୂପାନ୍ତରିତ ହୋଇଗଲା । ଅନୁସନ୍ଧାନ ନାଁରେ କେତେବେଳେ କିଏ କ’ଣ ଗୋଟେ ଲେଖିଦେଲା ତ ଆଉ କେତେବେଳେ ‘ବିଧାନ ମଣ୍ଡଳ ମୃୃତୁ୍ୟ ତଦନ୍ତ ନାଗରିକ କମିଟି’ ପ୍ରେସ୍ନୋଟ୍ ଜରିଆରେ ମିଡିଆ ତାକୁ ସ୍ମରଣ କଲା । ଯାହାହେଉ, ବିଧାନକୁ ସନ୍ତ୍ରାସବାଦ ସହିତ ଯୋଡିବା ଏବଂ ତା ବିରୁଦ୍ଧରେ ଜନତାଙ୍କ ପ୍ରତିବାଦର ସ୍ୱରକୁ ତୀବ୍ର କରିବା ଦାୟିତ୍ୱ ମିଡିଆ ନେଇଥିବାରୁ ହିଁ ପୁଲିସ୍ ଏତେ ସନେ୍ଦହ ଭିତରକୁ ଆସିଗଲା ।
  ଏକା ଏସପି ନୁହଁନ୍ତି, ଶାସନରେ ଥିବା ଆଉସବୁ ସାହେବମାନେ ମଧ୍ୟ ନିଜ ପ୍ରଶାସନିକ ବିଦ୍ୟାର କରାମତି ଦେଖେଇବାକୁ ଉଚିତ ମନେ କଲେ । ଗୋଟେ ଆହୂତିରେ କହିଲେ – ରାମାୟ ସ୍ୱାହା ତ ଆରଟିରେ କହିଲେ – ରାବଣାୟ ସ୍ୱାହା ।
  ନିର୍ବାଚନ ଆଗକୁ ଥାଏ । ମୁଖ୍ୟମନ୍ତ୍ରୀ ମୃତ ବିଧାନ ମଣ୍ଡଳ ପରିବାର ପାଇଁ ଏକ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଦେଲେ । ଏହାକୁ ଅସ୍ତ୍ର କରି ଶାସକ ଦଳ ପଦାକୁ ବାହାରି ସାଧାରଣଲୋକଙ୍କ ସହିତ ହେଳମେଳ ହେବା କଥା । କିନ୍ତୁ ସେପରି ହେଲା ନାହିଁ । କେନ୍ଦ୍ରରେ ଆଉ ଗୋଟିଏ ପ୍ରକାର ସରକାର । ରାଜ୍ୟରେ ଯେଉଁ ଦଳ ସରକାର ତାହା କେନ୍ଦ୍ରରେ ବିରୋଧୀଦଳ । ରାଜ୍ୟର ଯିଏ ବିରୋଧୀଦଳ କେନ୍ଦ୍ରରେ ସିଏ ସରକାର । ଆଗକୁ ନିର୍ବାଚନ । କୋଉ ଶିର ବାଟେ ନହିଆ ଭିତରକୁ ପାଣି ଗଲା କେଜାଣି, ପ୍ରଭୁ ଜାଣନ୍ତି । ସେତିକିବେଳେ ପ୍ରଧାନମନ୍ତ୍ରୀ ମୃତ ବିଧାନ ମଣ୍ଡଳର ପରିବାର ପାଇଁ କେନ୍ଦ୍ର ସରକାରଙ୍କ ବକ୍ଷରର ପାଞ୍ଚ ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରି ଏକ ଆବେଗିକ ଶୋକବାର୍ତ୍ତା ମଧ୍ୟ ପଠାଇ ଦେଇଥିଲେ । ବାସ୍, ଏତିକିରେ ସ୍ଥାନୀୟ ଶାସକଦଳର ନେତା ଉପନେତାମାନଙ୍କ ଭିତରେ ଯେଉଁ ଯତକିଞ୍ଛିତ୍ ଦମ୍ଭ ଗଜୁରି ଆସୁଥିଲା ତାହା ବି ଫୁରସି ଗଲା ।
