ଆଶା ତମସା ଲେଖକ/କବି: ରବି କାନୁନ୍‌ଗୋ
ବହୁ ସୁଖ ମାଗଣା

ବହୁ ସୁଖ ମାଗଣା
ଦେହ ସିନା ମିଳୁଥାଏ ପ୍ରେମ କିନ୍ତୁ ମିଳେନା
ପ୍ରେମ ଇ ତ ମାଗଣା ।
ଗଜଦନ୍ତ ସାଜ ମିଳେ ନିଦ କିମ୍ପା ମିଳେନା ?
ନିଦ ବି ତ ମାଗଣା ॥
ଧନ ମିଳେ ଜନ ମିଳେ ସୁଖ କିଆଁ ମିଳେନା ?
ସୁଖ ନିଶ୍ଚେ ମାଗଣା ।
ଜୟ ମିଳେ ଭୟ ମିଳେ-ଯଶ ଦମ୍ଭ ମିଳେନା
ସେ ସବୁ ତ ମାଗଣା ॥
ଅନାଦାର ସ୍ନେହ ମିଳେ ଆଦର ତ ମିଳେନା
ସ୍ନେହ କିନ୍ତୁ ମାଗଣା ।
ନିଜ ପାଇଁ ଶ୍ରଦ୍ଧା ଖୋଜୁ ଅପରକୁ ଦେଉନା
ଶ୍ରଦ୍ଧା ବି ତ ମାଗଣା ॥
ମନ୍ଦ ଆଶା ଖୋଜି ଲୋଡି ମନ କରୁ ରୋଗଣା
ଭଲ ଆଶା ମାଗଣା ।
ହାରିବାକୁ ଡରିଯାଇ ଜିତିବା ତ ଜାଣୁନା
ବୁଦ୍ଧି ସବୁ ମାଗଣା ॥
ଭଲ ଦିଶେ ହସ ମୁହଁ
ଭଲ ଦିଶେ ମଜାମଜି ଗହଣା ।
ହସିବା କି ନ ହସିବା କୁହ ବନ୍ଧୁ –
ଜୀବନରେ ବହୁ ସୁଖ ମାଗଣା ॥


ଟିପାଖାତା, ୨୦.୦୪.୧୯୮୪ରୁ .......