  ମୃତକପକ୍ଷ ଆନ୍ଦୋଳନକାରୀ ମୋଟେ ହଲୁ ନ ଥିଲେ । ସେମାନେ କହିଲେ – ଟଙ୍କା ତୁମେ ଛାପୁଚ ତୁମେ ବାଣ୍ଟୁଚ । ଆମ ଦରକାର ନାହିଁ । ତାକୁ କିଏ ମାରିଛି, କାହିଁକି ମାରିଛି – ସବୁକଥା ସିବିଆଇ ଇନକୁଆରି ହେଉ ।
  ସରକାର କହିଲେ – ମାଜିଷ୍ଟର ଇନକୁଆରି ସରିଛି । କହୁଚ ଯଦି, କ୍ରାଇମବ୍ରାଞ୍ଚ ଇନକୁଆରି ହୋଇପାରେ ।
  ଇତିମଧ୍ୟରେ ଥାନାର ସବ୍-ଇନିସ୍ପେକ୍ଟର ଚତୁର୍ଭୁଜ ସ୍ୱାଇଁ, ଜଣେ ହାବିଲ୍ଦାର ଓ ଜଣେ କନେଷ୍ଟବଳଙ୍କୁ ନିଲମ୍ବିତ କରାଗଲା । ସର୍କଲ ଇନିସ୍ପେକ୍ଟର ପ୍ରଦୀପ ଶତପଥୀଙ୍କୁ ବଦଳି କରି ଏସପିଙ୍କ ଅଫିସରେ ବସାଇ ଦିଆଗଲା । ସେମାନେ ସମସ୍ତେ ଛାଟିପିଟି ହେଉଥା’ନ୍ତି - ଆମର ଭୁଲ କେଉଁଠି? ମାଜିଷ୍ଟର ଇନ୍କୁଆରି ହେଲା କେବେ? ଷ୍ଟେସନରେ ଟ୍ରେନ୍୍ ପଶୁଥିବା ବେଳେ ସେଠି ତାନପୁରା ସ୍ୱର ଯେମିତି ଅସହାୟ ସେମିତି ଅବସ୍ଥା ଥିଲା ଦଣ୍ଡିତ ପୁଲିସ୍ବାଲାଙ୍କର । କାହା କଥା ଶୁଣିବ କିଏ?
  ଦି’ପଟେ ଚାଲିଲା ଧକମଧକ୍କା । ଆନେ୍ଦାଳନ ଭିତରେ, ସରକାର ଭିତରେ ବି । ଆନେ୍ଦାଳନକାରୀ ଅସଲରେ ବିଭାଜିତ ଅବସ୍ଥାକୁ ଆସି ଯାଇଥିଲେ । ଆନେ୍ଦାଳନ ଆରମ୍ଭ କରିବା ତ ସହଜ, ହେଲେ ତାକୁ ଚଳେଇବା କଷ୍ଟ । ସାଇକେଲ ସିଟ୍ ଭିତରେ ଅଖବାଭାବେ ଯାହାର ପ୍ୟାଣ୍ଟ ମାଡି ହୋଇଥିବ ତାକୁ ପଚାର, ସିଏ କହିବ – କଷ୍ଟ କେମିତି ଲାଗେ । ବାରଭାଇ ଆଖଡା ପରି ଚାଲୁଥିବା ‘ବିଧାନ ମଣ୍ଡଳ ମୃତୁ୍ୟ ତଦନ୍ତ ନାଗରିକ କମିଟି’ କେମିତି ମଜବୁତ୍ ହୋଇ ଚାଲିଥା’ନ୍ତା? ଅନ୍ୟାନ୍ୟ କଥା ଥାଉ, ଖାଲି ଆନେ୍ଦାଳନରେ ପତାକା ଧରିବାକୁ ଯେତିକି ଭଲେଣ୍ଟର ଦରକାରସେତିକିରେ ଖର୍ଚ୍ଚ କ’ଣ କମ୍? ଏମିତିକା ଆନେ୍ଦାଳନ ଲମ୍ବା ସମୟ ଧରି ଚଳେଇବା ଏତେ ସହଜ ନ ଥିଲା । ପୁଣି, ନିଜ ଭିତରେ ପରସ୍ପରକୁ ଜଗିବାର ଅଛି । କାରଣ ଏଠି ପକେଟମାର୍ଙ୍କ ସଂଖ୍ୟା ସବୁଠାରୁ ଅଧିକ । ଜାଣି ହେଉଛି କାହାର କାହା ସାଙ୍ଗରେ ଲିଙ୍କ୍ । ଏଥିକି ପୁଣି, ସରକାର ଏଯାବତ୍ ହୁଙ୍କୁ ନ ଥିଲେ ।
  ପୁଲିସ ଅଫିସରମାନଙ୍କ ନିଲମ୍ବନ ନିଷ୍ପତ୍ତି ମାଜିଷ୍ଟର ଇନ୍କୁଆରିକୁ ଭିତ୍ତି କରି ନିଆ ଯାଇଛି ବୋଲି ସରକାର ଘୋଷଣା କଲେ ସୁଦ୍ଧା ଆନେ୍ଦାଳନକାରୀ ସରକାରଙ୍କୁ ନତମସ୍ତକ କରାଇପାରିଛଛନ୍ତି ବୋଲି ଦର୍ପ ଦେଖେଇ ଏବଂ ମାନବାଧିକାର ଆଇଜିଙ୍କ ମୁଣ୍ଡହଲାକୁ ଭିତ୍ତି କରି ବିଧାନର ମୃତ୍ୟୁ ପାଇଁ ସିବିଆଇ ଇନ୍କୁଆରି ଦାବି ଛାଡି ନୂଆଭାବେ ବିଚାର ବିଭାଗୀୟ ତଦନ୍ତ ପାଇଁ ଅଡି ବସିଲେ । ଏପରି ଦାବି ସାର କି ଅସାର ଥିଲା ତାହା ଭିନ୍ନ କଥା । ଅନ୍ତତଃ ଏଥିଯୋଗୁ ‘ବିଧାନ ମଣ୍ଡଳ ମୃତୁ୍ୟ ତଦନ୍ତ ନାଗରିକ କମିଟି’ର ଆନେ୍ଦାଳନ ହଠାତ୍ ମଲାନି । ଆଉ କିଛି ଦିନ ବଞ୍ଛିଗଲା ।
  ତେଣେ, ସରକାର ଭିତରେ ରାଜନୀତି ଓ ପ୍ରଶାସନ ଭାଗଭାଗ ହେବା କ୍ରିୟା ଆରମ୍ଭ ହେଲା । ରାଜନୀତିର କହିବା କଥା – ତୁମେ ଯାହା ତାମସା କରୁଛ କର, ଆମର ଆଉ ଧୈର୍ଯ୍ୟ ନାହିଁ । ନିର୍ବାଚନ ଆଗକୁ । ଆମେ ଲୋକଙ୍କ ପାଖକୁ ଯିବୁ । ରାଜନୀତିର ଏଇ ସଙ୍କେତରେ ମୁଖ୍ୟମନ୍ତ୍ରୀ ଓ ବନ୍ତ୍ରୀମାନେ ହଲିଲେ । ଏକଦମ୍ ୱାଜିବ୍ କଥା ।
  ‘କି କାଳେ କି ଭବିଷ୍ୟତି’ କହି ଶାସନ କିନ୍ତୁ ଟିକେ ବି ହଲିଲା ନାହିଁ । ଶାସନର ମନୋବୃତ୍ତି ଥିଲା – ବିଧାନ ମଣ୍ଡଳ ମରୁ କି ନ ମରୁ, ଏବେ ରାଜନୀତିର ରଣଭୂମିରେ ଆଇନ ଅନ୍ତତଃ ମରିବା ଉଚିତ ନୁହେଁ ।
   ରାଜନୀତିରେ ଅନେକ ନେତା ଶାସନ ଜାଣନ୍ତି । ସେମିତି, ଶାସନରେ ଥିବା କେତେକ ହାକିମ ରାଜନୀତି ବି ଜାଣନ୍ତି । ଏଇ ଦୁଇ ଗୋଷ୍ଠୀଙ୍କ ଭିତରେ ଫରକ ହେଲା – ରାଜନେତା କର୍ମୀଙ୍କ ପାଖରେ ଅରାଜି ହଲୋବେଳେ ବି ନମ୍ର । ହାକିମମାନେ ସେତିକି ଶିଖି ନାହାନ୍ତି । ସେମାନେ ହାମ୍ବଡା । ଏମିତିରେ ଆଗକୁ ନିର୍ବାଚନ ଲଢ଼ିବା ସମ୍ଭବ ନୁହେଁ ଭାବି ମୁଖ୍ୟମନ୍ତ୍ରୀ ଅଚାନକ ଘୋଷଣା କରିଦେଲେ, “ହଁ, ବିଧାନ ମଣ୍ଡଳ ମୃତୁ୍ୟର ବିଚାର ବିଭାଗୀୟ ତଦନ୍ତ ପାଇଁ ସରକାର ରାଜି । ଆମ ଦଳ ପ୍ରଶାସନିକ ସ୍ୱଚ୍ଛତାରେ ବିଶ୍ୱାସ କରେ ।
  ଚିଫସେକ୍ରେଟାରୀ ଚମକି ପଡିଲେ । କି କଥା? ତାଙ୍କ ସହିତ ବି ପରାମର୍ଶ କରା ଯାଇନି । ହେଲେ, ସେ କ’ଣ ବା କରି ପାରିଥା’ନ୍ତେ? ନିରାପଦ ମକରନ୍ଦ ହେଲା – ସତର୍କତା । ତେଣୁ, ଅନୁରୂପ ଆଦେଶମାନ ଜାରି ହୋଇଗଲା ।
  ମୁଖ୍ୟ କାହାଣୀର ସମାନ୍ତରାଳ ଆଉ ଏକ ଅନୁଜ୍ଜଳ କାହାଣୀ ଆଗକୁ ଚାଲିଥାଏ । ଲକ୍ଷ୍ୟ – ସତେ ଯେମିତି ସମସ୍ତଙ୍କ ଅଜାଣତରେ ତାହା ଅନନ୍ତ ଅନ୍ଧାରରେ ଲୀନ ହେବ ଏବଂ ସବୁଦିନ ପାଇଁ ଲୁଚିଯିବ!
  ମା ଟିକେଟିକେ ଅନୁମାନ କରିଥିଲା । ରାଉରକେଲାରେ ପଢ଼ିଲାପରେ ଦିନେ ବିଧାନ ଘରକୁ ଆସି ମା ପାଖରେ ଢ଼େର ଗେହ୍ଳେଇ ହେଲା । ନିଜ ମନ କଥା ମା’କୁ କହିଥିଲା ।
  ବିଶ୍ରା ହାଇସ୍କୁଲରେ ତା ମନ ଚହଲି ଯାଇଥିଲା । ସେ ବୟସରେ ଚହଲିବାର ଅର୍ଥ? ନାଇଁ ନଉକା ନାଇଁ ଧନ, ସମୁଦ୍ର ଲଘିଂବାକୁ ମନ । କେବଳ ପ୍ରେମକୁ ଛାଡି ମଣିଷ ଜୀବନର ସବୁ କଥା ଶବ୍ଦରେ କହିହୁଏ । ପ୍ରେମ ପାଇଁ କୌଣସି ଶବ୍ଦ ଠିକ୍ ନୁହେଁ ବା କୌଣସି ଶବ୍ଦ ବେଠିକ୍ ବି ନୁହେଁ । ତାହା ବୁଝିବାକୁ ବା ବୁଝେଇବାକୁ ପୃଥିବୀର କୌଣସି ଭାଷାରେ ଶବ୍ଦକୋଷ ବି ନାହିଁ । ତେଣୁ ବିଧାନ ଓ ତା ପ୍ରେମିକା ଭିତରେ ଜଣେ ଅପରକୁ କେଉଁ ଆସନରେ ବସେଇବାକୁ ଖୋଜୁଥିଲେ ସେପରି କିଛି ନ ବୁଝି ସୁଦ୍ଧା ଭାବନାବରେ ଦୁଇଜଣଙ୍କ ସଂପର୍କ ଆହୁରି ମଜବୁତ୍ ହେଉଥିଲା । ଅନଭ୍ୟସ୍ତ ଆଖିଗୁଡିକୁ ଅବଶ୍ୟ ସେଥିରୁ କିଛି ଦେଖି ପାରୁ ନ ଥିଲେ । କାରଣ ଦୁହେଁ ନୂଆଯୌବନର ସ୍ୱାଦ ଚାଖିବାକୁ ଉସôୃଙ୍ଖଳ ହେଉ ନ ଥିଲେ । ଦେହ ମିଶାଇବାକୁ କ୍ଷଣକ ପାଇଁ ହେଲେ ବି ମନକୁ ଅନ୍ଧାର କରି ଦେଉ ନ ଥିଲେ । ତଥାପି ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ ।
  ଖରମରା ଗାଁ ପରମେଶ୍ୱର ମହାନ୍ତଙ୍କ ଝିଅ ରେଣୁ । ପୁଅର ପସନ୍ଦକୁ ମା ମନେମନେ ତାରିଫ କଲା ଯେ, ହେଲେ ଡରି ଯାଇଥିଲା । ମହାନ୍ତଘର ଝିଅ । ଦୁହେଁ ବୋଧେ ଆଗ ଅନୁମାନ କରି ନାହାଁନ୍ତି ।
  ମନ ମିଶେଇଲେ ପୂଣ୍ୟ, ଦେହ ମିଶେଇଳେ ପାପ - ଏମିତିକା କେତେକ ହିତୋପଦେଶ ସେ ପୁଅ ମୁଣ୍ଡରେ ପୁରାଉ ଥିଲା । ଅଧିକ କୌଣସି ଭରସା ସେ ଦେଇ ପାରି ନ ଥା’ନ୍ତା ଅବଶ୍ୟ । ଅନ୍ୟପକ୍ଷରେ, ରେଣୁକୁ ବା ରେଣୁ ବିଧାନକୁ ବୁଝାଇ ପାରି ନ ଥିଲେ ଜୀବନ ତାଲିକାର ଅନେକ ସଉଦା ବିଷୟରେ । ତେଣୁ, ରେଣୁ ଯୋଗୁ ସେ ବାରମ୍ବାର ଚାଲି ଆସୁଥିଲା ଗାଁକୁ ।
  ବିଧାନର ମୃତ୍ୟୁ ପାଇଁ ବଣଜଙ୍ଗଲ କାନ୍ଦିଥିଲା । ଆଉ କାନ୍ଦିଥିଲେ ପରିଜନ କେତେ କଥା ହେଜି । ବାପର ଆତ୍ମା, ମା’ର ଜରାୟୁ ସବୁଦିନ ଛଟପଟ ହେବାକୁ ବିଧାନ ସମସ୍ତଙ୍କୁ ଛାଡି ଚାଲିଗଲା । ଛଇଛଟକା ଟୋକାଟେ । ସହରରେ ପାଠ ପଢ଼ି ଚି୍କ୍କଣ ଦେଖା ଯାଉଥିଲା । ଗାଁର ଅନ୍ୟ କୌଣସି ପିଲା ତା ପରି ନୁହନ୍ତି । ସେ କାହିଁକି ଏମିତି କଲା, କେହି ଜାଣି ପାରୁ ନ ଥା’ନ୍ତି ।
  ଟୁସୁ ପରବ୍ ଆଉ ଦୁଇ ଦିନ ଆଗକୁ ଥାଏ । ଖବର ପାଇ ବାପା ମା ଜରେଇକେଲା ନଇକୂଳରେ ପହଞ୍ଚôଲେ । ଗାଁର ଆଉ କେତେ ଲୋକ ଜାଣି ନ ଥିଲେ ବି କେହି ସାଙ୍ଗରେ ଗଲେନାହିଁ । କାରଣ, ପ୍ରାୟ ମାସେଖଣ୍ଡେ ତଳେ ବିଧାନର ବଡଭାଇ ସ୍ୱାଧୀନ ମଣ୍ଡଳ ମାଓବାଦୀଙ୍କ ସହିତ ସଂପର୍କ ରଖିଥିବା ସନେ୍ଦହରେ ପୁଲିସ ତାକୁ ଥାନାକୁ ଡାକି ନେଇଥିଲା । କିଛି ପ୍ରମାଣ ନ ମିଳିବାରୁ ଛାଡିଦେଲା । ହେଲେ, ଗାଁରୁ ସେ ଗପ ଲିଭି ନ ଥାଏ ।
  ତଳମୁହାଁ ହୋଇ ବିଧାନ ପଡିଥାଏ । ପାଟିରୁ ବାହାରିପଡିଛି ପୁଳାଏ ଫେଣ । କେନ୍ଦୁ ବୁଦାର ଭଙ୍ଗା ମୋଟା ଡାଙ୍ଗଟେ ତା ବାଁ ପଟ ଛାତି ଭିତରେ ପଶି ଯାଇଥାଏ । ବୁଦା ମୂଳଟା ରକ୍ତରେ ଜୁଡୁବୁଡ ।
  କାଳେ ବଞ୍ଚିଯିବ ଭାବି ସେମାନେ ତାକୁ ବିଶ୍ରା ଡାକ୍ତରଖାନା ନେଇଗଲେ । ପୁଲିସ ଖବର ପାଇଲା ସେଠୁ । ବୟାନ ନେବାକୁ ଆଗେ ବିଧାନର ମା’କୁ ପଚାରିଲା ।
  “ସେ କାହିଁକି ବିଷ ଖାଇଲା?”
  “ଜାଣିନି, ହଜୁର ।”
  “ତୋ ଘରେ କି ପିଲାମାନଙ୍କ ଭିତରେ କିଛି କଳିତକରାଳ?”
  “ନା, ହଜୁର । ଯାହାକୁ ଇଚ୍ଛା ତାକୁ ପଚାରନ୍ତୁ । ଆମ ଘରେ କେବେ ଝଗଡା ହୁଏନି ।”
  “ତା’ହେଲେ ପୁଅର ମରଣ ସକାଶେ ତୁ ଆଉ କାହାକୁ ସନେ୍ଦହ କରୁଚୁ?”
  ମା’ ନିଜ ଅନୁମାନରେ ବେଶ୍ କିଛି ବୁଝି ପାରୁଥିଲା । ରେଣୁ ପରି ଗୋଟିଏ ସରଳ ଝିଅକୁ ଆହୁରି ସରଳଭାବେ ଭଲ ପାଇଥିବା ପୁଅର ମା’ ସିଏ । କ୍ରୋଧ କରିବ କାହା ବିରୁଦ୍ଧରେ? ରେଣୁକୁ ସିଏ ଚିହ୍ନି ସାରିଥିଲା । ଭଲ ଝିଅଟେ । ଏବେ ସୁଦୁ ତା ନାଁଟା ବି ଯଦି ପାଟିରୁ ବାହାରିଯାଏ, ବିଚାରୀ ନିଷ୍ପାପ ଝିଅଟାର ଜୀବନ ନାରଖାର ହୋଇଯିବ ।
  ସମସ୍ତ ସତ୍ୟ ପ୍ରଚାରିତ ହେବା ଠିକ୍ ନୁହେଁ । ସତ ବୁଝିବାକୁ ଯେତିକି ଅକଲ ଦରକାର, ଦୁର୍ଭାଗ୍ୟ ବାସ୍ତବତା ଏହା ଯେ ସମସ୍ତଙ୍କ ପାଖରେ ସେତିକି ନ ଥାଏ । ଅପାଠୁଆ ହେଉ ପଛେ, ଏପରି ଏକ ସତର୍କତା ବିଧାନ ମଣ୍ଡଳର ମା’ ମନରେ ଛାଁକୁ ଛାଁ ପଶିଗଲା । ଯେଉଁ ମା’ ‘ବିଧାନ ମଣ୍ଡଳ ମୃତ୍ୟୁ ତଦନ୍ତ ନାଗରିକ କମିଟି’ ସଂପର୍କରେ କିଛି ଜାଣି ନଥିଲା ସେହି ମା’ ପରେ ଭାବି ବସିଲା - ପୁଅ ଯଦି ସହିଦ ହେଉଚି, ହେଉ ଖରାପ କ’ଣ?
  ସେ କାନ୍ଦିକାନ୍ଦି ଲୋଟିଲୋଟି ପୁଲିସକୁ କହିଥିଲା, “ମୋ ପୁଅ ବିଷ ଖାଇବ କାହିଁକି? କପାଳ ମନ୍ଦ । ଠାକୁରଙ୍କ ଦୟାରୁ ସିଏ ଆମ କୋଳକୁ ଆସିଥିଲା । ପୂର୍ବଜନ୍ମରେ କି ପାପ କରିଥିଲୁ ଯେ ଏବେ କୋଳ ଶୂନ୍ କରି ପଳେଇଲା । କାଇଁ ଆଉ କାହାକୁ ସନେ୍ଦହ କରି ପାପ ଅର୍ଜିବୁ, ହଜୁର?
  ପରେ ନିଲମ୍ବିତ ହୋଇଥିବା ସମ୍ବେଦନଶୀଳ ପୁଲିସ ସବ୍-ଇନିସ୍ପେକ୍ଟର ବାବୁ ଚତୁର୍ଭୁଜ ସ୍ୱାଇଁ ଜଣେ ମା’ର ବେଦନାକୁ ଅତି ସହଜରେ ଗ୍ରହଣ କଲେ । ସେଇ ବୟାନକୁ ଅବିଶ୍ୱାସ କରି କୌଣସି ଜଟିଳ ଅନୁସନ୍ଧାନ ଭିତରେ ପଶିବା ସେତେବେଳର ଆବଶ୍ୟକତା ନ ଥିଲା ।